Advertisment

ଭୋଟ୍ ପୂର୍ବରୁ ଆପ୍‌କୁ ଧକ୍କା, ଦଳ ଛାଡ଼ିଲେ ୭ ବିଧାୟକ

ଇସ୍ତଫା ଦେଇଥିବା ୭ ବିଧାୟକଙ୍କୁ ଏଥର ଟିକେଟ ଦେଇ ନଥିଲା ଆପ୍‌।

Aravinda Kejriwal

Aravinda Kejriwal

Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍‌ ଓ ଏହାର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଲାଗିଛି ବଡ଼ ଝଟକା। ଆସନ୍ତା ୫ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଶୁକ୍ରବାର ଦଳରୁ ଇସ୍ତଫା ଦେଇଛନ୍ତି ୭ ଜଣ ବିଧାୟକ। ସେମାନେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

Advertisment

ଆପ୍‌ରୁ ଇସ୍ତଫା ଦେଇଥିବା ବିଧାୟକମାନେ ହେଉଛନ୍ତି- ନରେଶ ଯାଦବ (ମେହରୌଲି), ରୋହିତ କୁମାର ମେହରୌଲିଆ (ତ୍ରିଲୋକପୁରୀ), ରାଜେଶ ଋଷି (ଜନକପୁରୀ), ମଦନ ଲାଲ (କସ୍ତୁରବା ନଗର), ପବନ ଶର୍ମା (ଆଦର୍ଶ ନଗର), ଭାବନା ଗୌଡ଼ (ପଲାମ) ଓ ବିଏସ୍‌ ଜୁନ (ବିଜବାସନ)। ଏମାନଙ୍କ ମଧ୍ୟରୁ ବିଏସ୍‌ ଜୁନ୍ ପ୍ରଥମେ ତାଙ୍କ ଇସ୍ତଫାପତ୍ର ପଠାଇଥିଲେ। ଏହି ବିଧାୟକଙ୍କ ମଧ୍ୟରୁ କାହାକୁ ଆପ୍ ଚଳିତ ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦେଇ ନାହିଁ।

ଭାବନା ଗୌଡ଼ ଓ ମଦନ ଲାଲ ପୃଥକ ପୃଥକ ଭାବେ ଇସ୍ତଫାପତ୍ର ପଠାଇଥିବା ବେଳେ ଦଳ ଓ ଅରବିନ୍ଦ କେଜ୍ରିୱାଲଙ୍କ ଉପରୁ ସେମାନଙ୍କ ଭରସା ଉଠିଯାଇଥିବା ଉଲ୍ଲେଖ କରିଥିଲେ।

Advertisment

ନରେଶ ଯାଦବ ୨୦୧୫ ଓ ୨୦୨୦ରେ ମେହରୌଲି ଆସନରୁ ବିଜୟୀ ହୋଇଥିଲେ। କିନ୍ତୁ କୋରାନକୁ ଅସମ୍ମାନ କରିବା ମାମଲାରେ ପଞ୍ଜାବର ଏକ କୋର୍ଟ ତାଙ୍କୁ ଗତ ବର୍ଷ ଡିସେମ୍ବର ମାସରେ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ଯେତେବେଳେ ଆପ୍ ତା’ର ୫ମ ପ୍ରାର୍ଥୀ ତାଲିକା ପ୍ରକାଶ କଲା, ସେଥିରେ ମେହରୌଲି ଆସନ ପାଇଁ ମହେନ୍ଦ୍ର ଚୌଧୁରୀ ପ୍ରାର୍ଥୀ ବୋଲି ଉଲ୍ଲେଖ ରହିଥିଲା। ନରେଶ ଯାଦବଙ୍କୁ ଦଳ ଟିକେଟ୍ ଦେଇ ନଥିଲା।

ନରେଶ ଯାଦବ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ ଆପ୍ ଗଠନ ହେବା ବେଳେ ଯେଉଁ ଆଦର୍ଶ ରାଜନୀତି କଥା କୁହାଯାଇଥିଲା, ତାହା ଆଉ ଦଳରେ ନାହିଁ। ଏବେ ଦଳ ଦୁର୍ନୀତିରେ ବୁଡ଼ି ରହିଛି।

ସେହିଭଳି ଆପ୍‌ରୁ ଇସ୍ତଫା ଦେଇଥିବା ଜନକପୁରୀ ବିଧାୟକ ରାଜେଶ ଋଷି କହିଛନ୍ତି ଯେ ଦଳ ତା’ର ମୂଳ ମୂଲ୍ୟବୋଧରୁ ସଂପର୍କ ତୁଟାଇ ସାରିଛି। ଦଳ ଗଠନ ବେଳେ ଦୁର୍ନୀତି ମୁକ୍ତ ତଥା ସ୍ୱଚ୍ଛ ଶାସନର ଯେଉଁ ସ୍ଲୋଗାନ ଦିଆଯାଇଥିଲା, ଦଳ ତାକୁ ଭୁଲି ଯାଇଛି। ଦଳ ଏବେ ପକ୍ଷପାତିତା ଓ ଦୁର୍ନୀତିରେ ବୁଡ଼ି ରହିଛି ବୋଲି ସେ କହିଛନ୍ତି।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଫେବ୍ରୁଆରୀ ୫ ତାରିଖରେ ଭୋଟ୍ ହେବାକୁ ଥିବା ବେଳେ ୮ ତାରିଖରେ ଆସିବ ଫଳାଫଳ।

AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe