/odisha-reporter/media/post_attachments/uploadimage/library/16_9/16_9_0/IMAGE_1752148801.jpg)
Shashi Tharoor
ଆଗାମୀ କେରଳ ବିଧାନସଭା ନିର୍ବାଚନରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି କି କଂଗ୍ରେସ ସାଂସଦ ଶଶୀ ଥରୁର? ସେ ତାଙ୍କ ‘ଏକ୍ସ’ରେ ଶେଆର କରିଥିବା ଏକ ପୋଷ୍ଟକୁ ନେଇ ଉଠିଛି ଏହି ପ୍ରଶ୍ନ। ସେ ଏକ ସର୍ଭେ ରିପୋର୍ଟ ସଂପର୍କିତ ପୋଷ୍ଟକୁ ଶେଆର କରିଛନ୍ତି, ଯାହା ତାଙ୍କୁ ୟୁଡିଏଫ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରେ ସର୍ବାଗ୍ରେ ସ୍ଥାନିତ କରିଛି।
ଏହି ସର୍ଭେ କରିଛି ‘ଭୋଟ୍ ଭାଇବ’ ନାଁରେ ଏକ ସ୍ୱାଧୀନ ସଂସ୍ଥା। ଏହି ସର୍ଭେରେ କୁହାଯାଇଛି ଯେ ରାଜ୍ୟରେ ଏବେ ସରକାର ବିରୋଧୀ ହାୱା ବହୁଛି। ସେହିପରି ଶଶୀ ଥରୁରଙ୍କ ଉପରେ କଂଗ୍ରେସର ଶୀର୍ଷ ନେତୃତ୍ୱ ଖୁସି ନଥିବା ସତ୍ତ୍ୱେ ଆଗାମୀ ବିଧାନସଭା ନିର୍ବାଚନରେ ୟୁଡିଏଫ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ୨୮.୩% ଲୋକ ମତ ଦେଇଥିବା ଏହି ସର୍ଭେରେ କୁହାଯାଇଛି।
ଆସନ୍ତା ବର୍ଷ ମେ’ ମାସରେ କେରଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ଲଗାତାର ଦୁଇ ଥର ସରକାର ଗଠନ କରିଥିବା ଏଲଡିଏଫର ବାଟ ଓଗାଳିବାକୁ ପ୍ରୟାସ କରିବ।
‘ଭୋଟ୍ ଭାଇବ’ କରିଥିବା ସର୍ଭେ ଅନୁସାରେ, ୩୦% ପୁରୁଷ ଶଶୀ ଥରୁରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ମତ ଦେଇଛନ୍ତି। ୨୭% ମହିଳା ତାଙ୍କୁ ୟୁଡିଏଫ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ଆବଶ୍ୟକ ବୋଲି କହିଛନ୍ତି। ତେବେ ତିରୁଅନନ୍ତପୁରମରୁ ୪ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ଶଶୀ ଥରୁରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଅଧିକ ସଂଖ୍ୟକ ବୟସ୍କ ବ୍ୟକ୍ତି ମତ ଦେଇଛନ୍ତି। ୫୫ ବର୍ଷରୁ ଅଧିକ ବୟସର ୩୪.୨% ବ୍ୟକ୍ତି ଶଶୀ ଥରୁରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବା ଉଚିତ ବୋଲି କହିଛନ୍ତି। ଯୁବ ବର୍ଗ (୧୮ରୁ ୨୪ ବର୍ଷ)ଙ୍କ ମଧ୍ୟରୁ ୨୦% ତାଙ୍କ ସପକ୍ଷରେ ମତ ଦେଇଛନ୍ତି।
ଏହି ସର୍ଭେ ରିପୋର୍ଟ ସେହି ସମୟରେ ଆସିଛି ଯେତେବେଳେ କଂଗ୍ରେସ ନେତୃତ୍ୱଙ୍କ ସହିତ ଶଶୀ ଥରୁରଙ୍କ ସଂପର୍କ ଆଉ ଭଲ ହୋଇ ରହିନାହିଁ। ବରାବର ସେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଅନେକ ନୀତିକୁ ପ୍ରଶଂସା କରୁଥିବାରୁ କଂଗ୍ରେସ ନେତୃତ୍ୱ ଏହାକୁ ପସନ୍ଦ କରୁ ନାହାନ୍ତି। ବିଶେଷ କରି ଅପରେସନ ସିନ୍ଦୂର ସମୟରେ ତାଙ୍କର ଆଭିମୁଖ୍ୟ ଦଳଠାରୁ ଅନେକାଂଶରେ ପୃଥକ ରହିଥିଲା। ତେଣୁ ସେ ଏବେ ଆଦୌ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ‘ଗୁଡ୍ ବୁକ୍’ରେ ନାହାନ୍ତି। ଏମିତିକି ସେ କେରଳ ଏଲ୍ଡିଏଫ ସରକାରଙ୍କ ନୂଆ ଶିଳ୍ପ ନୀତିକୁ ପ୍ରଶଂସା କରି କଂଗ୍ରେସକୁ ଅକଳରେ ପକାଇ ଦେଇଥିଲେ। କେରଳ କଂଗ୍ରେସର ନେତାମାନେ ଏହାକୁ ଆଦୌ ଗ୍ରହଣ କରି ନଥିଲେ।
ବିଜୟନ ନୁହନ୍ତି ପ୍ରଥମ ପସନ୍ଦ
ଏହି ସର୍ଭେରେ କୁହାଯାଇଛି ଯେ ଆଗକୁ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ପାଇଁ ଅନେକ ସମସ୍ୟା ଆସିପାରେ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସେ ଆଉ ଲୋକଙ୍କର ପ୍ରଥମ ପସନ୍ଦ ହୋଇ ରହିନାହାନ୍ତି। ୨୦୨୬ ବିଧାନସଭା ନିର୍ବାଚନରେ ମାତ୍ର ୧୭.୫% ଲୋକ ତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁଥିବା ଏହି ସର୍ଭେରେ କୁହାଯାଇଛି। ଅନ୍ୟପକ୍ଷରେ କେରଳର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ କେ.କେ ଶୈଳଜାଙ୍କୁ ଏଲ୍ଡିଏଫର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ୨୪.୨% ଲୋକ ଦେଖିବାକୁ ଚାହୁଁଥିବା ସର୍ଭେରେ ମତ ଦେଇଛନ୍ତି। କୋଭିଡ ସମୟରେ ସାରା ଦେଶରେ କେ.କେ ଶୈଳଜା ବେଶ୍ ପପୁଲାର ହୋଇଥିଲେ।
ଏହି ସର୍ଭେରେ ଆଉ ଏକ କଥା ମଧ୍ୟ ଜଣାପଡ଼ିଛି। ଉଭୟ ୟୁଡିଏଫ ଓ ଏଲଡିଏଫ ମେଣ୍ଟରେ ନେତୃତ୍ୱ ସଂକଟ ଦେଖାଦେଇଛି। ୨୭.୧% ୟୁଡିଏଫ୍ ସମର୍ଥକ ନିଶ୍ଚିତ ନାହାନ୍ତି ଯେ ସେମାନେ କାହାକୁ ସେମାନଙ୍କ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖିବାକୁ ଚାହାନ୍ତି। ସେହିପରି ୪୧.୫% ଏଲ୍ଡିଏଫ ସମର୍ଥକ ନିଶ୍ଚିତ ନାହାନ୍ତି ଯେ ସେମାନେ କାହାକୁ ସେମାନଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁଛନ୍ତି।
ଲୋକେ ଚାହୁଁଛନ୍ତି ନୂଆ ନେତା
ଏହି ସର୍ଭେରେ କୁହାଯାଇଛି ଯେ ରାଜ୍ୟର ୬୨% ଭୋଟର ସେମାନଙ୍କ ବିଧାୟକମାନଙ୍କୁ ବଦଳାଇବାକୁ ମନସ୍ଥ କରିଛନ୍ତି। କେବଳ ୨୩% ଭୋଟର ସେମାନଙ୍କ ବିଧାୟକମାନଙ୍କୁ ପୁନଃନିର୍ବାଚିତ କରିବାକୁ ଚାହୁଛନ୍ତି।
୨୦୧୬ ବିଧାନସଭା ନିର୍ବାଚନରେ ସିପିଆଇ(ଏମ୍) ନେତୃତ୍ୱାଧୀନ ଏଲ୍ଡିଏଫ ୧୪୦ଟି ଆସନରୁ ୯୧ଟିରେ ବିଜୟ ହାସଲ କରିଥିବା ବେଳେ ୟୁଡିଏଫ ୪୭ ଆସନ ଜିତିଥିଲା। ଏନ୍ଡିଏ ଗୋଟିଏ ଆସନ ପାଇଥିବା ବେଳେ ଅନ୍ୟ ଆସନଟି ଜିତିଥିଲେ ଜଣେ ସ୍ୱାଧୀନ ପ୍ରାର୍ଥୀ। ସେହିପରି ୨୦୨୧ ବିଧାନସଭା ନିର୍ବାଚନରେ ଏଲ୍ଡିଏଫ୍ର ଆସନ ସଂଖ୍ୟା ୯୯କୁ ବୃଦ୍ଧି ପାଇଥିଲା। ତା’ ସହିତ ୧୯୯୭୭ ପରେ ପ୍ରଥମ ଥର ପାଇଁ କରେଳରେ ଏକ ମେଣ୍ଟ ଲଗାତାର ଦୁଇଥର ପାଇଁ ନିବାଚନ ଜିତିଥିଲା। ଏହି ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫର ଆସନ ସଂଖ୍ୟା ୪୪କୁ ଖସି ଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
