Advertisment

ଉଦ୍ଧବ ଠାକରେ ଜଳକା: ସିନ୍ଦେ ଗୋଷ୍ଠୀ ଏବେ ପ୍ରକୃତ ’ଶିବସେନା’, ମିଳିଲା ଧନୁ-ତୀର

୨୦୨୨ ଅକ୍ଟୋବର ମାସରେ ନିର୍ବାଚନ କମିଶନ ଶିବସେନାର ଦଳୀୟ ଚିହ୍ନ ଧନୁ ଓ ତୀରକୁ ଅଚଳ କରି ଦେଇଥିଲେ। ଏଥିସହ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀଙ୍କୁ ଭିନ୍ନଭିନ୍ନ ନାଁ ଏବଂ ଚିହ୍ନ ପ୍ରଦାନ କରିଥିଲେ।

author-image
Hemant Lenka
Eknath Shinde

Eknath Shinde

ବିଜେପି ସମର୍ଥନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେଙ୍କ ବଡ଼ ବିଜୟ। ୮ ମାସ ତଳେ ଉଦ୍ଧବ ଠାକରେଙ୍କ ଠାରୁ ଅଲଗା ହୋଇଥିବା ସିନ୍ଦେ ଏବେ ପ୍ରକୃତ ଶିବସେନା ମାନ୍ୟତା ପାଇଛନ୍ତି। ଭାରତୀୟ ନିର୍ବାଚନ କମିଶନ ଆଜି ସିନ୍ଦେ ଗୋଷ୍ଠୀଙ୍କୁ ଶିବସେନା ନାଁରେ ନାମିତ କରିବା ସହ ଦଳୀୟ ଚିହ୍ନ ଧନୁ-ତୀର ପ୍ରଦାନ କରିଛନ୍ତି।

Advertisment

ଏହାର ଅର୍ଥ ସିନ୍ଦେ ଗୋଷ୍ଠୀ ଏବେ ଶିବସେନାର ପୁରୁଣା ଚିହ୍ନରେ ନିର୍ବାଚନ ଲଢ଼ିବେ। ସିନ୍ଦେ ଗୋଷ୍ଠୀ ସହ ଅଧିକାଂଶ ସଦସ୍ୟ ରହିଥିବାରୁ ନିର୍ବାଚନ କମିଶନ ଏପରି ନିଷ୍ପତ୍ତି ନେଇଛନ୍ତି।  ସିନ୍ଦେ ଆଣ୍ଡ କୋ ନିଜକୁ ପ୍ରକୃତ ଶିବସେନା କହିବା ସହ ଦଳର ନାଁ ଓ ନିର୍ବାଚନୀ ଚିହ୍ନ ଆଣିବାକୁ ଉଦ୍ୟମ ଜାରି ରଖିଥିଲେ। ଏବେ ଏହା ସଫଳ ହୋଇଛି। 

ବାଲା ସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଶିବସେନା ଉପରେ ତାଙ୍କ ପୁଅ ଉଦ୍ଧବ ଠାକରେ ହକ ଜାହିର କରିଥିଲେ। ବିଶେଷ କରି ୨୦୨୨ ଜୁନ ମାସରେ ସିନ୍ଦେ ଦଳର ୩୦ରୁ ଅଧିକ ବିଧାୟକଙ୍କୁ ନେଇ ବିଜେପିରେ ମିଶିଲା ପରେ ଶିବସେନା ଦୁଇ ଭାଗରେ ବିଭକ୍ତ ହୋଇ ଯାଇଥିଲା। ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ଉଭୟ ନିଜକୁ ବାଲାସାହେବ ଠାକରେଙ୍କ ଉତ୍ତରାଧିକାରୀ ଭାବେ ଦାବି କରିଥିଲେ। ଏଥିସହ ଦଳର ନାଁ ଓ ଚିହ୍ନ ଉପରେ ହକ ଦେଖାଇଥିଲେ। ବିବାଦ ବଢ଼ିବାରୁ ଉଭୟ ଗୋଷ୍ଠୀ ନିର୍ବାଚନ କମିଶନଙ୍କ ପାଖରେ ପହଞ୍ଚିଥିଲେ।

Advertisment

୨୦୨୨ ଅକ୍ଟୋବର ମାସରେ ନିର୍ବାଚନ କମିଶନ ଶିବସେନାର ଦଳୀୟ ଚିହ୍ନ ଧନୁ ଓ ତୀରକୁ ଅଚଳ କରି ଦେଇଥିଲେ। ଏଥିସହ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀଙ୍କୁ ଭିନ୍ନଭିନ୍ନ ନାଁ ଏବଂ ଚିହ୍ନ ପ୍ରଦାନ କରିଥିଲେ। ସିନ୍ଦେ ଗୋଷ୍ଠୀର ନାଁ ରହିଥିଲା ବାଲାସାହେବଙ୍କ ଶିବସେନା। ଦଳର ଚିହ୍ନ ଦୁଇଟି ଖଣ୍ଡା ଓ ଭାଲା ରହିଥିଲା। ସେହିପରି ଉଦ୍ଧବ ଗୋଷ୍ଠୀର ନାଁ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ରହିଥିଲା। ଦଳକୁ ମଶାଲ ଚିହ୍ନ ମିଳିଥିଲା।

ଜାନୁଆରୀ ମାସରେ ନିର୍ବାଚନ କମିଶନ ଶିବସେନାର ଦଳୀୟ ଚିହ୍ନ ଧନୁ ଓ ତୀର କାହା ପାଖରେ ରହିବ, ସେନେଇ ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ। ଆଜି କମିଶନ ସିନ୍ଦେ ଗୋଷ୍ଠୀ ସପକ୍ଷରେ ଚୂଡ଼ାନ୍ତ ରାୟ ଦେଇଛନ୍ତି। ଏବେ ଶିବସେନା କହିଲେ ସିନ୍ଦେ ଗୋଷ୍ଠୀଙ୍କୁ ବୁଝାଇବ। ସେହିପରି ଦଳର ସଦସ୍ୟମାନା ଧନୁ ଓ ତୀର ବ୍ୟବହାର କରିପାରିବେ।

Uddhav Thackeray Shiv Sena Eknath Sinde