Advertisment

Maharashtra civic polls: ବାଃରେ ରାଜନୀତି: ବିଜେପିକୁ ଚକମା ଦେଇ ରାଜ ଠାକରେଙ୍କ ସହ ହାତ ମିଳାଇଲେ ଏକନାଥ ସିନ୍ଦେ

ନିଜର ସହଯୋଗୀ ବିଜେପିକୁ ଚକମା ଦେଇଛି ଏକନାଥ ସିନ୍ଦେଙ୍କ ଶିବସେନା। ବିଜେପିକୁ ମେୟର ପଦବୀରୁ ଦୂରେଇ ରଖିବା ପାଇଁ ଚୀର ପ୍ରତିଦ୍ୱନ୍ଦ୍ୱୀ ରାଜ ଠାକରେଙ୍କ ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନଏସ୍‌) ସହ ହାତ ମିଳାଇଛି ସିନ୍ଦେ ସେନା।

author-image
Hemant Lenka
Raj

ସିନ୍ଦେ ଓ ରାଜ ଠାକରେ

ରାଜନୀତିରେ ସବୁ ସମ୍ଭବ। କ୍ଷମତା ପାଇଁ ରାଜନୀତିକ ଦଳ କିଛି ବି କରିପାରନ୍ତି। ପୋଷାକ ବଦଳାଇବା ଭଳି ସାଥୀ ବଦଳାଇବାରେ ରାଜନୀତିକ ଦଳଗୁଡ଼ିକ ବେଶ ମାହାରି। କ୍ଷମତା ପାଇଁ ଗୋଟିଏ ସ୍ଥାନରେ ଏକାଠି ରହିଥିବା ବେଳେ ଆଉ ଗୋଟିଏ ସ୍ଥାନରେ ସେମାନେ ସାବତ ଭାଇ ଭଳି କରନ୍ତି ଆଚରଣ।

Advertisment

ମହାରାଷ୍ଟ୍ର(Maharashtra) ରାଜନୀତିରେ ଏହି ଖେଳ ବେଶ ପୁରୁଣା। ମହାରାଷ୍ଟ୍ର ରାଜନୀତିରେ ସବୁବେଳେ ଚକିତ କରିବା ଭଳି ଘଟଣା ଘଟେ। ଏହାର ଜ୍ୱଳନ୍ତ ଉଦାହରଣ ଏବେ ପୁଣି ସାମ୍ନାକୁ ଆସିଛି। ନିକଟରେ ଶେଷ ହୋଇଥିବା ନଗର ନିଗମ ନିର୍ବାଚନ ପରେ ମହାରାଷ୍ଟ୍ର ରାଜନୀତି ପୂରା ଗୋଳିଆ ହୋଇ ଯାଇଛି। କିଏ କାହା ସହ ମେଣ୍ଟ କରୁଛନ୍ତି ଓ କିଏ କାହାକୁ ଛାଡ଼ୁଛନ୍ତି, ସେକଥା ସାଧାରଣ ଭୋଟର ବୁଝି ପାରୁ ନାହାନ୍ତି। 

ଏପରି ଘଟଣା କଲ୍ୟାଣ-ଡୋମ୍ବିଭ୍ଲିରେ ଦେଖିବାକୁ ମିଳିଛି। ଏଠାରେ ନିଜର ସହଯୋଗୀ ବିଜେପିକୁ ଚକମା ଦେଇଛି ଏକନାଥ ସିନ୍ଦେଙ୍କ ଶିବସେନା। ବିଜେପିକୁ ମେୟର ପଦବୀରୁ ଦୂରେଇ ରଖିବା ପାଇଁ ଚୀର ପ୍ରତିଦ୍ୱନ୍ଦ୍ୱୀ ରାଜ ଠାକରେଙ୍କ ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନଏସ୍‌) ସହ ହାତ ମିଳାଇଛି ସିନ୍ଦେ ସେନା। ଏପରି କି ରାଜଙ୍କ ଭାଇ ଉଦ୍ଧବ ଠାକରେଙ୍କ ଶିବସେନା ଠାରୁ ମଧ୍ୟ ୪ କର୍ପୋରେଟରଙ୍କୁ ଆଣି ସିନ୍ଦେ ସେନା ମେୟର ପଦ ହାତେଇବାକୁ ନିଷ୍ପତ୍ତି ନେଇଛି। 

Advertisment

କଲ୍ୟାଣ-ଡୋମ୍ବିଭ୍ଲି ପୌର ନିଗମର ୧୨୨ଟି ଆସନରୁ ବିଜେପି ଦମଦାର ପ୍ରଦର୍ଶନ କରି ୫୦ଟିରେ ଜିତିଛି। ଏହି ପୌର ନିଗମକୁ ଏକନାଥ ସିନ୍ଦେଙ୍କ ଗଡ଼ କୁହାଯାଏ। ତଥାପି ବିଜେପି ଏଠାରେ ଦମଦାର ପ୍ରଦର୍ଶନ କରିଛି। ସିନ୍ଦେ ସେନା ୫୩ଟି ଆସନ ଜିତିଥିବା ବେଳେ ଏମଏନଏସ ୫ଟି କବଜା କରିଛି। ଉଦ୍ଧବ ଠାକରେଙ୍କ ଶିବସେନା ୧୧ଟି ଆସନ ଜିତିଛି।

କଲ୍ୟାଣ-ଡୋମ୍ବିଭ୍ଲି ପୌର ନିଗମର ମେୟର ପଦ ପାଇଁ ୬୨ଟି ଆସନ ଆବଶ୍ୟକ ଥିବାରୁ କୌଣସି ଦଳ ସ୍ପଷ୍ଟ ବହୁମତ ପାଇ ନାହାନ୍ତି। ବିଜେପି ଓ ସିନ୍ଦେ ସେନା ମହାରାଷ୍ଟ୍ର ବିଧାନସଭାରେ ମେଣ୍ଟ କରିଥିବାରୁ ଏଠାରେ ମିଳିତ ଭାବେ ମେୟର ପଦ ହାତେଇବେ ବୋଲି କୁହାଯାଉଥିଲା। କିନ୍ତୁ ଉଭୟ ଦଳ ନିଜ ନିଜ ଦଳ ପାଇଁ ମେୟର ପଦ ଚାହୁଁଥିବାରୁ ବିବାଦ ଦେଖା ଯାଇଛି। ନିଜ ଗଡ଼ରେ ଏକନାଥ ସିନ୍ଦେ ବିଜେପିକୁ ମେୟର ପଦ ଦେବା ମୁଡରେ ନାହାନ୍ତି। ତେଣୁ ସେ ଏମଏନଏସ ସହ ହାତ ମିଳାଇଛନ୍ତି। 

ବୁଧବାର ଏନେଇ କୋଙ୍କଣ ଭବନରେ ଗୋଟିଏ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା। ସିନ୍ଦେ ସେନା ସାଂସଦ ତଥା ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଏଥିରେ ସାମିଲ ହୋଇଥିଲେ। ବୈଠକ ପରେ ତାଙ୍କ ଦଳ ରାଜ ଠାକେଙ୍କ ଏମଏନଏସ ସହ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀକାନ୍ତ ନିଶ୍ଚିତ କରିଛନ୍ତି। ତଥାପି ଦୁଇ ଦଳର କର୍ପୋରେଟରଙ୍କ ସଂଖ୍ୟା ୫୮ ହେଉଛି। ଏହା ମ୍ୟାଜିକ ନମ୍ବର ୬୨ରୁ ୪ କମ। ତେଣୁ ବାକି ୪ କର୍ପୋରେଟରଙ୍କୁ ଉଦ୍ଧବ ଠାକରେଙ୍କ ଦଳରୁ ଅଣାଯିବ ବୋଲି ମଧ୍ୟ ଶ୍ରୀକାନ୍ତ ସଙ୍କେତ ଦେଇଛନ୍ତି।

ଯଦି ଉଦ୍ଧବ ସେନା ପକ୍ଷରୁ ସିନ୍ଦେ ସେନା ଓ ଏମଏନଏସ ମେଣ୍ଟକୁ ସମର୍ଥନ କରାଯିବ, ତା’ହେଲେ ସେମାନେ ବେଶ ସହଜରେ କଲ୍ୟାଣ-ଡୋମବିଭ୍ଲି ପୌର ନିଗମର ମେୟର ପଦ ହାତେଇବେ। ଏପରି ସ୍ଥିତିରେ ବିଜେପି କ୍ଷମତାରୁ ଦୂରେଇ ରହିବାକୁ ବାଧ୍ୟ ହେବ।

ନିର୍ବାଚନ ପରେ ଏପରି ମେଣ୍ଟ ବିଜେପି ପାଇଁ ଶକ୍ତ ଝଟକା ସଦୃଶ। କାରଣ ବ୍ରିହାନ ମୁମ୍ବାଇ ମହାନରଗ ନିଗମରେ ମେୟର ପଦ ପାଇଁ ସିନ୍ଦେ ସେନା ସହ ୨.୫ ବର୍ଷର ଡିଲ ସପକ୍ଷରେ ବିଜେପି ରହିଛି। ଏପରି ସ୍ଥିତିରେ କଲ୍ୟାଣ-ଡୋମବିଭ୍ଲି ପୌର ନିଗମରେ ସିନ୍ଦେ ସେନା ପକ୍ଷରୁ ବିଜେପିକୁ ଅଣଦେଖା କରିବା ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। 

କଲ୍ୟାଣ-ଡୋମବିଭ୍ଲି ପୌର ନିଗମରେ ବିଜେପି ଓ ସିନ୍ଦେ ସେନା ଅଲଗା ଅଲଗା ହୋଇ ଲଢ଼ିଥିଲେ। କିନ୍ତୁ ବିଏମସିରେ ଉଭୟ ଦଳ ମେଣ୍ଟ କରିଥିଲେ। ମେଣ୍ଟ ବିଏମସିର ମୋଟ ୨୨୭ ଆସନରୁ ୧୧୮ଟିରେ ଜିତିଛି। ଏହା ମ୍ୟାଜିକ ନମ୍ବର ୧୧୪ରୁ ୪ ଅଧିକ। ହେଲେ ଏଠାରେ ସିନ୍ଦେ ସେନା ମେୟର ପଦ ପାଇଁ ଜିଦ କରୁଥିବାରୁ ଏହାକୁ ନେଇ ଟଣାଓଟରା ଚାଲିଛି। 

Maharashtra