ADC
ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ପାକିସ୍ତାନ ଆକାଶ ପଥରେ ଡ୍ରୋନ ଓ ମିସାଇଲ ମାଡ଼ କରୁଥିବା ବେଳେ ଏଲଓସିରେ ମଧ୍ୟ ଗୁଳିବର୍ଷା ଜାରି ରଖିଛି। ଶୁକ୍ରବାର ରାତିରେ ଜମ୍ମୁ-କଶ୍ମୀରର ଏଲଓସିରେ ବିଭିନ୍ନ ସ୍ଥାନରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଭାରତୀୟ ସେନା ପୋଷ୍ଟ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଛି।
ପାକିସ୍ତାନ ପକ୍ଷରୁ ହୋଇଥିବା ନିରବଚ୍ଛିନ୍ନ ଗୁଳମାଡ଼ରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜମ୍ମୁ-କଶ୍ମୀର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଓ ୨ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ଅନେକ ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ଶନିବାର ଭୋର ସମୟରେ ପାକିସ୍ତାନ ରଜୌରୀ ସ୍ଥିତି ଏଲଓସିରେ ଶେଲିଂ କରିଥିଲା। ଭାରତ ଏହାର ଜବାବ ଦେଇଥିଲେ ହେଁ ସୀମାନ୍ତ ଅଞ୍ଚଳରେ ଥିବା ଏକାଧିକ ସାଧାରଣ ନାଗରିକଙ୍କ ଘର ନଷ୍ଟ ହୋଇଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ପକ୍ଷରୁ ହୋଇଥିବା ଗୁଳି ମାଡ଼ ଯୋଗୁ ରଜୌରୀ ସହରର ଏକାଧିକ ଘର କ୍ଷତିଗ୍ରସ୍ତ ହୋଇଛି।
ଗୋଟିଏ ମୋର୍ଟାର ରଜୌରୀ ଏଡିସି ରାଜ କୁମାର ଥାପ୍ପାଙ୍କ ଘର ଉପରେ ମଧ୍ୟ ପଡ଼ିଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେହପରି ତାଙ୍କର ଦୁଇ ଜଣ କର୍ମଚାରୀ ମଧ୍ୟ ଗୁରୁତର ଭାବେ ଆହତ ହୋଇ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପାକିସ୍ତାନର ଗୁଳିମାଡ଼ରେ ପ୍ରଥମେ ଥାପ୍ପାଙ୍କ ସମେତ ତାଙ୍କର ଦୁଇ ଜଣ କର୍ମଚାରୀ ଆହତ ହୋଇଥିଲେ। ସମସ୍ତଙ୍କୁ ସରକାରୀ ମେଡିକାଲ କଲେଜକୁ ନିଆଯାଇଥିଲା। କିନ୍ତୁ ସେଠାରେ ଥାପ୍ପାଙ୍କ ମୃତ୍ୟୁ ହୋଇଛି।
ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନିଜ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛନ୍ତି। ସେ ପାକିସ୍ତାନର ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।
ଅନ୍ୟପକ୍ଷରେ ଏଲଏସିରେ ବିଭିନ୍ନ ସ୍ଥାନରେ ପାକିସ୍ତାନ କରିଥିବା ଶେଲିଂରେ ଜଣେ ଆର୍ମି ଯବାନ ଓ ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ସହିଦ ଯବାନଙ୍କ ଜଣଙ୍କ ହେଉଛନ୍ତି ୨୩ ବର୍ଷୀୟ ଏମ ମୁରଲୀ ନାଏକ। ତାଙ୍କ ଘର ଆନ୍ଧ୍ର ପ୍ରଦେଶର ଶ୍ରୀ ସତ୍ୟ ସାଇ ଜିଲ୍ଲାରେ। ପାକିସ୍ତାନର ସୀମା ପାର ଗୁଳି ମାଡ଼ରେ ସେ ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଉଥିବା ବେଳେ ଅଧା ବାଟରେ ସେ ଆଖି ବୁଜିଛନ୍ତି।
ଏହାବାଦ ଉରି ସେକ୍ଟରରେ ଜଣେ ମହିଳା ଓ ପୁଞ୍ଚରେ ଜଣେ ବ୍ୟକ୍ତି ପାକିସ୍ତାନ ସେନାର ଗୁଳି ମାଡ଼ରେ ପ୍ରାଣ ହରାଇଛନ୍ତି। ଏଠାରେ ଆଉ ଜଣ ସାଧାରଣ ଲୋକ ମଧ୍ୟ ଆହତ ହୋଇଥିବାର ଖବର ସାମ୍ନାକୁ ଆସିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/ADC_1746853721.jpg)