ଦୀର୍ଘ ଦଶନ୍ଧି ଧରି ସୁରକ୍ଷାକର୍ମୀକୁ ଚକମା ଦେଇ ଚାଲିଥିଲା। ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ଘଟାଇ ଚାଲିଥିଲା ହିଂସାକାଣ୍ଡ। ସୁରକ୍ଷାକର୍ମୀ ମଧ୍ୟ ତା’କୁ ଧରିବାକୁ ସବୁ ପ୍ରକାରର ଉଦ୍ୟମ କରି ଫେଲ ମାରୁଥିଲେ। ଏପରି କି ତା’ ସମ୍ପର୍କରେ ସୂଚନା ପାଇଁ ୧ କୋଟି ଟଙ୍କାର ପୁରସ୍କାର ବି ଘୋଷଣା କରିଥିଲେ। ତଥାପି ନକ୍ସଲ କେନ୍ଦ୍ରୀୟ କମିଟିର ବରିଷ୍ଠ ସଦସ୍ୟ ଜୟରାମ ରେଡ୍ଡୀ ଓରଫ ଚାଲାପତିକୁ କେହି ଧରି ପାରୁ ନଥିଲେ। କିନ୍ତୁ ପତ୍ନୀ ଅରୁଣା ସହ ଗୋଟିଏ ସେଲଫି ଜୟରାମକୁ ମହଙ୍ଗା ପଡ଼ିଛି। ଏହି ସେଲଫି ଯୋଗୁ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି ଜୟରାମ।
ଦିନକ ତଳେ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ହୋଇଥିବା ମିଳିତ ଅପରେସନରେ ୨୦ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛି ଜୟରାମ। ତା’ ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ରହିଥିଲା। ୨୦୦୮ରେ ଓଡ଼ିଶାର ନୟାଗଡ଼ା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଉପରେ ନକ୍ସଲ କରିଥିଲେ ଘାତକ ହମଲା। ଏଥିରେ ୧୩ ଜଣ ବୀର ଯବାନ ପ୍ରାଣ ହରାଇଥିଲେ। ଏହି ହମଲାର ମାଷ୍ଟରମାଇଣ୍ଡ ଥିଲା ଜୟରାମ।
ଘଟଣା ଦିନ ସୁରକ୍ଷାକର୍ମୀଙ୍କ ଉପରେ ହମଲା କରି ମାଓବାଦୀମାନେ ପୁଲିସ୍ ଠାରୁ ଅସ୍ତ୍ରଶସ୍ତ୍ର ଲୁଟ କରିଥିଲେ। ମାଓବାଦୀମାନେ କେମିତି ନୟାଗଡ଼ରୁ ସଫଳତାର ସହ ବାହାରିବେ, ତା’ର ରଣନୀତି ଜୟରାମ ପ୍ରସ୍ତୁତ କରିଥିଲା। ସୋମବାର ଠାରୁ ସୀମାନ୍ତରେ ଚାଲିଥିବା ମିଳିତ ଅପରେସନରେ ସାମିଲ ଥିବା ଜଣେ ପୁଲିସ୍ ଅଧିକାରୀ କହିଛନ୍ତି, ପୁଲିସ୍ ଅସ୍ତ୍ରାଗାର ଉପରେ ମାଓବାଦୀମାନେ ହମଲା କରିବା ବେଳେ ଯେମିତି ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ନୟାଗଡ଼ରେ ପ୍ରବେଶ ନ କରିପାରିବେ, ସେ ବ୍ୟବସ୍ଥା ଜୟରାମ କରିଥିଲା।
ସେ ମାଓବାଦୀଙ୍କୁ କହି ନୟାଗଡ଼ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ବଡ଼ବଡ଼ ଗଛ ଗଣ୍ଡି ସବୁ ପକାଇ ଦେଇଥିଲା। ଫଳରେ ଅସ୍ତ୍ରାଗାର ଉପରେ ନକ୍ସଲମାନେ ଆକ୍ରମଣ କରି ଏହାକୁ ଲୁଟି ନେଇଥିଲେ। ୨୦୦୮ରୁ ପୁଲିସ୍ ଜୟରାମକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା। କିନ୍ତୁ ଦୀର୍ଘ ବର୍ଷ ଧରି ତା’ର କୌଣସି ପ୍ରକାରର ପତ୍ତା ମିଳି ନଥିଲା। ତା’ର ଭଲ ଫଟୋ ମଧ୍ୟ ସୁରକ୍ଷାକର୍ମୀଙ୍କ ପାଖରେ ନଥିଲେ। କେବଳ ଜୟରାମକୁ କିଛି ପୁରୁଣା ଫଟୋ ଦ୍ୱାରା ଚିହ୍ନଟ କରିବାକୁ ପୁଲିସ୍ ଲାଗି ପଡ଼ିଥିଲା।
ପୁଲିସ୍ ପାଇଁ ଜୟରାମକୁ ଠାବ କରିବା ବେଶ ଚ୍ୟାଲେଞ୍ଜିଂ ଥିଲା। ପୁଲିସ୍ ପାଖରେ ଭଲ ଫଟୋ ନଥିବାରୁ ଜୟରାମ ମଧ୍ୟ ବେଧଡ଼କ ତା’ର କାର୍ଯ୍ୟକଳାପ ଜାରି ରଖିଥିଲା। କିନ୍ତୁ ଅରୁଣା ସହ ଗୋଟିଏ ସେଲଫି ତା’ର ପୂରା ଖେଳରେ ପାଣି ପକାଇ ଦେଇଥିଲା। ଅରୁଣା ହେଉଛି ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟି(ଏଓବିଏସଜେଡସି)ର ଡେପୁଟି କମାଣ୍ଡର। ଜୟରାମ ପତ୍ନୀ ସହ ଉଠାଇଥିବା ସେଲଫି ସାମ୍ନାକୁ ଆସିବାରୁ ପୁଲିସ ତା’କୁ ଚିହ୍ନଟ କରିବାରେ ସକ୍ଷମ ହୋଇଥିଲା।
୨୦୧୬ରେ ଆନ୍ଧ୍ର ପ୍ରଦେଶର ଗୋଟିଏ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଜଙ୍ଗଲର ଏକ ପରିତ୍ୟକ୍ତ ସ୍ଥାନରୁ ଗୋଟିଏ ସ୍ମାର୍ଟଫୋନ ମିଳିଥିଲା। ଉକ୍ତ ଫୋନକୁ ଯାଞ୍ଚ କରିବା ବେଳେ ଜୟରାମ ଓ ଅରୁଣାର ସେଲଫି ମିଳିଥିଲା। ସେମାନେ ଜଙ୍ଗଲ ମଧ୍ୟରେ ରହିବା ସହ ସେଲଫି ନେଇଥିବା ପୁଲିସ୍ ଜାଣିବାକୁ ପାଇଥିଲା।
ସେଲଫି ମିଳିବା ପରେ ଜୟରାମ ସମ୍ପର୍କରେ ସୂଚନା ହାସଲ କରିବା ପାଇଁ ପୁଲିସ୍ ପକ୍ଷରୁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଜୀବନ ପ୍ରତି ବିପଦ ଥିବା ଅନୁଭବ କରି ଜୟରାମ ସବୁବେଳେ ନିଜ ଚାରି ପାଖରେ ୮ରୁ ୧୦ ଜଣ ବଡି ଗାର୍ଡଙ୍କୁ ରଖୁଥିଲା।
ଆନ୍ଧ୍ର ପ୍ରଦେଶର ଚିତ୍ତୋରରେ ଜନ୍ମ ଗ୍ରହଣ କରିଥିବା ଜୟରାମ ରେଡ୍ଡୀ ମାଓବାଦୀଙ୍କ କେନ୍ଦ୍ରୀୟ କମିଟିର ଅନ୍ୟତମ ବରିଷ୍ଠ ସଦସ୍ୟ ଭାବେ କାମ କରୁଥିଲା। ଜୟରାମ ଛତିଶଗଡ଼ର ବସ୍ତର ଅନ୍ତର୍ଗତ ଅବୁଝମଦର ଘଞ୍ଚ ଜଙ୍ଗଲରେ ରହି ପୂରା ନେଟୱର୍କକୁ ଚଳାଇଥାଏ। ଅବୁଝମଦ ଜଙ୍ଗଲରେ ନିୟମିତ ଏନକାଉଣ୍ଟର ହେବାରୁ ୬୦ ବର୍ଷୀୟ ଜୟରାମ ସେଠାରୁ ନିଜର କ୍ୟାମ୍ପକୁ ସ୍ଥାନାନ୍ତର କରି ଦେଇଥିଲା। ସେ ଓଡ଼ିଶା ସୀମାରେ ନିଜର ନୂଆ କ୍ୟାମ୍ପ ଖୋଲି ବେଶ କିଛି ମାସ ହେଲା ରହୁଥିଲା।
ସେ ଭାବିଥିଲା ଯେ ଓଡ଼ିଶା ସୀମାରେ ସେ ସୁରକ୍ଷିତ ରହିବ। ଓଡ଼ିଶା ଓ ଛତିଶଗଡ଼ ସୀମାରେ ହେଉଛି ବିଭିନ୍ନ ମାଓବାଦୀ କାର୍ଯ୍ୟକଳାପର ରଣନୀତି ନିଜେ ଜୟରାମ ପ୍ରସ୍ତୁତ କରୁଥିଲା। ଏଥିସହ ପୂରା ଅପରେସନର ନେତୃତ୍ୱ ମଧ୍ୟ ସେ ନେଉଥିଲା। ସାମରିକ ରଣକୌଶଳ ଓ ଗରିଲା ଯୁଦ୍ଧରେ ସେ ପାରଙ୍ଗମ ରହିଥିଲା।
ଜୟରାମ ସମେତ ଏକାଧିକ ନକ୍ସଲ ଓଡ଼ିଶାର ନୂଆପଡ଼ା ଜିଲ୍ଲା ଠାରୁ ୫ କିମି ଦୂର ଛତିଶଗଡ଼ର କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ଆଡ୍ଡା ଜମାଇଥିବା ଖବର ମିଳିଥିଲା। ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ଉଭୟ ରାଜ୍ୟର ଏସଓଜି ଯବାନମାନେ ମାଓବାଦୀ ଦମନ ଅଭିଯାନ ଆରମ୍ଭ କରି ଦେଇଥିଲେ। ସୋମବାର ରାତିରୁ ଆରମ୍ଭ ହୋଇଥିବା ଏହି ଅପରେସନରେ ଡିଆରଜି, ସିଆରପିଏଫ, ଛତିଶଗଡ଼ର କୋବ୍ରା ଓ ଓଡ଼ିଶାର ଏସଓଜି ଯବାନମାନେ ସାମିଲ ହୋଇଥିଲେ। ଘଞ୍ଚ ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆରମ୍ଭ ହୋଇଥିଲା ଗୁଳି ବିନିମୟ।
ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଘମାଘୋଟ ଲଢ଼େଇ ରାତି ତମାମ ଚାଲିଥିଲା। ବେଶ କିଛି ଘଣ୍ଟାର ପ୍ରବଳ ଗୁଳି ବିନିମୟ ପରେ ପୂରା ପରିବେଶ ଶାନ୍ତ ହୋଇଯାଇଥିଲା। ଏହାପରେ ସୁରକ୍ଷାକର୍ମୀମାନେ ଜଙ୍ଗଲ ମଧ୍ୟରେ ବେଶ ସତର୍କତାର ସହ ଆଗକୁ ବଢ଼ିଥିଲେ। ଏହି ସମୟରେ ୨୦ ଜଣ ନକ୍ସଲଙ୍କ ଗୁଳିବିଦ୍ଧ ମୃତଦେହ ଜଙ୍ଗଲ ମଧ୍ୟରୁ ମିଳିଛି। ଏମାନଙ୍କ ମଧ୍ୟରେ ଜୟରାମ ରେଡ୍ଡୀ ମଧ୍ୟ ରହିଛି।
ଏହାବାଦ ନିହତ ନକ୍ସଲମାନଙ୍କ ନିକଟରୁ ବିପୁଳ ପରିମାଣର ବନ୍ଧୁକ, ଗୁଳିଗୋଳା ଓ ଆଇଇଡି ମଧ୍ୟ ଜବତ ହୋଇଛି। ଏଗୁଡ଼ିକ ମଧ୍ୟରେ ସେଲ୍ଫ ଲୋଡିଂ ରାଇଫଲ ମଧ୍ୟ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।