Advertisment

ଆଗକୁ ବିଧାନସଭା ନିର୍ବାଚନ, ଆସନ ଭାଗବଣ୍ଟା ପୂର୍ବରୁ ବଡ଼ ସଙ୍କେତ ଦେଲେ ଶରଦ

ଲୋକସଭାରେ କମ୍‌ ଆସନରେ ଲଢ଼ି ଥିଲୁ କିନ୍ତୁ ବିଧାନସଭାରେ ଭିନ୍ନ ସ୍ଥିତି ଦେଖିବାକୁ ମିଳିବ ବୋଲି ଶରଦ ବଡ଼ ସଂକେତ ଦେଇଛନ୍ତି।

author-image
Madhupriya Mistry
sharad-pawar

sharad-pawar

ଆଉ ମାସ କେଇଟା ପରେ ହେବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଏହା ପୂର୍ବରୁ ମହା ବିକାଶ ଅଘାଡି ମେଣ୍ଟରେ ଫାଟ ସୃଷ୍ଟି ହେବା ସମ୍ଭାବନା ରହିଛି। ଲୋକସଭା ନିର୍ବାଚନ ପୂର୍ବରୁ ସମସ୍ତ ଦଳ ଆପୋଷ ବୁଝାମଣା କରିବାକୁ ପ୍ରସ୍ତୁତ ଥିଲେ ଏବଂ ଆସନ ବଣ୍ଟା ପ୍ରସଙ୍ଗ ସହଜରେ ସମାଧାନ ହୋଇଥିଲା।

Advertisment

ଲୋକସଭା ନିର୍ବାଚନରେ ୨୦୨୪ ରେ ମହା ବିକାଶ ଅଘାଡି ମେଣ୍ଟ ଭଲ ପ୍ରଦର୍ଶନ କରିଥିଲା। ତେବେ ଏହି ନିର୍ବାଚନରେ ​​ମିଳିଥିବା ଆତ୍ମବିଶ୍ୱାସ ଏବେ ମେଣ୍ଟ ପାଇଁ ଆତ୍ମଘାତି ପ୍ରମାଣିତ ହୋଇପାରେ। କାରଣ ସମସ୍ତ ଦଳ ଏବେ ଯଥାସମ୍ଭବ ଆସନରେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ଏଭଳି ପରିସ୍ଥିତିରେ ଅଘାଡି ମେଣ୍ଟରେ ସିଟ୍ ବଣ୍ଟାକୁ ନେଇ ବିବାଦ ସୃଷ୍ଟି ହେଉଥିବା ଜଣାପଡିଛି।

ଲୋକସଭା ନିର୍ବାଚନରେ ମହାବିକାଶ ଅଘାଡି ଦମଦାର ପ୍ରଦର୍ଶନ କରିଥିବା ବେଳେ ବିଧାନସଭା ନିର୍ବାଚନ ପୂର୍ବରୁ ମହାବିକାଶ ଅଘାଡି ମେଣ୍ଟ ସହ ଜଡିତ ଥିବା ଶରଦ ପାୱାରଙ୍କ ଗୋଷ୍ଠୀ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଲୋକସଭା ନିର୍ବାଚନ ଭଳି ବିଧାନସଭା ନିର୍ବାଚନରେ ଦଳ କମ୍‌ ଆସନରେ ଲଢିବନି ବୋଲି ସ୍ପଷ୍ଟ କରିଛି।

Advertisment

ଲୋକସଭା ନିର୍ବାଚନ ସମୟରେ ମହାବିକାଶ ଅଘାଡିର ସହଯୋଗୀ ଦଳ ତୁଳନାରେ ଶରଦ ପାୱାରଙ୍କ ଗୋଷ୍ଠୀ କମ୍‌ ଆସନରେ ଲଢିବାକୁ ସହମତ ହୋଇଥିଲା। କିନ୍ତୁ ବିଧାନସଭା ନିର୍ବାଚନରେ ସ୍ଥିତି ଅଲଗା ହେବ ବୋଲି ଏନସିପି(ଶରଦ ପାଓ୍ୱାର) ଗୋଷ୍ଠୀ ପକ୍ଷରୁ କୁହାଯାଇଛି।

ଶୁକ୍ରବାର ପୁଣେରେ ଦଳୀୟ କର୍ମୀ, ନେତା, ସାଂସଦ ଓ ବିଧାୟକଙ୍କୁ ନେଇ ବୈଠକ କରିଥିଲେ ଶରଦ ପାୱାର। ବୈଠକରେ ସାମିଲ ଥିବା ନେତା କହିବା ଅନୁଯାୟୀ, ଶିବସେନା (ଉଦ୍ଧବ ଗୋଷ୍ଠୀ) ଓ କଂଗ୍ରେସ ସହ ମେଣ୍ଟ ବଜାୟ ରଖିବାକୁ ଲୋକସଭାରେ କମ୍‌ ଆସନରେ ନିର୍ବାଚନ ଲଢିବାକୁ ଦଳ ସହମତ ହୋଇଥିଲା ବୋଲି ଶରଦ ପାୱାର କହିଛନ୍ତି। କିନ୍ତୁ ବିଧାନସଭାରେ ଭିନ୍ନ ସ୍ଥିତି ଦେଖିବାକୁ ମିଳିବ ବୋଲି ଶରଦ ବଡ଼ ସଂକେତ ଦେଇଛନ୍ତି।

ସେହିଭଳି ଦଳର ସମସ୍ତ ସାଂସଦ ଓ ବିଧାୟକଙ୍କୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି ଶରଦ। ତେବେ ଦଳ କେତୋଟି ଆସନରେ ନିର୍ବାଚନ ଲଢିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ସେହିଭଳି ଦଳର ବରିଷ୍ଠ ନେତା ଅନିଲ ଦେଶମୁଖ କହିଛନ୍ତି, ମହାବିକାଶ ଅଘାଡିରେ କେହି ବଡ଼ କି ଛୋଟ ନୁହନ୍ତି ବରଂ ସମସ୍ତେ ସମାନ।

ଚଳିତ ଲୋକସଭା ନିର୍ବାଚନରେ ଶରଦ ପାୱାରଙ୍କ ଦଳ ୧୦ଟି ଆସନରୁ ୮ଟିରେ ବିଜୟୀ ହୋଇଛନ୍ତି। ସେହିପରି ଅଜିତ ପାଓ୍ୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ୪ଟି ଆସନରେ ନିର୍ବାଚନ ଲଢ଼ିଥିଲା। ଏଥିରୁ ଗୋଟିଏରେ ବିଜୟୀ ହୋଇପାରନ୍ତି।

Maharashtra Sharad Pawar MVA Assembly Election