Advertisment

ଟ୍ରେନ ଟ୍ରାଜେଡି: ୩ ମାସ ତଳୁ ସିଗ୍ନାଲ ବ୍ୟବସ୍ଥାରେ ଗୁରୁତର ସମସ୍ୟା ଥିବା ଜାଣିଥିଲା ରେଳ ବାଇ

ଟ୍ରେନର ଟ୍ରାକ ପରିବର୍ତ୍ତନ କମ୍ପ୍ୟୁଟର ଦ୍ୱାରା ହୋଇଥାଏ। ଏହାକୁ ଇଣ୍ଟରଲକିଂ ବ୍ୟବସ୍ଥା ବୋଲି କୁହାଯାଏ। ତେବେ ଏହି ଇଣ୍ଟରଲକିଂ ସିଗ୍ନାଲ ବ୍ୟବସ୍ଥାରେ ଗୁରୁତର ସମସ୍ୟା ଥିବା ରେଳ ମନ୍ତ୍ରଣାଳୟ ୩ ମାସ ତଳକୁ ଜାଣିଥିଲା।

author-image
Hemant Lenka
Train accident

Train accident

ବୈଦ୍ୟୁତ ଇଣ୍ଟରଲକିଂ ବ୍ୟବସ୍ଥାରେ ତ୍ରୁଟି ହିଁ ବାଲେଶ୍ୱର ଭୟଙ୍କର ଟ୍ରେନ ଦୁର୍ଘଟଣାର ପ୍ରମୁଖ କାରଣ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରେଳବାଇ କେମିତି ଲୋକଙ୍କ ଜୀବନ ସହ ସବୁ ଜାଣି ବିପଦଜନକ ଖେଳ ଖେଳୁଥିଲା, ତା’ର ତଥ୍ୟ ସାମ୍ନାକୁ ଆସିଛି।

Advertisment

ଟ୍ରେନର ଟ୍ରାକ ପରିବର୍ତ୍ତନ କମ୍ପ୍ୟୁଟର ଦ୍ୱାରା ହୋଇଥାଏ। ଏହାକୁ ଇଣ୍ଟରଲକିଂ ବ୍ୟବସ୍ଥା ବୋଲି କୁହାଯାଏ। ତେବେ ଏହି ଇଣ୍ଟରଲକିଂ ସିଗ୍ନାଲ ବ୍ୟବସ୍ଥାରେ ଗୁରୁତର ସମସ୍ୟା ଥିବା ରେଳ ମନ୍ତ୍ରଣାଳୟ ୩ ମାସ ତଳକୁ ଜାଣିଥିଲା।

ଦକ୍ଷିଣ ପଶ୍ଚିମ ରେଳବାଇ ଜୋନ ୩ ମାସରୁ ବ୍ୟବସ୍ଥାରେ ଥିବା ଗୁରୁତର ସମସ୍ୟା ନେଇ ସତର୍କ କରାଇଥିଲା। ଜୋନର ପ୍ରିନ୍ସିପାଲ ମୁଖ୍ୟ ଅପରେଟିଂ ମ୍ୟାନେଜର ଚିଠି ଲେଖି ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ସେ ଫେବୃଆରୀ ମାସରେ ଇଣ୍ଟରଲକିଂ ବ୍ୟବସ୍ଥା ଫେଲ ମାରିବାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଓ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଥିବା କହିଥିଲେ। 

Advertisment

ଫେବୃଆରୀ ୯ରେ ପ୍ରିନ୍ସିପାଲ ମୁଖ୍ୟ ଅପରେଟିଂ ମ୍ୟାନେଜର ଗୋଟିଏ ଏକ୍ସପ୍ରେସ ଟ୍ରେନର ସିଗ୍ନାଲ ଫେଲ ସମ୍ପର୍କରେ ଚିଠି ଲେଖିଥିଲେ। ସିଗ୍ନାଲ ଫେଲ ହୋଇଥିଲେ ମଧ୍ୟ ଲୋକ ପାଇଲଟଙ୍କ ସତର୍କତା ଯୋଗୁ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥିଲା। ଫେବୃଆରୀ ୮ ତାରିଖ ସନ୍ଧ୍ୟା ୫.୪୫ରେ ଅପ ଟ୍ରେନ ନମ୍ବର-୧୨୬୪୯ ସମ୍ପର୍କ କ୍ରାନ୍ତୀ ଏକ୍ସପ୍ରେସ ରୋଡ ୧ରୁ ପେପର ଲାଇନ କ୍ଲିୟର ଟିକେଟ(ପିଏଲସିଟି) ସହ ଯାତ୍ରା ଆରମ୍ଭ କରିଥିଲା।

କିନ୍ତୁ ବ୍ଲକ ପ୍ରୁଭିଂ ଆକ୍ସେଲ କାଉଣ୍ଟର ବା ବିପିଏସି ତ୍ରୁଟି ଯୋଗୁ ପୂରା ବ୍ୟବସ୍ଥା ଅକାମୀ ହୋଇ ଯାଇଥିଲା। ତେବେ ଷ୍ଟାର୍ଟର ଭଲ ଭାବେ କାମ କରୁଥିବାରୁ ୫.୪୫ରେ ଯାତ୍ରା ଆରମ୍ଭ ହୋଇଥିଲା। କିନ୍ତୁ ଟ୍ରେନର ଲୋକ ପାଇଲଟ ଗାଡ଼ିଟିକୁ ପଏଣ୍ଟ ୬୫ ପୂର୍ବରୁ ଅଟକାଇ ଦେଇଥିଲେ। ଏହି ପଏଣ୍ଟରୁ ଟ୍ରେନଟି ଭୁଲ ଲାଇନରେ ଯାଉଥିବାରୁ ଲୋକ ପାଇଲଟ ଆଗକୁ ଗାଡ଼ି ନେଇ ନଥିଲେ। ପିଏଲସିଟି ଅନୁସାରେ ଗାଡ଼ିଟି ମୁଖ୍ୟ ଲାଇନ ଉପରେ ଯିବାର ଥିଲା। କିନ୍ତୁ ସିଗ୍ନାଲରେ ତ୍ରୁଟି ଯୋଗୁ ଏହା ଡାଉନ ମେନ୍‌ ଲାଇନ ଆଡ଼େ ଯାତ୍ରା କରିଥିଲା।

ଏହି ଘଟଣା ସ୍ପଷ୍ଟ କରୁଛି ଯେ ଇଣ୍ଟରଲକିଂ ବ୍ୟବସ୍ଥା ଦ୍ୱାରା ଦିଆଯାଉଥିବା ସିଗ୍ନାଲରେ ଗୁରୁତର ତ୍ରୁଟି ରହିଛି। ତେଣୁ ସିଗ୍ନାଲରେ ହୋଇଥିବା ତ୍ରୁଟି ପାଇଁ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିସହ କାର୍ଯ୍ୟକାରୀ ହେଉଥିବା ସିଗ୍ନାଲ ବ୍ୟବସ୍ଥାରେ ଥିବା ଗୁରୁତର ସମସ୍ୟାକୁ ତୁରନ୍ତ ସମାଧାନ ହେବା ଦରକାର ବୋଲି ପ୍ରିନ୍ସିପାଲ ମୁଖ୍ୟ ଅପରେଟିଂ ମ୍ୟାନେଜର ଚିଠି ଲେଖି ରେଳ ମନ୍ତ୍ରଣାଳୟକୁ ଜଣାଇଥିଲେ।

ଘଟଣା ପରେ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ନୂଆ ସିଗ୍ନାଲ ବ୍ୟବସ୍ଥାକୁ ଉପଯୁକ୍ତ ଶକ୍ଷିତ ଷ୍ଟେସନ ମାଷ୍ଟର, ଟିଆଇ ଓ ଟ୍ରାଫିକ ଅଫିସରମାନଙ୍କୁ ଦିଆଯାଉ। ସେହିପରି ଏହାକୁ ପରିଚାଳନା କରିବା ପାଇଁ ଉପଯୁକ୍ତ ତାଲିମ, ସୂଚନା ଓ ଅନ୍ୟ ସବୁ ପଦକ୍ଷେପ ନିଆଯାଉ। ଯଦି ତୁରନ୍ତ ପଦକ୍ଷେପ ନିଆ ନ ଯିବ, ତା’ହେଲେ ବଡ଼ବଡ଼ ଦୁର୍ଘଟଣାର ଆଶଙ୍କା ରହିଛି ବୋଲି ସେ ଚିଠିରେ କହିଥିଲେ।

ସେ ଫେବୃଆରୀ ମାସରୁ ଚିଠି ଲେଖିଥିଲେ ହେଁ ଏଯାଏ ସିଗ୍ନାଲ ବ୍ୟବସ୍ଥାରେ ରହୁଥିବା ତ୍ରୁଟିକୁ ସମାଧାନ କରାଯାଇ ନଥିବା ଜଣାପଡ଼ିଛି।

Odisha Balasore Train Accident Train Tragedy