Advertisment

ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ‘ଘଣ୍ଟା’! ସୁପ୍ରିମକୋର୍ଟ ଗଲେ ଶରଦ ପାୱାର

ଅକ୍ଟୋବର ୧୫ ତାରିଖରେ ସୁପ୍ରିମକୋର୍ଟ ଶରଦ ପାୱାରଙ୍କ ଏହି ଆବେଦନ ଉପରେ ଶୁଣାଣି କରିପାରନ୍ତି ବୋଲି ଆଶା କରାଯାଉଛି।

author-image
Jitendra Garnayak
sharad-pawar

Sharad Pawar

ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ନ୍ୟାସନାଲ କଂଗ୍ରେସ ପାର୍ଟି (NCP)କୁ ‘ଘଣ୍ଟା’ ଚିହ୍ନ ବ୍ୟବହାର କରିବାକୁ ନଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଶରଦ ପାୱାର। ନିର୍ବାଚନରେ ସ୍ୱଚ୍ଛତା ଓ ସ୍ପଷ୍ଟତା ଉପରେ ଗୁରୁତ୍ୱ ଦେଇ ସେ ଏହି ଆବେଦନ କରିଛନ୍ତି।

Advertisment

ଶରଦ ପାୱାର ଯୁକ୍ତି ଦର୍ଶାଇଛନ୍ତି ଯେ, ଭୋଟରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଏଡ଼ାଇବାକୁ ଅଜିତ ପାୱାର ଏକ ନୂତନ ନିର୍ବାଚନୀ ଚିହ୍ନ ପାଇଁ ଆବେଦନ କରିବା ଉଚିତ। ନିର୍ବାଚନରେ ତାଙ୍କୁ ‘ଘଣ୍ଟା’ ଚିହ୍ନ ବ୍ୟବହାର କରିବାକୁ ଅନୁମତି ଦେବା ଅର୍ଥ ଭୋଟରମାନଙ୍କୁ ଦ୍ୱନ୍ଦ୍ୱରେ ପକାଇବା ଓ ନିର୍ବାଚନର ସ୍ୱଚ୍ଛତା ନଷ୍ଟ କରିବା।

ଗତ ଲୋକସଭା ନିର୍ବାଚନ ବେଳେ ଭୋଟରମାନେ ‘ଘଣ୍ଟା’ ଚିହ୍ନକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଥିବା ଲକ୍ଷ୍ୟ କରାଯାଇଥିଲା ବୋଲି ଶରଦ ପାୱାର ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ ମଧ୍ୟ ଭୋଟରଙ୍କ ମଧ୍ୟରେ ଏହି ଦ୍ୱନ୍ଦ୍ୱ ବଳବତ୍ତର ରହିବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ତେଣୁ ଅଜିତ ପାୱାରଙ୍କ ଦଳକୁ ଘଣ୍ଟା ଚିହ୍ନ ବ୍ୟବହାର କରିବାକୁ ଅନୁମତି ନଦେବାକୁ ସେ ଦାବି କରିଛନ୍ତି।

Advertisment

ଅକ୍ଟୋବର ୧୫ ତାରିଖରେ ସୁପ୍ରିମକୋର୍ଟ ଶରଦ ପାୱାରଙ୍କ ଏହି ଆବେଦନ ଉପରେ ଶୁଣାଣି କରିପାରନ୍ତି ବୋଲି ଆଶା କରାଯାଉଛି। 

୧୯୯୯ରେ କଂଗ୍ରେସଠାରୁ ଅଲଗା ହେବା ପରେ ଏନ୍‌ସିପି ଗଠନ କରିଥିଲେ ଶରଦ ପାୱାର। ସେହିଦିନଠାରୁ ଏନ୍‌ସିପିର ଚିହ୍ନ ଘଣ୍ଟା ରହିଆସିଛି। ତେବେ ଏନ୍‌ସିପି ଭାଙ୍ଗିଯିବା ପରେ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ପାଲଟି ଯାଇଥିଲା ପ୍ରକୃତ ଏନ୍‌ସିସି ଓ ତା’ସହିତ ଘଣ୍ଟା ଚିହ୍ନ ବ୍ୟବହାର କରିବାକୁ ତାଙ୍କୁ ମିଳିଥିଲା ଅନୁମତି।

ଯେହେତୁ ଗତ ୨୫ ବର୍ଷ ଧରି ଭୋଟର ଘଣ୍ଟା ଚିହ୍ନ ଶରଦ ପାୱାରଙ୍କର ବୋଲି ଜାଣିଛନ୍ତି, ତେଣୁ ତାଙ୍କ ନାଁରେ ଭୋଟ୍‌ ଅଜିତ ପାୱାରଙ୍କ ଦଳକୁ ଚାଲିଯିବ ବୋଲି ଶରଦ ପାୱାର ଓ ତାଙ୍କ ଗୋଷ୍ଠୀ ଆଶଙ୍କା କରୁଛନ୍ତି। ସେଥିପାଇଁ ଶରଦ ପାୱାର ସୁପ୍ରିମକୋର୍ଟରେ ଅଜିତ ପାୱାରଙ୍କ ଦଳକୁ ‘ଘଣ୍ଟା’ ଚିହ୍ନ ବ୍ୟବହାର କରିବାରୁ ନିବୃତ୍ତ ରଖିବାକୁ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ଶରଦ ପାୱାରଙ୍କ ଗୋଷ୍ଠୀକୁ ନିର୍ବାଚନୀ ଚିହ୍ନ ଭାବେ ଜଣେ ବ୍ୟକ୍ତି ତୂରୀ ବଜାଉଥିବାର ଚିତ୍ର ଦିଆଯାଇଛି। ଏହି ଚିହ୍ନରେ ଦଳ ଗତ ଲୋକସଭା ନିର୍ବାଚନ ଲଢ଼ିଥିଲା। 

Sharad Pawar NCP