Advertisment

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ

ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
Manohar Joshi

Manohar Joshi

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକସଭାର ପୂର୍ବତନ ବାଚସ୍ପତି ମନୋହର ଯୋଶୀଙ୍କର ପରଲୋକ ହୋଇଯାଇଛି। ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। 

Advertisment

ହୃଦଘାତରେ ଶିକାର ହେବା ପରେ ମନୋହର ଯୋଶୀଙ୍କୁ ଗତ ୨୧ ତାରିଖରେ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଇସିୟୁରେ ଏକ ଡାକ୍ତରୀ ଟିମ୍‌ ତାଙ୍କ ଚିକିତ୍ସା କରୁଥିଲେ। ମାତ୍ର ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ଅବସ୍ଥା ସୁଧୁରିବା ପରିବର୍ତ୍ତେ ବିଗିଡ଼ିବାକୁ ଲାଗିଲା। ଆଉ ଆଜି ଭୋର ୩ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଆଜି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମନୋହର ଯୋଶୀଙ୍କ ମୃତଦେହକୁ ଅନ୍ତିମ ଦର୍ଶନ ନିମନ୍ତେ ତାଙ୍କ ବାସଭବନରେ ରଖାଯିବ । ଏହାପରେ ଏକ ଶୋଭାଯାତ୍ରାରେ ତାଙ୍କ ମୃତଦେହକୁ ଦାଦର ଶ୍ମଶାନ ଘାଟକୁ ନିଆଯିବ । ସେଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

Advertisment

ମନୋହର ଯୋଶୀ ଶିବସେନାର ଜଣେ ବରିଷ୍ଠ ନେତା ଥିଲେ। ସେ ଥିଲେ ଶିବସେନାର ପ୍ରତିଷ୍ଠାତା ସ୍ୱର୍ଗତ ବାଲାସାହେବ ଠାକରେଙ୍କ ଜଣେ ଘନିଷ୍ଠ ସହଯୋଗୀ। ୧୯୬୬ ମସିହାରେ ଦଳ ଗଠନ ହେବା ପରଠାରୁ ସେ ଏହା ସହିତ ଜଡ଼ିତ ଥିଲେ। ମନୋହର ଯୋଶୀ ୧୯୯୫ ରୁ ୧୯୯୯ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ। ସେ ହେଉଛନ୍ତି ଶିବସେନା ଦଳର ପ୍ରଥମ ନେତା ଯିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ମନୋହର ଯୋଶୀ ଲୋକସଭା ସାଂସଦ ମଧ୍ୟ ଥିଲେ। ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ସେ ଲୋକସଭା ବାଚସ୍ପତି ଥିଲେ।

୧୯୩୭ ଡିସେମ୍ବର ୨ ତାରିଖରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ନନ୍ଦବୀ ଗାଁରେ ମନୋହର ଯୋଶୀ ଜନ୍ମ ହୋଇଥିଲେ। ତାଙ୍କର ପୂରା ନାମ ଥିଲା ମନୋହର ଗଜାନନ ଯୋଶୀ । ପାଠ ପଢ଼ିବା ପାଇଁ ସେ ମୁମ୍ବାଇ ଆସିଥିଲେ। ପାଠପଢ଼ା ପରେ ମୁମ୍ବାଇ ନଗର ନିଗମରେ ଜଣେ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ। ସେବେଠୁ ସେ ମୁମ୍ବାଇରେ ହିଁ ରହି ଯାଇଥିଲେ।

Maharashtra Poltician Former CM