Advertisment

ଏନସିପି ସଭାପତି ପଦରୁ ହଠାତ୍‌ ଇସ୍ତଫା ଦେଲେ ଶରଦ ପାୱାର

ଏବେ ଏନସିପିର କିଛି ବିଧାୟକ ଅଜିତ ପାୱାରଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ସରକାର ଆଡ଼କୁ ଢଳୁ ଥିବା ଚର୍ଚ୍ଚା ହେଉଛି।

author-image
Hemant Lenka
ଅଦ୍ୟତନ ହୋଇଛି
Sharad Pawar

Sharad Pawar

ଦେଶର ବରିଷ୍ଠ ରାଜନେତା ତଥା ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି)ର ସଭାପତି ପଦରୁ ହଠାତ୍‌ ଇସ୍ତଫା ଦେଇଛନ୍ତି ଶରଦ ପାୱାର। ଦେଶର ଜଣେ ବରିଷ୍ଠ ବିରୋଧୀ ଦଳର ନେତା ଭାବେ ପରିଚିତ ଶରଦ ପାୱାର ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନସିପିକୁ ଏକାଠି କରି ସରକାର ଗଠନ କରିଥିଲେ। ଅବଶ୍ୟ ପରବର୍ତ୍ତୀ ଅବସ୍ଥାରେ ମହା ବିକାଶ ଅଘାଡ଼ି ସରକାର ଭୁଶୁଡ଼ି ପଡ଼ିଛି। ତଥାପି ଶରଦ ପାୱାର ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। 

Advertisment

ଆଜି ଏକ କାର୍ଯ୍ୟକ୍ରମରେ ଶରଦ ପାୱାର ସଭାପତି ଛାଡ଼ିବା ନେଇ ଘୋଷଣା କରିଛନ୍ତି। ତେବେ ଏପରି ନିଷ୍ପତ୍ତି ଅପ୍ରତ୍ୟାଶିତ ଥିବାରୁ ତାଙ୍କ ସମର୍ଥକ ଓ ବରିଷ୍ଠ ନେତାମାନେ ସହଜରେ ଏହାକୁ ଗ୍ରହଣ କରିପାରି ନାହାନ୍ତି। ଇସ୍ତଫା ସମ୍ପର୍କରେ ଘୋଷଣା କରିବା ମାତ୍ରେ ପାୱାରଙ୍କ ସମର୍ଥକମାନେ ତାଙ୍କୁ ଘେରି ଯାଇଥିଲେ। ସେମାନେ ତାଙ୍କ ଆଗରେ କାନ୍ଦିବା ସହ ହାତ ଯୋଡ଼ି ନିଷ୍ପତ୍ତି ବଦଳାଇବାକୁ ଅନୁରୋଧ କରିଥିଲେ। ତଥାପି ଶରଦ ପାୱାର ସେମାନଙ୍କ କଥା ଶୁଣି ନାହାନ୍ତି। ସେ ତାଙ୍କ ଇସ୍ତଫା ନିଷ୍ପତ୍ତରେ କାଏମ ରହିଛନ୍ତି। 

ଏବେ ଏନସିପିର କିଛି ବିଧାୟକ ଅଜିତ ପାୱାରଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ସରକାର ଆଡ଼କୁ ଢଳୁ ଥିବା ଚର୍ଚ୍ଚା ହେଉଛି। ତେବେ ଏହାକୁ ଏନସିପି ସୁପ୍ରିମୋ ଭାବେ ଶରଦ ପାୱାର ଖଣ୍ଡନ କରି ଚାଲିଥିଲେ। କିନ୍ତୁ ଏବେ ସେ ହଠାତ୍‌ ସୁପ୍ରିମୋ ପଦରୁ ଇସ୍ତଫା ଦେବା ନୂଆ ରାଜନୀତିକ ସମୀକରଣ ସୃଷ୍ଟି ହୋଇଛି।

Advertisment

ସମ୍ଭବତଃ ଏନସିପି ସବୁ କଳ୍ପନାଜଳ୍ପନାର ଅନ୍ତଘଟାଇ ବିଜେପି ସହ ହାତ ମିଳାଇ ପାରେ। ଏହାପୂର୍ବରୁ ଇସ୍ତଫା ଦେଇ ଶରଦ ପାୱାର ନିଜ ମୁଣ୍ଡରୁ ସବୁ ଦାୟିତ୍ୱ କାଢ଼ି ଦେବା ମୁଡରେ ଥିବା କୁହାଯାଉଛି।

ସେହିପରି କିଛି ଦିନ ତଳେ ଏନସିପି ସାଂସଦ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ମଧ୍ୟ ମହାରାଷ୍ଟ୍ର ଓ ଦିଲ୍ଲୀରେ ରାଜନୀତିକ ବିସ୍ଫୋରଣ ହେବ ବୋଲି କହିଥିଲେ। ଏହାର ଅର୍ଥ ସେ ପରୋକ୍ଷରେ ଏନସିପିର ନୂଆ ଆଭିମୁଖ୍ୟ ଉପରେ ସଙ୍କେତ ଦେଇଥିବା ମଧ୍ୟ କିଛି ରାଜନୀତିକ ପଣ୍ଡିତମାନେ ମତ ରଖିଛନ୍ତି। ହେଲେ ଏନସିପି ପକ୍ଷରୁ ଏଯାଏ କିଛି ବି ବୟାନ ଜାରି କରାଯାଇନି। ସେହିପରି ଶରଦ ପାୱାରଙ୍କ ପରେ ଏନସିପି କମାଣ କିଏ ସମ୍ଭାଳିବେ, ତା’କୁ ନେଇ ମଧ୍ୟ କିଛି ବି କୁହାଯାଇନି। ସମ୍ଭବତଃ ତାଙ୍କ ପୁତୁରା ଅଜିତ ପାୱାର ଏନସିପିର କମାଣ ସମ୍ଭାଳିବେ ବୋଲି କୁହାଯାଉଛି। 

Sharad Pawar NCP