Advertisment

ଓଡ଼ିଆ ଝିଅଙ୍କ ଆମେରିକା ଯାତ୍ରା: କେମିତି ବନିଲେ ସାଇବର ସୁରକ୍ଷା ବିଶେଷଜ୍ଞ ?

ପ୍ରାଚୀ ଆଜି ଆମେରିକାରେ ସାଇବର ସୁରକ୍ଷାର ନେତୃତ୍ୱ ନେଉଛନ୍ତି। କିନ୍ତୁ ତାଙ୍କର ଓଡ଼ିଶାରୁ ଆମେରିକା ଯାତ୍ରା କୌଣସି ପ୍ରେରଣାଦାୟୀ କାହାଣୀ ଠାରୁ ଆଦୌ କମ ନୁହେଁ।

Prachi Mahapatra

Prachi Mahapatra

Advertisment

ଜନ୍ମ ହୋଇଥିଲେ ସେନା ପରିବାରରେ। ଦେହରେ ବହୁଥିଲା କିଛି କରିବାର ରକ୍ତ। ସେନା ପରିବାରରେ ବଢ଼ିଥିବାରୁ ଆରମ୍ଭରୁ ହିଁ ସେ ଶୃଙ୍ଖଳା ଓ ପ୍ରତିବଦ୍ଧତାକୁ ଭଲ ଭାବେ ବୁଝିଥିଲେ। ବାପା ବାୟୁସେନାର ୱାରେଣ୍ଟ ଅଫିସର ହେଉଥିବାରୁ ତାଙ୍କ ଜୀବନ ଆହୁରି ମାର୍ଜିତ ହୋଇଯାଇଥିଲା। ବାସ୍‌ ଓଡ଼ିଶାର ଗୋଟିଏ ଛୋଟିଆ ଗାଁର ଝିଅଏଟି କିଛି କରିବାର ଆଶା ନେଇ ଆଗକୁ ବଢ଼ିଥିଲା। ଆଜି ସେ ଆମେରିକାର ସିସକୋ ସାଇବର ସୁରକ୍ଷାର ନେତୃତ୍ୱ ନେଉଛନ୍ତି।

Advertisment

ଏଠାରେ ଆମେ ୱାରେଣ୍ଟ ଅଫିସର ପ୍ରକାଶ ମହାପାତ୍ରଙ୍କ ଝିଅ ପ୍ରାଚୀଙ୍କ କଥା କହୁଛୁ। ପ୍ରାଚୀ ଆଜି ଆମେରିକାରେ ସାଇବର ସୁରକ୍ଷାର ନେତୃତ୍ୱ ନେଉଛନ୍ତି। କିନ୍ତୁ ତାଙ୍କର ଓଡ଼ିଶାରୁ ଆମେରିକା ଯାତ୍ରା କୌଣସି ପ୍ରେରଣାଦାୟୀ କାହାଣୀ ଠାରୁ ଆଦୌ କମ ନୁହେଁ।

ଓଡ଼ିଶାରେ ଜନ୍ମିତ ପ୍ରାଚୀ ୨୦୧୩ରେ ଚେନ୍ନାଇର ମାଡ୍ରାସ ଖ୍ରୀଷ୍ଟିୟାନ କଲେଜରୁ କମ୍ପ୍ୟୁଟର ଆପ୍ଲିକେସନରେ ନିଜର ବ୍ୟାଚେଲର ଡିଗ୍ରୀ ହାସଲ କରିଥିଲେ। ଡିଗ୍ରୀ ପାଇବା ପରେ ସେ ବେଙ୍ଗାଲୁରୁ ଚାଲି ଯାଇଥିଲେ। ସେଠାରେ ସେ ଆମଜନରେ ଟେକ୍‌ ଆନାଲିଷ୍ଟ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଟେକ୍ନୋଲୋଜି କ୍ଷେତ୍ରରେ କାମ କରିବା ବେଳେ ପ୍ରାଚୀ ଲିଡରଶିପ ସୁଯୋଗକୁ ଅପେକ୍ଷା କରିଥିଲେ। ଦିନକୁ ଦିନ ମହିଳାଙ୍କ ଭାଗିଦାରୀ ଟେକ ଶିଳ୍ପ ପ୍ରତି ବଢ଼ିବା ମଧ୍ୟ ପ୍ରାଚୀଙ୍କୁ ବେଶ ଉତ୍ସାହିତ କରିଥିଲା।

Advertisment

ପ୍ରାଚୀ କହିଛନ୍ତି, “ମୁଁ ସବୁବେଳେ ଆଗକୁ ବଢ଼ିବାକୁ ଚେଷ୍ଟା କରେ ଓ ନୂଆ ଚ୍ୟାଲେଞ୍ଜ ନେବାକୁ ଭଲ ପାଏ। ସାଇବର ସୁରକ୍ଷାର ଦୁନିଆରେ ନେତୃତ୍ୱ ନେବା ପାଇଁ ମୋର ସବୁ ବେଳେ ଲକ୍ଷ୍ୟ ରହିଥିଲା। ମୁଁ ଚାହୁଁଥିଲି ଯେ ମହିଳାମାନେ ଏହି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତୁ। ଜାତୀୟ ସୁରକ୍ଷା, ନୂଆ ଉଦ୍ଭାବନ ଓ ଅର୍ଥନୀତିକ ଅଭିବୃଦ୍ଧିରେ ମହିଳାମାନେ ପ୍ରଭାବ ଦେଖାଇ ପାରନ୍ତୁ ବୋଲି ମୁଁ ଚାହୁଁଥିଲି। ସବୁବେଳେ ମୁଁ ସୁଯୋଗକୁ ଅପେକ୍ଷା କରି ରହିଥାଏ।”

୨୦୧୬ରେ ପ୍ରାଚୀ ଯେତେବେଳେ ସିସକୋରେ ବ୍ୟବସାୟିକ ଆନାଲିଷ୍ଟ ଭାବେ ସାମିଲ ହେଲେ ସେତେବେଳେ ତାଙ୍କ କ୍ୟାରିୟର ରକେଟ ବେଗରେ ଆଗକୁ ବଢ଼ି ଚାଲିଥିଲା। ନିଜର କଠିନ ପରିଶ୍ରମ ଓ ଅଭିଜ୍ଞତା ବଳରେ ସେ ମାତ୍ର ୩ ବର୍ଷ ମଧ୍ୟରେ ପ୍ରୋଜେକ୍ଟ ମ୍ୟାନେଜର ହୋଇଯାଇଥିଲେ।

ତଥାପି ପ୍ରାଚୀଙ୍କ ସ୍ୱପ୍ନ ସରି ନଥିଲେ। ସେ ବ୍ୟବସାୟିକ ରଣନୀତି ଓ ଟେକ୍ନୋଲୋଜି ସହ ଏହାର ସମ୍ପର୍କକୁ ଭଲ ଭାବେ ବୁଝିବାକୁ ଚାହୁଁଥିଲେ। ଏଥିପାଇଁ ଏରଲିଙ୍ଗଟନ ସ୍ଥିତ ଟେକ୍ସାସ ବିଶ୍ୱବିଦ୍ୟାଳୟରେ ପ୍ରାଚୀ ବିଜନେସ ଆନାଲିଟିକ୍ସରେ ଏମସି ଆରମ୍ଭ କରିଥିଲେ।

ସେ କହିଛନ୍ତି, “ବ୍ୟବସାୟ କ୍ଷେତ୍ରର କାମ ଓ ଟେକ୍ନୋଲୋଜି ସମ୍ପର୍କରେ ମୁଁ ବିସ୍ତୃତି ଭାବେ ଜାଣିବାକୁ ଚାହୁଁଥିଲି। ଏବେ ବିଶ୍ୱରେ ଦେଖାଯାଇଥିବା ସମସ୍ୟା ଗୁଡ଼ିକର ସମାଧାନ ପାଇଁ ମୁଁ କେମିତି ଯୋଗଦାନ କରିପାରିବି, ତା’ ଉପରେ କାମ କରିବାକୁ ଚାହୁଁଥିଲି। ବିଶେଷ କରି ଏଆଇ ଯୋଗୁ ସୃଷ୍ଟି ହେଉଥିବା ବିପଦ ଉପରେ ମୁଁ କାମ କରିବାକୁ ଲକ୍ଷ୍ୟ ରଖିଛି।”

ସବୁ ପ୍ରତିକୂଳ ପରିସ୍ଥିତିକୁ ମାତ ଦେଇଥିଲେ

ବିଦେଶରେ ପଢ଼ୁଥିବା ଅନେକ ଭାରତୀୟଙ୍କ ଭଳି ପ୍ରାଚୀ ମଧ୍ୟ ଆର୍ଥିକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ପାଠପଢ଼ା ଓ ରହିବା ପାଇଁ ବଜେଟ ୪୦ ଲକ୍ଷ ଅତିକ୍ରମ କରିଯିବାରୁ ତାଙ୍କୁ ଟଙ୍କାର ଆବଶ୍ୟକ ପଡ଼ିଥିଲା। ଏଥିପାଇଁ ସେ ଋଣ କରିଥିଲେ। ୨୦ ଦିନରେ ତାଙ୍କୁ ଋଣ ମିଳି ଯାଇଥିଲା।

ପ୍ରାଚୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ତାଙ୍କ ବାପା ସବୁ ସମ୍ପତ୍ତି ବିକ୍ରି କରିବାକୁ ବାହାରିଥିଲେ। କିନ୍ତୁ ନିଜ ପାଠପଢ଼ା କଥା ନିଜେ ପ୍ରାଚୀ ବୁଝିବେ ବୋଲି କହିଥିଲେ। ସେ ଋଣ କରି ପାଠପଢ଼ା ଜାରି ରଖିଥିଲେ। ଓଡ଼ିଶାର ଗୋଟିଏ ଛୋଟିଆ ଗାଁରୁ ଆମେରିକା ଗସ୍ତ କରିବା କୌଣସି ନାଟକ ଠାରୁ କମ ନଥିଲା। ପ୍ରାଚୀଙ୍କ ଗାଁରୁ ପୂର୍ବରୁ କେହି ବି ଆମେରିକା ଯାଇ ନଥିଲେ। ସେଠାକାର ଚାଲିଚଳନ ଅଲଗା ଥିବାରୁ ପ୍ରାଚୀ ପ୍ରଥମେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ଖାପଖୁଆଇ ଚଳିବା ଆରମ୍ଭ କରିଥିଲେ।

ପ୍ରାଚୀଙ୍କୁ ତାଙ୍କ ପରିବାର ସବୁବେଳେ ଉତ୍ସାହିତ କରି ଆସୁଥିଲା। ବାପା ଶୃଙ୍ଖଳା ଓ ସଶକ୍ତ ପାଇଁ ପ୍ରେରଣା ଦେଉଥିବା ବେଳେ ସ୍ୱାମୀ ତାଙ୍କୁ ଶିକ୍ଷା କ୍ଷେତ୍ରରେ ସମର୍ଥନ କରୁଥିଲେ। ମା’ଙ୍କ ଇଚ୍ଛାଶକ୍ତି ତାଙ୍କୁ ଆଗକୁ ନେବାରେ ସହାୟକ ହୋଇଥିଲା।

ପ୍ରାଚୀ ଏବେ ସିସକୋରେ ସାଇବର ସୁରକ୍ଷା ବିଜନେସ ଲାଇନରେ ପ୍ରଡକ୍ଟ ମ୍ୟାନେଜର। ସେ ଏମିତି ଏକ କ୍ଷେତ୍ରରେ ରହିଛନ୍ତି ଯେଉଁଠାରେ ମହିଳାଙ୍କ ସଂଖ୍ୟା ପ୍ରାୟ ୨୬%। ସେହିପରି ମାତ୍ର ୮% ମହିଳା ଲିଡରଶିପ ଭୂମିକାରେ ରହିବାକୁ ସକ୍ଷମ ହେଉଛନ୍ତି। ନୂଆ ଉଦଭାବନ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଦ୍ୱାରା ପ୍ରାଚୀ ଆମେରିକେ ଅର୍ଥନୀତିକୁ ବଳ ଦେବାକୁ ଲକ୍ଷ୍ୟ ରଖିଛନ୍ତି।

ଆଗାମୀ ୫ ବର୍ଷ ମଧ୍ୟରେ ସେ ସାଇବର ସୁରକ୍ଷା କ୍ଷେତ୍ରରେ ଅଧିକ ‌ଅଭିଜ୍ଞତା ହାସଲ କରିବାର ଯୋଜନା କରିଛନ୍ତି। ଆସନ୍ତା ୫ରୁ ୧୦ ବର୍ଷ ମଧ୍ୟରେ ସେ ଭାରତ ଫେରି ଆସି ଦେଶର ବୈଷୟିକ ଅଭିବୃଦ୍ଧିରେ ନିଜର ଅଭିଜ୍ଞତାକୁ କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି।

USA India Prachi Mahapatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe