Advertisment

ପରଲୋକରେ ଦିଶୋମ ଗୁରୁ ଶିବୁ ସୋରେନ

ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ରାଜନୀତିକରେ ସକ୍ରିୟ ଥିବା ଶିବୁ ସୋରେନ ୭ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ।

author-image
Hemant Lenka
Shibu Soren

Shibu Soren

ରାଜ୍ୟସଭା ସାଂସଦ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଝାରଖଣ୍ଡର ପୂର୍ବତନ ତଥା ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ଅନ୍ୟତମ ପ୍ରତିଷ୍ଠାତା ଶିବୁ ସୋରେନ ଆଉ ନାହାନ୍ତି। ଆଜି ୮୧ ବର୍ଷ ବୟସରେ ସେ ସବୁ ଦିନ ପାଇଁ ଆଖି ବୁଜିଛନ୍ତି। ଅସୁସ୍ଥତା କାରଣରୁ ପ୍ରାୟ ମାସେ ହେବ ଶିବୁ ସୋରେନ ଦିଲ୍ଲୀର ସାର ଗଙ୍ଗା ରାମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଆଜି ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।

Advertisment

ଶିବୁ ସୋରେନଙ୍କ ପୁଅ ତଥା ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଦୁଃଖଦ ଖବର ସମସ୍ତଙ୍କୁ ଜଣାଇଛନ୍ତି। ସେ କହିଛନ୍ତି, “ପ୍ରିୟର ଦିଶୋମ ଗୁରୁଜୀ ଆମକୁ ଛାଡ଼ି ଚାଲି ଯାଇଛନ୍ତି। ମୁଁ ଆଜି ସବୁ କିଛି ହରାଇ ଦେଲି।”

ହସ୍ପିଟାଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଶ୍ରୀ ସୋରେନ ଜୁନ ୧୯ରେ ଆଡମିଟ ହୋଇଥିଲା। ବରିଷ୍ଠ ଡାକ୍ତର ଏକେ ଭଲ୍ଲାଙ୍କ ନେତୃତ୍ୱରେ ତାଙ୍କର ଚିକିତ୍ସା ଚାଲିଥିଲା। ସବୁ ପ୍ରକାରର ଚେଷ୍ଟା ଓ ଚିକିତ୍ସା ସତ୍ତ୍ୱେ ଶିବୁ ସୋରେନଙ୍କ ଦେହାନ୍ତ ଅଗଷ୍ଟ ୪ରେ ହୋଇଯାଇଛି।

Advertisment

ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ରାଜନୀତିକରେ ସକ୍ରିୟ ଥିବା ଶିବୁ ସୋରେନ ୭ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ଦୁଇ ଥର ରାଜ୍ୟସଭାକୁ ଯାଇଛନ୍ତି। ରାଜ୍ୟସଭାରେ ଏବେ ବି ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଶେଷ ହୋଇ ନଥିଲା।

ସାନ୍ତାଳ ସଂପ୍ରଦାୟରୁ ଆସିଥିବା ଶିବୁ ସୋରେନ ସବୁ ବେଳେ ପଛୁଆ ବର୍ଗ ଓ ଅନ୍ୟ ଜନଜାତିଙ୍କ ପାଇଁ ଲଢ଼େଇ କରୁଥିଲେ। ଏଥିପାଇଁ ତତ୍କାଳୀନ ବିହାରର ଅଂଶ ବିଶେଷ ଥିବା ରାମଗଡ଼ରେ ଜନ୍ମ ହୋଇଥିବା ଶିବୁ ସୋରେନଙ୍କୁ ସମସ୍ତେ ଗୁରୁଜୀ ବା ଦିଶୋମ ଗୁରୁ ବୋଲି କହୁଥିଲେ।

ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ବାମପନ୍ଥୀ ଟ୍ରେଡ ୟୁନିୟନ ନେତା ଏକେ ରୟ ଓ କୁର୍ମି ମାହାତୋ ନେତା ବିନୋଦ ବିହାରୀ ମାହାତୋଙ୍କ ସହ ମିଶି ୧୯୭୨ରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଗଠନ କରିଥିଲେ। ସମୟକ୍ରମେ ଶ୍ରୀ ସୋରେନ ରାଜ୍ୟ ଗଠନ ବିପ୍ଳବର ପ୍ରମୁଖ ନେତା ବନି ଯାଇଥିଲେ। ତାଙ୍କ ଉଦ୍ୟମ ଯୋଗୁ ବିହାରରୁ ୨୦୦୦ ମସିହାରେ ଜନ୍ମ ହୋଇଥିଲା ଝାରଖଣ୍ଡ।

ସେ ୧୯୮୦ରେ ପ୍ରଥମଥର ଡୁମକାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଡୁମକା ଜେଏମଏମର ଗଡ଼ ପାଲଟି ଯାଇଥିଲା। ଏହାପରେ ୧୯୮୯, ୧୯୯୧, ୧୯୯୬,୨୦୦୪, ୨୦୦୯ ଓ ୨୦୧୪ରେ ଶ୍ରୀ ସୋରେନ ଏଠାରୁ ଜିତିଥିଲେ। କିନ୍ତୁ ୨୦୧୯ରେ ଶିବୁ ସୋରେନ ନିଜ ଗଡ଼ ଡୁମକାରେ ବିଜେପି ନେତା ନଳୀନ ସୋରେନଙ୍କ ଠାରୁ ୪୫ ହଜାର ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ।

ଶ୍ରୀ ସୋରେନ କେନ୍ଦ୍ରମନ୍ତ୍ରୀ ଭାବେ କାମ କରିବା ସହ ୩ଥର ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ସେ କୌଣସି ପାଳିରେ ନିଜ କାର୍ଯ୍ୟକାଳ ପୂରଣ କରି ପାରି ନଥିଲେ। ସେ ପ୍ରଥମଥର ୨୦୦୫ରେ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ନ ଦେଇ ପାଇବାରୁ ତାଙ୍କୁ ୯ ଦିନ ମଧ୍ୟରେ ଇସ୍ତଫା ଦେବାକୁ ପଡ଼ିଥିଲା। ଏହାପରେ ସେ ଆଉ ଦୁଇ ଥର ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ମାତ୍ର କିଛି ମାସ ମଧ୍ୟରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

କେନ୍ଦ୍ର କ୍ୟାବିନେଟେ ମଧ୍ୟ ତାଙ୍କ ଯାତ୍ରା ସେଭଳି କିଛି ଥିଲା। ଶ୍ରୀ ସୋରେନ ୨୦୦୪ରେ ମନମୋହନ ସିଂହ ସରକାରରେ ସାମିଲ ହୋଇଥିଲେ। ତାଙ୍କୁ କେନ୍ଦ୍ରମନ୍ତ୍ରୀ କରାଯାଇଥିଲା। କିନ୍ତୁ ୧୯୭୪ ମସିହା ଚିରୁଦି ମାମଲାରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯିବାରୁ ସେ ଇସ୍ତଫା ଦେଇଥିଲେ। ଚିରୁଦି ମାମଲାରେ ଆଦିବାସୀ ଓ ମୁସଲିମ ସଂପ୍ରଦାୟ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଥିଲା।

ଗିରଫ ପରେ ଶିବୁ ସୋରେନ ଜାମିନରେ ମୁକୁଳିବା ପରେ ତାଙ୍କୁ ପୁଣି କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇଥିଲା। ହେଲେ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେବା ପାଇଁ ସେ କେନ୍ଦ୍ରମନ୍ତ୍ରୀ ପଦରୁ ପୁଣି ଇସ୍ତଫା ଦେଇଥିଲା। ୧୦ ଦିନ ମୁଖ୍ୟମନ୍ତ୍ରୀ ରହିବା ପରେ ୨୦୦୬ରେ କେନ୍ଦ୍ର କୋଇଲା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।

ଦାୟିତ୍ୱ ନେବାର ୧୦ ମାସ ପରେ ସେ ନିଜର ବ୍ୟକ୍ତିଗତ ସଚିବ ଶଶିନାଥ ଝାଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କ ଇସ୍ତଫା ଦେବାକୁ ପଡ଼ିଥିଲା। ଦେଶ ଇତିହାସରେ ପ୍ରଥମଥର ପାଇଁ କୌଣସି କେନ୍ଦ୍ରମନ୍ତ୍ରୀ ହତ୍ୟା ମାମଲାର ଦୋଷୀ ସାବ୍ୟସ୍ତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ।

ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। 

Jharkhand Hemant Soren JMM shibu-soren