/odisha-reporter/media/post_attachments/uploadimage/library/16_9/16_9_0/Accident_1747557152.jpg)
Accident
ହାଇଦ୍ରାବାଦର ଐତିହାସିକ ସ୍ମାରକ ‘ଚାରମୀନାର’ ନିକଟରେ ଏକ କୋଠାରେ ନିଆଁ ଲାଗି ଯିବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୮ ଜଣ ଶିଶୁ ଅଛନ୍ତି।
ମୃତକମାନେ ହେଉଛନ୍ତି, ପ୍ରହଲ୍ଲାଦ (୭୦), ମୁନ୍ନି (୭୦), ରାଜେନ୍ଦ୍ର (୬୫), ସୁମିତ୍ରା (୬୦), ହମେୟ (୭), ଅଭିଷେକ, (୩୧), ଶୀତଲ (୩୫), ପ୍ରିୟାଂଶ (୪), ଇରାଜ (୨), ଆରୁଷି (୩), ଋଷବ (୪), ପ୍ରଥମ (୧), ଅନୁୟାନ (୩), ବର୍ଷା (୩୫), ପଙ୍କଜ (୩୬), ରଜନୀ (୩୨) ଓ ଇଦ୍ଦୁ (୪)।
ଆଜି ସକାଳ ସାଢ଼େ ୫ଟାରୁ ୬ଟା ମଧ୍ୟରେ ଏହି କୋଠାରେ ନିଆଁ ଲାଗିଥିଲା। ଏହି କୋଠାରେ ଉଭୟ ଦୋକାନ ଓ ଆବାସିକ ଘର ରହିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ନିଆଁ ବହୁମାତ୍ରାରେ ବ୍ୟାପୀ ଯାଇଥିଲା। ମୋଟ ୧୧ଟି ଦମକଳକୁ ନିଆଁ ଲିଭାଇବା କାର୍ଯ୍ୟରେ ଲଗାଯାଇଥିଲା। ଅଗ୍ନିଶମ ବାହିନୀ ୧୭ ଜଣଙ୍କୁ ସେହି କୋଠାରୁ ଉଦ୍ଧାର କରିଥିଲା। ସେମାନଙ୍କ ମଧ୍ୟରୁ ଯେଉଁମାନେ ଆହତ ହୋଇଛନ୍ତି, ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ତେଲଙ୍ଗାନାର ଡିଜାଷ୍ଟର ରେସ୍ପନ୍ସ ଓ ଫାୟାର ସର୍ଭିସ ମହାନିର୍ଦ୍ଦେଶକ ୱାଇ ନେଗୀ ରେଡ୍ଡୀ କହିଛନ୍ତି, ନିଆଁ ଏହି କୋଠାରେ ଥିବା କୃଷ୍ଣ ପର୍ଲସ ନାମକ ଏକ ମୋତି ଦୋକାନରୁ ବ୍ୟାପୀ ଥିଲା। ନିଆଁ ବହୁତ ଶୀଘ୍ର ଉପର ମହଲାଙ୍କୁ ବ୍ୟାପୀ ଯାଇଥିଲା। ଉପର ମହଲାରେ ଆବାସିକ ଘରଗୁଡ଼ିକ ରହିଛି। ଶର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଛି।
ଅନ୍ୟପକ୍ଷରେ ଘଟଣାସ୍ଥଳକୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ଜି କୃଷ୍ଣ ରେଡ୍ଡୀ କହିଥିଲେ, ଏହି ଘଟଣା ପାଇଁ ମୁଁ କାହାକୁ ଦୋଷ ଦେଉ ନାହିଁ। କିନ୍ତୁ ହାଇଦ୍ରାବାଦ ଭଳି ଏକ ବିକାଶଶୀଳ ସହରରେ ପୁଲିସ, ମ୍ୟୁନିସିପାଲିଟି, ଅଗ୍ନିଶମ ବାହିନୀ ଓ ବିଦ୍ୟୁତ୍ ବିଭାଗଗୁଡ଼ିକ ଆହୁରି ଦୃଢ଼ ହେବା ଉଚିତ।
ଘଟଣାସ୍ଥଳରେ ତେଲଙ୍ଗାନା ମନ୍ତ୍ରୀ ପି ପ୍ରଭାକର ପହଞ୍ଚିଥିଲେ। ସେ ସେଠାରେ ଉପସ୍ଥିତ ରହି ଉଦ୍ଧାରକାର୍ଯ୍ୟ ଉପରେ ନଜର ରଖିଥିଲେ। ସେ କହିଥିଲେ, ସକାଳ ପ୍ରାୟ ୬ଟା ବେଳେ ନିଆଁ ଲାଗିଥିଲା। ୬ଟା ୧୭ ସୁଦ୍ଧା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ସେମାନେ ସମସ୍ତଙ୍କୁ ବଞ୍ଚାଇବାକୁ ପାରୁ ପର୍ଯ୍ୟନ୍ତ ପ୍ରୟାସ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ନିଆଁ ବହୁତ ଜୋରରେ ବ୍ୟାପୀ ସାରିଥିଲା। ତେଣୁ ଏହି କୋଠାରେ ବସବାସ କରୁଥିବା ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟିଛି।
ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏହା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ମୃତକଙ୍କ ପରିବାର ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ସେହିପରି ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ସେ ଘୋଷଣା କରିଛନ୍ତି।
ମୃତକଙ୍କ ପରିବାର ଲୋକଙ୍କ ସହିତ ଫୋନ୍ରେ କଥା ହୋଇଛନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ। ଏହି ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିବାକୁ ସେ ମନ୍ତ୍ରୀ ପି ପ୍ରଭାକରଙ୍କୁ ଦାୟିତ୍ୱ ଦେଇଛନ୍ତି। ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଗ୍ୟାସ ଚାମ୍ବରରେ ପରିଣତ ହୋଇଥିଲା ପୂରା କୋଠା
ଗ୍ରୀଷ୍ମ ଛୁଟି ଥିବାରୁ ଏହି ପରିବାରରେ ବନ୍ଧୁବାନ୍ଧବ ଏକାଠି ହୋଇଥିଲେ। ଘରର ୪ ଜଣ ଝିଅ ସେମାନଙ୍କ ଛୁଆପିଲା ଧରି ଆସିଥିଲେ। ଯେତେବେଳେ ରବିବାର ସକାଳେ ନିଆଁ ଲାଗିଲା, ସେତେବେଳେ ସେମାନେ ଘରୁ ବାହାରିବା ପାଇଁ ରାସ୍ତା ପାଇ ନଥିଲେ। ଏହି କୋଠାରେ କେବଳ ଗୋଟିଏ ପ୍ରବେଶ ଦ୍ୱାର ରହିଛି। ଝରକାଗୁଡ଼ିକ ବନ୍ଦ ଥିଲା। ଏସି ଲାଗିଥିବା ଯୋଗୁ ଝରକାଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା ବୋଲି ଅନୁମାନ କରାଯାଉଛି। ଧୂଆଁ ଯିବାକୁ କୌଣସି ବାଟ ନଥିବାରୁ ପୂରା କୋଠାଟି ଏକ ଗ୍ୟାସ ଚାମ୍ବରରେ ପରିଣତ ହୋଇଯାଇଥିଲା। ସେଥିପାଇଁ କେଇ ମିନିଟ ମଧ୍ୟରେ ସମସ୍ତେ ଅଚେତ ହୋଇଯାଇଥିଲେ। ସମସ୍ତେ ଅଣନିଃଶ୍ୱାସୀ ହୋଇ ପ୍ରାଣ ହରାଇଛନ୍ତି। କାହାରି ଶରୀରରେ ଜଳାପୋଡ଼ା ଦାଗ ନାହିଁ।
ଘରର ପ୍ରବେଶ ଦ୍ୱାରଟି ଅତି ସଂକୀର୍ଣ୍ଣ ହୋଇଥିବାରୁ ଏତେ ସଂଖ୍ୟାରେ ମୃତ୍ୟୁ ଘଟିଲା ବୋଲି କହିଛି ପୁଲିସ। ଘର ଭିତରକୁ ପଶିବା ପାଇଁ ଦମକଳ ବାହିନୀକୁ ଗୋଟିଏ ସ୍ଥାନ ଭାଙ୍ଗି ବାଟ ତିଆରି କରିବାକୁ ପଡ଼ିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
