Advertisment

ମୁହଁ ଖୋଲିଲେ ଅଜିତ ପାୱାର, କହିଲେ- ନିଜ ନିଷ୍ପତ୍ତିର ପୁନଃ ବିଚାର କରିବେ ଶରଦ ପାୱାର

ଗତକାଲି ହଠାତ୍‌ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି) ସଭାପତି ପଦରୁ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିବା ଶରଦ ପାୱାର ଏହା ଉପରେ ପୁନଃ ବିଚାର କରିବାକୁ ରାଜି ହୋଇଛନ୍ତି। ତେବେ ଏଥିନିମନ୍ତେ ସେ ୨,୩ ଦିନ ସମୟ ମାଗିଛନ୍ତି।

author-image
Niharika Rout
Ajit Pawar & Sharad Pawar

Ajit Pawar & Sharad Pawar

ଗତକାଲି ହଠାତ୍‌ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି) ସଭାପତି ପଦରୁ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିବା ଶରଦ ପାୱାର ଏହା ଉପରେ ପୁନଃ ବିଚାର କରିବାକୁ ରାଜି ହୋଇଛନ୍ତି। ତେବେ ଏଥିନିମନ୍ତେ ସେ ୨,୩ ଦିନ ସମୟ ମାଗିଛନ୍ତି। ଏପରି କହିଛନ୍ତି ଏନସିପି ବିଧାୟକ ତଥା ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ।

Advertisment

ଗତକାଲି ହଠାତ୍‌ ଏକ କାର୍ଯ୍ୟକ୍ରମରେ ଶରଦ ପାୱାର ସଭାପତି ଛାଡ଼ିବା ନେଇ ଘୋଷଣା କରିଥିଲେ। ଏହା ସହିତ ସେ ଆଗାମୀ ରଣନୀତି ପାଇଁ ବରିଷ୍ଠ ନେତାଙ୍କ ଏକ ପ୍ୟାନେଲ୍ ଗଠନ କରିବାକୁ ଘୋଷଣା କରିଥିଲେ। ତେବେ ଏପରି ନିଷ୍ପତ୍ତି ଅପ୍ରତ୍ୟାଶିତ ଥିବାରୁ ତାଙ୍କ ସମର୍ଥକ ଓ ବରିଷ୍ଠ ନେତାମାନେ ସହଜରେ ଏହାକୁ ଗ୍ରହଣ କରିପାରି ନ ଥିଲେ। ଇସ୍ତଫା ସମ୍ପର୍କରେ ଘୋଷଣା କରିବା ମାତ୍ରେ ପାୱାରଙ୍କ ସମର୍ଥକମାନେ ତାଙ୍କୁ ଘେରି ଯାଇ କାନ୍ଦିବା ସହ ହାତ ଯୋଡ଼ି ନିଷ୍ପତ୍ତି ବଦଳାଇବାକୁ ଅନୁରୋଧ କରିଥିଲେ। ତଥାପି ଶରଦ ପାୱାର ସେମାନଙ୍କ କଥା ଶୁଣି ନ ଥିବା ବେଳେ ନିଜ ଇସ୍ତଫା ନିଷ୍ପତ୍ତରେ କାଏମ ରହିଥିଲେ ।

ଏହାକୁ ଦଳୀୟ କର୍ମୀ ସହଜେ ଗ୍ରହଣ କରିବା ପରିସ୍ଥିତିରେ ନ ଥିବା ବେଳେ ଏହା ବିରୋଧରେ ପ୍ରଦର୍ଶନ ଆରମ୍ଭ କରି ଦେଇଥିଲେ। ଏପରିକି ଦଳର ବହୁ ଜିଲ୍ଲା ସଭାପତି ନିଜ ପଦରୁ ଇସ୍ତଫା ଦେଇଥିଲେ। ଶରଦ ପାୱାରଙ୍କୁ ମନାଇବା ପାଇଁ ଦଳ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଶେଷରେ ସେ ନିଜ ଇସ୍ତଫା ଉପରେ ପୁନଃ ବିଚାର କରିବାକୁ ସମ୍ମତି ପ୍ରକାଶ କରିଛନ୍ତି ।  

Advertisment

ଏନେଇ ଅଜିତ ପାୱାର କହିଛନ୍ତି ଯେ ଶରଦ ପାୱାରଙ୍କ ନିଷ୍ପତ୍ତି ପରେ ଆମେ ସମସ୍ତେ ଭାବପ୍ରବଣ ହୋଇ ତାଙ୍କୁ ଘଣ୍ଟା ଘଣ୍ଟା ଅଟକ ରଖି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରିଥିଲୁ। ଦଳୀୟ କର୍ମୀ ଏହାକୁ ତୀବ୍ର ବିରୋଧ କରିଥିଲେ। ରାଜ୍ୟର ବହୁ ନେତା ତାଙ୍କୁ ଭେଟି ନିଜ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ନିବେଦନ କରିଥିଲେ। ଏହା ପରେ ସେ ନିଜ ନିଷ୍ପତ୍ତି ଉପରେ ପୁନଃ ବିଚାର କରିବାକୁ ସହମତି ପ୍ରକାଶ କରିଛନ୍ତି।

ଦଳର କାର୍ଯ୍ୟକର୍ତ୍ତା ଏପରି ନିଷ୍ପତ୍ତିରେ ଖୁସି ନ ଥିବା ବେଳେ ଅଧ୍ୟକ୍ଷ ରହିବାକୁ ଶରଦ ପାୱାରଙ୍କୁ ଅନୁରୋଧ କରିବା ସହ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତି କରିବାକୁ ଅନୁରୋଧ କରିଛନ୍ତି । ଏହା ଉପରେ ସେ ବିଚାର କରିବେ ବୋଲି କହିଛନ୍ତି ଅଜିତ ପାୱାର ।

ସୂଚନାଯୋଗ୍ୟ, ଏନସିପିର କିଛି ବିଧାୟକ ଅଜିତ ପାୱାରଙ୍କ ନେତୃତ୍ୱରେ ମହାରାଷ୍ଟ୍ରର କ୍ଷମତାସୀନ ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ସରକାର ଆଡ଼କୁ ଢଳୁ ଥିବା ଚର୍ଚ୍ଚା ହେଉଛି। ତେବେ ଏହାକୁ ଏନସିପି ସୁପ୍ରିମୋ ଭାବେ ଶରଦ ପାୱାର ଖଣ୍ଡନ କରି ଚାଲିଥିଲେ। କିନ୍ତୁ ଏବେ ସେ ହଠାତ୍‌ ସୁପ୍ରିମୋ ପଦରୁ ଇସ୍ତଫା ଦେବା ପରେ ନୂଆ ରାଜନୀତିକ ସମୀକରଣ ସୃଷ୍ଟି ହୋଇଥିଲା।

ସମ୍ଭବତଃ ଏନସିପି ସବୁ କଳ୍ପନାଜଳ୍ପନାର ଅନ୍ତଘଟାଇ ବିଜେପି ସହ ହାତ ମିଳାଇ ପାରେ। ଏହାପୂର୍ବରୁ ଇସ୍ତଫା ଦେଇ ଶରଦ ପାୱାର ନିଜ ମୁଣ୍ଡରୁ ସବୁ ଦାୟିତ୍ୱ କାଢ଼ି ଦେବା ମୁଡରେ ଥିବା କୁହାଯାଉଥିଲା ।

ତେବେ ଏବେ ପୁନଃ ବିଚାର ପରେ ଶରଦ ପାୱାର କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ନଜର ରଖିଛନ୍ତି ରାଜନୈତିକ ବିଷେଷଜ୍ଞ । 

Sarad Power NCP