ବିଜୟ ମଲହୋତ୍ରା Photograph: (ଫାଇଲ ଫଟୋ)
ବରିଷ୍ଠ ବିଜେପି ନେତା ବିଜୟ କୁମାର ମଲହୋତ୍ରାଙ୍କର ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ତେଣୁ ତାଙ୍କୁ ଦିଲ୍ଲୀ ଏମ୍ସ (AIIMS)ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସେ ସେଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
୪୫ ବର୍ଷର ରାଜନୀତିକ କ୍ୟାରିୟରରେ ବିଜୟ ମଲହୋତ୍ରା ଦିଲ୍ଲୀରୁ ୫ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେହିଭଳି ସେ ଦୁଇ ଥର ଦିଲ୍ଲୀ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଦିଲ୍ଲୀରେ ସେ ଥିଲେ ବିଜେପିର ଜଣେ ତୁଙ୍ଗ ନେତା। ସେ ଦିଲ୍ଲୀ ବିଜେପିର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।
୧୯୯୯ ସାଧାରଣ ନିର୍ବାଚନରେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ବଡ଼ ବ୍ୟବଧାନରେ ପରାସ୍ତ କରିଥିଲେ ବିଜୟ ମଲହୋତ୍ରା। ଏହା ତାଙ୍କର ସବୁଠୁ ବଡ଼ ରାଜନୀତିକ ବିଜୟ ଥିଲା ବୋଲି କୁହାଯାଏ। ୨୦୦୪ ସାଧାରଣ ନିର୍ବାଚନରେ ସେ ବିଜେପିର ଏକମାତ୍ର ପ୍ରାର୍ଥୀ ଭାବେ ଦିଲ୍ଲୀରେ ବିଜୟୀ ହୋଇଥିଲେ। ଦିଲ୍ଲୀର ବାକି ୬ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିଲେ।
୨୦୦୮ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ମଲହୋତ୍ରାଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ତାଙ୍କ ଆସନରୁ ସେ ସହଜରେ ବିଜୟୀ ହୋଇଯାଇଥିଲେ ହେଁ ଦଳ ପରାସ୍ତ ହୋଇଥିଲା। ସେତେବେଳେ ବେଳେ ସେ ଲୋକସଭା ସାଂସଦ ଥିଲେ। ତେବେ ବିଧାୟକ ଭାବେ ନିର୍ବାଚିତ ହେବା ପରେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ବିଜୟ ମଲହୋତ୍ରା। ସେ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଥିଲେ।
ରାଜନୀତି ଓ ସମାଜସେବା ସହିତ ପଢ଼ାପଢ଼ିରେ ତାଙ୍କର ବେଶ୍ ରୁଚି ଥିଲା। ସେ ହିନ୍ଦୀ ସାହିତ୍ୟରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ। ଏହା ବ୍ୟତୀତ ବିଭିନ୍ନ ଖେଳ ସଂଗଠନ ସହିତ ସେ ଜଡ଼ିତ ଥିଲେ। ସେ ଭାରତୀୟ ଅଲିମ୍ପିକ ସଂଘର ବରିଷ୍ଠ ସଭାପତି ଭାବେ କାର୍ଯ୍ୟ କରିଥିଲେ। ଏହି ସଂଘର କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ବିଜୟ ମଲହୋତ୍ରା ଭାରତୀୟ ତୀରନ୍ଦାଜୀ ସଂଘର ପ୍ରତିଷ୍ଠାତା ଥିଲେ। ୨୦୧୦ରେ ଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନରେ ସେ ଜଡ଼ିତ ଥିଲେ। ୨୦୧୫ରେ ତାଙ୍କୁ ସର୍ବଭାରତୀୟ କ୍ରୀଡ଼ା ପରିଷଦ ବା AICSର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା, ଯାହା ଏକ ରାଷ୍ଟ୍ରମନ୍ତ୍ରୀ ସ୍ତରର ପଦ ଥିଲା।
ବିଜୟ ମଲହୋତ୍ରାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଓ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି ଯେ ବିଜୟ ମଲହୋତ୍ରା ଜଣେ ଏମିତି ନେତା ଥିଲେ ଯିଏ ସର୍ବଦା ତୃଣମୂଳ ସ୍ତର ସହିତ ଜଡ଼ିତ ରହିଥିଲେ। ଜନସାଧାରଣଙ୍କ ସମସ୍ୟାଗୁଡ଼ିକୁ ସେ ବୁଝିପାରୁଥିଲେ। ଦିଲ୍ଲୀରେ ଦଳକୁ ସଶକ୍ତ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସଂସଦରେ ସେ ପୂରା ସକ୍ରିୟ ରହୁଥିଲେ।
ସେହିଭଳି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶୋକ ପ୍ରକାଶ କରି ତାଙ୍କ ଏକ୍ସରେ ଲେଖିଛନ୍ତି, ସେ କେବଳ ଦିଲ୍ଲୀ ରାଜନୀତିକୁ ନୂଆ ଦିଗ ଦେଇ ନଥିଲେ, ଜଣେ ସଚ୍ଚା ଜନସେବକ ଭାବେ ଜନସେବାର ନୂଆ ମାନକ ସ୍ଥାପିତ କରିଥିଲେ। ତାଙ୍କର ସମର୍ପିତ ମନୋଭାବ ଓ ନିଃସ୍ୱାର୍ଥ ସେବା ସର୍ବଦା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ କରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/09/30/vijay-malhotra-2025-09-30-11-25-39.jpg)