Advertisment

ଆରମ୍ଭ ହେଲା ‘ଅପରେସନ ସିନ୍ଦୂର’ ବିତର୍କ: କଂଗ୍ରେସ କଥାରେ ରାଜି ହେଲେନି ଶଶି ଥରୁର୍‌

ଲୋକସଭାରେ ଅପରେସନ ସିନ୍ଦୂରକୁ ନେଇ ଦୀର୍ଘ ୧୬ ଘଣ୍ଟା ଧରି ବିତର୍କ ହେବ। ବିଭିନ୍ନ ଦଳର ସଦସ୍ୟ ଏହା ଉପରେ ମତ ରଖିବେ। ସରକାର ମଧ୍ୟ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ଲକ୍ଷ୍ୟ ରଖିଛନ୍ତି।

author-image
Hemant Lenka
Sashi Tharoor

Sashi Tharoor

ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ବିରୋଧରେ କରିଥିବା ଅପରେସନ ସିନ୍ଦୂରକୁ ନେଇ ଲୋକସଭାରେ ବିତର୍କ ଆରମ୍ଭ ହୋଇଛି। ବିରୋଧୀଙ୍କ ହୋହାଲ୍ଲା, ହଙ୍ଗାମା ଓ ନାରାବାଜୀ ଭିତରେ ପ୍ରତିରକ୍ଷା ମନ୍ତ୍ରୀ ସରକାରଙ୍କ ପକ୍ଷରୁ ଅପରେସନ ସିନ୍ଦୂରର ସଫଳତାକୁ ନେଇ ନିଜର ମତ ରଖିଛନ୍ତି।

Advertisment

ଲୋକସଭାରେ ଅପରେସନ ସିନ୍ଦୂରକୁ ନେଇ ଦୀର୍ଘ ୧୬ ଘଣ୍ଟା ଧରି ବିତର୍କ ହେବ। ବିଭିନ୍ନ ଦଳର ସଦସ୍ୟ ଏହା ଉପରେ ମତ ରଖିବେ। ସରକାର ମଧ୍ୟ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ଲକ୍ଷ୍ୟ ରଖିଛନ୍ତି।

ଏସବୁ ଭିତରେ ଅପରେସନ ସିନ୍ଦୂରକୁ ନେଇ କଂଗ୍ରେସର ଫାଟ ଦେଖାଯାଇଛି। କଂଗ୍ରେସର ବରିଷ୍ଠ ସାଂସଦ ଶଶି ଥରୁରଙ୍କୁ ବିରୋଧୀ ଦଳର ନେତାଙ୍କ ଅଫିସ ଓ ଲୋକସଭାର ଉପ ନେତା ଯୋଗାଯୋଗ କରିଥିଲେ। ତାଙ୍କୁ ଦଳର ଲାଇନ ଅନୁସାରେ ଅପରେସନ ସିନ୍ଦୂର ଉପରେ ମତ ରଖିବାକୁ କୁହାଯାଇଥିଲା। ହେଲେ ସେ ଏହି ଅନୁରୋଧକୁ ଗ୍ରହଣ କରି ନାହାନ୍ତି। ଅପରେସନ ସିନ୍ଦୂରକୁ ନେଇ କଂଗ୍ରେସ ସରକାରଙ୍କୁ ପ୍ରଶ୍ନ କରୁଛି। ହେଲେ ଶଶି ଥରୁର କଂଗ୍ରେସ ସହ ଏହି ପ୍ରସଙ୍ଗରେ ଏକମତ ହୋଇ ପାରୁ ନାହାନ୍ତି।

Advertisment

ଥରୁର ସବୁବେଳେ ଅପରେସନ ସିନ୍ଦୂରକୁ ସଫଳ ବୋଲି ଆକଳନ କରିଥିଲେ ଓ ଏବେ ବି ସେ ଏଥିରେ କାଏମ ରହିଛନ୍ତି। ଅପରେସନ ସିନ୍ଦୂର ପ୍ରସଙ୍ଗରେ ପୂର୍ବରୁ ସେ ଗଣମାଧ୍ୟମରେ ଯାହା କହିଥିଲେ, ତା’କୁ ଲୋକସଭାରେ ଦୋହରାଇବେ ବୋଲି ଦଳୀୟ ନେତାକୁ ଜଣାଇଥିଲେ।

ତେବେ ତାଙ୍କୁ ଦଳର ଆଭିମୁଖ୍ୟକୁ ଅନୁସରଣ କରିବାକୁ ପଡ଼ିବ ବୋଲି କଂଗ୍ରେସ କହିଥିଲା। ଏପରି ସ୍ଥିତିରେ ଦଳର ବିରୋଧରେ ଯିବା ଅପେକ୍ଷା ସେ ଅପରେସନ ସିନ୍ଦୂରର ବିତର୍କରେ ଭାଗ ନନେବାକୁ ବାଛିଛନ୍ତି।

ମୌସୁମୀ ଅଧିବେଶନ ଆରମ୍ଭରୁ ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂରକୁ ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଥିଲା। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉତ୍ତର ଚାହୁଁଥିବାରୁ ଏବେ ଲୋକସଭାରେ ବିତର୍କ ଆରମ୍ଭ ହୋଇଛି। ବିଜେପି ନାତୃତ୍ୱାଧୀନ ଏନଡିଏ ସରକାର ଉଭୟ ଗୃହରେ ଅପରେସନ ସିନ୍ଦୂର ଉପରେ ମତ ରଖିବାକୁ ହେଭିୱେଟମାନଙ୍କୁ ଚୟନ କରିଛି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ ଏହି ପ୍ରସଙ୍ଗରେ ମତ ରଖି ପାରନ୍ତି।

ଲୋକସଭାରେ ରାଜନାଥ ସିଂହ, ବୈଜୟନ୍ତ ପଣ୍ଡା, ଏସ ଜୟଶଙ୍କର, ତେଜସ୍ୱୀ ସୂର୍ଯ୍ୟା, ଅନୁରାଗ ଠାକୁର, କମଲଜୀତ ଶେରାୱତ, ଏଲ ଶ୍ରୀକ୍ରିଷ୍ଣା(ଟିଡିପି), ହର୍ଶ ବାଲଯୋଗୀ(ଟିଡିପି), ରମେଶ ରାଜବହର(ସପା), ଛୋଟେଲାଲ (ସପା), କଲ୍ୟାଣ ବାନାର୍ଜୀ(ଟିଏମସି), ସାୟୋନି ଘୋଷ(ଟିଏମସି), ଫ୍ରାନ୍ସିସ ଜର୍ଜ (କେସି), ଏ ରାଜା (ଡିଏମକେ), କେ କାନିମୋଝି (ଡିଏମକେ), ଅମର କାଲେ (ଏନସିପି ଶରଦ ଚନ୍ଦ୍ର ପାୱାର) ଓ ସୁପ୍ରିୟା ସୁଲେ(ଏନସିପି ଶରଦ ଚନ୍ଦ୍ର ପାୱାର) ମତ ରଖିବେ।

ଅତିରିକ୍ତ ଭାବେ କଂଗ୍ରେସର ମଙ୍ଗ ସମ୍ଭାଳିବେ ଗୌରବ ଗୋଗୋଇ। ସେ ଦଳ ପକ୍ଷରୁ ପ୍ରଥମେ ଅପରେସନ ସିନ୍ଦୂର ଉପରେ ମତ ରଖିବେ। ଏହାପରେ ପ୍ରିୟଙ୍କା ଗାନ୍ଧି ଭଦ୍ରା, ଦୀପେନ୍ଦ୍ର ସିଂହ ହୁଡ୍ଡା, ପ୍ରଣୀତି ସିନ୍ଦେ, ସପ୍ତଗିରି ଉଲାକା ଓ ବିଜେନ୍ଦର ଓଲା ଦଳ ପକ୍ଷରୁ କହିବେ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆସନ୍ତାକାଲି ଅପରେସନ ସିନ୍ଦୂର ପ୍ରସଙ୍ଗରେ ସରକାରଙ୍କୁ ଘେରିବେ।

Shashi Tharoor Operation Sindoor