Advertisment

Delhi Riots Case: ୬ ବର୍ଷ ପରେ ୧୦ ଦିନ ପାଇଁ ଶର୍ଜିଲ ଇମାମଙ୍କୁ ମିଳିଲା ଜାମିନ

ଶର୍ଜିଲ ଓ ଖାଲିଦଙ୍କ ନାଁରେ ୟୁଏପିଏ ନାଁରେ ମାମଲା ହୋଇଛି। ଏଥିସହ ଆଇପିସିର ବିଭିନ୍ନ ଦଫା ମଧ୍ୟ ସେମାନଙ୍କ ନାଁରେ ଲାଗିଛି। ଉଭୟଙ୍କୁ ଦିଲ୍ଲୀ ଦଙ୍ଗାର ମାଷ୍ଟରମାଇଣ୍ତ ଭାବେ ଚିହ୍ନଟ କରିଛି ଦିଲ୍ଲୀ ପୁଲିସ୍‌।

author-image
Hemant Lenka
Imma

ଶର୍ଜିଲ ଇମାମ

ଦୀର୍ଘ ୬ ବର୍ଷ କାଳ ଅଭିଯୁକ୍ତ ଭାବେ ଜେଲରେ ବନ୍ଦୀ ହୋଇ ରହିଥିବା ଛାତ୍ର ନେତା ଶର୍ଜିଲ ଇମାମଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି। ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ୧୦ ଦିନ ପାଇଁ ଦେଇଛନ୍ତି ଜାମିନ। ୨୦୨୦ ଉତ୍ତରପୂର୍ବ ଦିଲ୍ଲୀ ଦଙ୍ଗା(Delhi Riots Case) ଘଟଣାରେ ଗିରଫ ହୋଇଥିବା ଶର୍ଜିଲଙ୍କୁ ଭାଇଙ୍କ ବାହାଘର ଓ ଅସୁସ୍ଥ ମା’ଙ୍କ ଦେଖାଶୁଣା କରିବାକୁ କୋର୍ଟ ଏପରି ଜାମିନ ଦେଇଛନ୍ତି। ୧୦ ଦିନ କାଳ ସେ ଜେଲ ବାହାରେ ରହିବେ ଓ ୧୧ତମ ଦିନ ଆସି ଆତ୍ମସମର୍ପଣ କରିବେ। 

Advertisment

୨୦୨୬ ଜାନୁଆରୀ ମାସରେ ସୁପ୍ରିମକୋର୍ଟ ଶର୍ଜିଲ ଓ ଦିଲ୍ଲୀ ଦଙ୍ଗାର ସହ ଅଭିଯୁକ୍ତ ଉମର ଖାଲିଦଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ। ଉଭୟ ନିରାଶ ହୋଇ ତିହାର ଜେଲରେ ଥିବା ବେଳେ ଏବେ ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଦିଲ୍ଲୀ ଦଙ୍ଗା ପଛରେ ଥିବା ବିରାଟ ଷଡ଼ଯନ୍ତ୍ର ଅଭିଯୋଗ ମାମଲାରେ ଶର୍ଜିଲଙ୍କ ସମେତ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ୨୦୨୦ ଫେବୃଆରୀ ମାସରେ ଦିଲ୍ଲୀରେ ହୋଇଥିବା ଦଙ୍ଗାରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୭୦୦ରୁ ଅଧିକ ଆହତ ହୋଇଥିଲେ। 

Advertisment

ଏହାର କିଛି ଦିନ ପରେ ଶର୍ଜିଲଙ୍କ ସମେତ ଉମର ଖାଲିଦ ଓ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା। ସେବେଠାରୁ ସେମାନେ ଜେଲରେ ରହିଛନ୍ତି। ଜାନୁଆରୀ ମାସରେ ନିୟମିତ ଜାମିନ ପାଇଁ ଶର୍ଜିଲ ଓ ଖାଲିଦ ଆବେଦନ କରିଥିଲେ ହେଁ ଏହା ଖାରଜ ହୋଇଥିଲା।

ଅଭିଯୋଗ ହୋଇଥିବା ଅପରାଧିକ ଷଡ଼ଯନ୍ତ୍ରରେ ଏମାନଙ୍କ ଭୂମିକା ଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିବା ମଧ୍ୟ ଜାମିନ ଆବେଦନ ଖାରଜ ବେଳେ ସୁପ୍ରିମକୋର୍ଟ କହିଥିଲେ। ତେବେ ଏହି ସମୟରେ ଦିଲ୍ଲୀ ଦଙ୍ଗାର ଅନ୍ୟ ୫ ଅଭିଯୁକ୍ତ- ଗୁଲଫିଶ ଫାତିମା, ମୀରାନ ହାଇଦର, ଶିଫା ଉର ରେହମାନ, ମହମ୍ମଦ ସଲୀମ ଖାନ ଓ ଶାଦାବ ଅହମଦଙ୍କୁ ଜାମିନ ଦେଇଥିଲେ। 

ଶର୍ଜିଲ ଓ ଖାଲିଦଙ୍କ ନାଁରେ ୟୁଏପିଏ ନାଁରେ ମାମଲା ହୋଇଛି। ଏଥିସହ ଆଇପିସିର ବିଭିନ୍ନ ଦଫା ମଧ୍ୟ ସେମାନଙ୍କ ନାଁରେ ଲାଗିଛି। ଉଭୟଙ୍କୁ ଦିଲ୍ଲୀ ଦଙ୍ଗାର ମାଷ୍ଟରମାଇଣ୍ତ ଭାବେ ଚିହ୍ନଟ କରିଛି ଦିଲ୍ଲୀ ପୁଲିସ୍‌। 

Delhi