Advertisment

ଶକ୍ତିକାନ୍ତ ଦାସଙ୍କୁ ନୂଆ ନିଯୁକ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଭାବେ କରିବେ କାମ

୨୦୧୮ ଡିସେମ୍ବର ମାସରେ ସେ ଆରବିଆଇର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିବା ବେଳେ ଗତ ବର୍ଷ ଡିସେମ୍ବର ମାସରେ ଅବସର ନେଇଥିଲେ।

author-image
Jitendra Garnayak
Shaktikanta Das

Shaktikanta Das

ଓଡ଼ିଆ ପୁଅ ତଥା ଆର୍‌ବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଛି ନୂଆ ନିଯୁକ୍ତି। ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଭାବେ ନିଯୁକ୍ତି ଦିଆଯାଇଛି। କ୍ୟାବିନେଟ୍‌ର ନିଯୁକ୍ତି କମିଟି ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେବାକୁ ଅନୁମତି ଦେଇଛନ୍ତି।

Advertisment

ଶକ୍ତିକାନ୍ତ ଦାସ ହେଉଛନ୍ତି ୧୯୮୦ ବ୍ୟାଚ୍‌ର ତାମିଲନାଡୁ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ୍ ଅଫିସର। ଆଇଏଏସ୍ ଚାକିରିରୁ ଅବସର ନେବା ପରେ ସେ ଆରବିଆଇର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ। ୨୦୧୮ ଡିସେମ୍ବର ମାସରେ ସେ ଆରବିଆଇର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିବା ବେଳେ ଗତ ବର୍ଷ ଡିସେମ୍ବର ମାସରେ ଅବସର ନେଇଥିଲେ।

ଅନ୍ୟ ଜଣେ ଓଡ଼ିଆ ପୁଅ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପି.କେ ମିଶ୍ର ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଅଛନ୍ତି। ଶକ୍ତିକାନ୍ତ ଦାସ ତାଙ୍କ ସହିତ ଦ୍ୱିତୀୟ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇବେ।

Advertisment

ଶକ୍ତିକାନ୍ତ ଦାସ ଉଭୟ ତାମିଲନାଡୁରେ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ବିଭିନ୍ନ ବିଭାଗରେ ଦାୟିତ୍ୱ ନିର୍ବାହ କରିଛନ୍ତି। ୨୦୧୫ରୁ ୨୦୧୭ ମସିହା ଯାଏ ସେ କେନ୍ଦ୍ରରେ ଅର୍ଥନୀତିକ ବ୍ୟାପାର ସଚିବ ଦାୟିତ୍ୱ ତୁଲାଇଥିଲେ। ୨୦୧୭ରୁ ୨୦୧୮ ପର୍ଯ୍ୟନ୍ତ ସେ ଅର୍ଥ କମିଶନ୍‌ର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ୨୦୧୪ ଜୁନ୍‌ ୧୬ରୁ ୨୦୧୫ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସେ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ରାଜସ୍ୱ ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ। ୨୦୧୩ରୁ ୨୦୧୪ ପର୍ଯ୍ୟନ୍ତ ସେ କେନ୍ଦ୍ର ସରକାରଙ୍କ ଫର୍ଟିଲାଇଜର ବିଭାଗର ସଚିବ ଥିଲେ। ସେ ଭାରତ ପକ୍ଷରୁ ଜି-୨୦ ସମ୍ମିଳନୀରେ ଶେର୍‌ପା ଭାବେ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ।

ଶକ୍ତିକାନ୍ତଙ୍କ ଘର ଓଡ଼ିଶାର ଭୁବନେଶ୍ୱର ସହରରେ। ୧୯୫୭ ମସିହା ଫେବୃଆରୀ ୨୬ରେ ଜନ୍ମଗ୍ରହଣ କରିଥିଲେ ଶକ୍ତିକାନ୍ତ। ସେ ଭୁବନେଶ୍ୱରର ଡିଏମ୍‌ ସ୍କୁଲରେ ପାଠ ପଢ଼ିଥିଲେ। ପରେ ଦିଲ୍ଲୀର ଷ୍ଟିଫେନସ୍‌ କଲେଜରେ ଇତିହାସରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେ ୨୫ତମ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଛନ୍ତି।

Shaktikant Das