Advertisment

ଦୋଷୀ କିଏ? ଶିବାଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବାକୁ ନେଇ ଜୋର ଧରିଲା ଆରୋପ ପ୍ରତ୍ୟାରୋପ

ପ୍ରତିମୂର୍ତ୍ତି ଭୁଶୁଡ଼ି ପଡ଼ିବାରୁ ଉଭୟ ମହାରାଷ୍ଟ୍ର ସରକାର ଓ ଭାରତୀୟ ନୌସେନା ପରସ୍ପର ଉପରେ ଦୋଷା ଲଦାଲଦି ହେଉଛନ୍ତି।

Shivaji Statue Collapse

Shivaji Statue Collapse

Advertisment

କିଏ ଦୋଷୀ? କାହା ପାଇଁ ଭାଙ୍ଗିଲା ପ୍ରତିମୂର୍ତ୍ତି। ଏଥିପାଇଁ ଦାୟୀ କିଏ? କଣ୍ଟ୍ରାକ୍ଟର ନା ପ୍ରଶାସନ? ମରାଠା ଯୋଦ୍ଧା ରାଜା ଛତ୍ରପତି ଶିବାଜୀ ମହାରାଜଙ୍କ ୩୫ ଫୁଟର ପ୍ରତିମୂର୍ତ୍ତି ହଠାତ୍ ଭୁଶୁଡ଼ି ପଡ଼ିବା ଘଟଣାକୁ ନେଇ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏଭଳି କିଛି ଆରୋପ ପ୍ରତ୍ୟାରୋପ ସୃଷ୍ଟି କରିଛି।

Advertisment

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭାରତୀୟ ନୌସେନା ଏବଂ ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ଦେଖିବାକୁ ମିଳିଛି। ଏହି ଘଟଣାର ତଦନ୍ତ ପାଇଁ ଏକ ପ୍ୟାନେଲ ଗଠନ କରାଯାଇଛି।

ପିଡବ୍ଲ୍ୟୁଡିର ସହକାରୀ ଯନ୍ତ୍ରୀ ଅଜିତ ପାଟିଲ ଏହି ଘଟଣା ସମ୍ପର୍କରେ ମାଲବନ ଥାନାରେ ଅଭିଯୋଗ କରିଛନ୍ତି। ଫଳରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ନାଟକୀୟ ମୋଡ଼ରେ ଷ୍ଟ୍ରକ୍ଚରାଲ ଅଡିଟ୍ ଦାୟିତ୍ୱରେ ଥିବା ଯନ୍ତ୍ରୀ ଚେତନ ପାଟିଲଙ୍କୁ ଗିରଫ କରାଯାଇଛି। ସେ ଦାବି କରିଛନ୍ତି ଯେ ସେ ପ୍ରତିମୂର୍ତ୍ତିର ପ୍ଲାଟଫର୍ମ ଡିଜାଇନ୍ କରିଥିଲେ, ଯାହା ପିଡବ୍ଲ୍ୟୁଡି ମାଧ୍ୟମରେ ଭାରତୀୟ ନୌସେନାକୁ ପ୍ରଦାନ କରାଯାଇଥିଲା।

Advertisment

ତିନି ମାସ ମଧ୍ୟରେ ଏହି ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଶେଷ ହୋଇଥିଲା। ଭାରତୀୟ ନୌସେନା ଏହି ପ୍ରକଳ୍ପର ତଦାରଖ କରିବା ସହ ଠିକାଦାର ଜୟଦୀପ ଆପତେଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲା। ତେବେ ପ୍ରତିମୂର୍ତ୍ତି ଭୁଶୁଡ଼ି ପଡ଼ିବାରୁ ଉଭୟ ମହାରାଷ୍ଟ୍ର ସରକାର ଓ ଭାରତୀୟ ନୌସେନା ପରସ୍ପର ଉପରେ ଦୋଷାରାପ କରୁଛନ୍ତି। ତେଣୁ ଉଦଘାଟନ ପରେ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ ପାଇଁ କିଏ ଦାୟୀ ସେ ନେଇ ପ୍ରଶ୍ନ ଉଠିଛି।

ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ରାଜକୋଟ ଦୁର୍ଗକୁ ୫ ଲକ୍ଷରୁ ଅଧିକ ଦର୍ଶକ ଆସିଥିଲେ। ତେବେ ପିଡବ୍ଲ୍ୟୁଡି ପକ୍ଷରୁ ନିୟମିତ ଯାଞ୍ଚ ବେଳେ ଅଗଷ୍ଟ ୨୦ ତାରିଖରେ ପ୍ରତିମୂର୍ତ୍ତିରେ ନଟ୍ ଓ ବୋଲ୍ଟ ଲାଗିଥିବା ଜଣାପଡ଼ିଥିଲା। ପିଡବ୍ଲ୍ୟୁଡି ଅଗଷ୍ଟ ୨୨ ରେ ନୌସେନାକୁ ଏକ ଜରୁରୀ ଚିଠି ପଠାଇଥିଲା, କିନ୍ତୁ ଏହାକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଯାହାଫଳରେ ମାତ୍ର ଚାରି ଦିନ ପରେ ପ୍ରତିମୂର୍ତ୍ତି ଭୁଶୁଡ଼ି ପଡ଼ିଥିଲା ବୋଲି ଜଣାପଡ଼ିଛି। ଯଦି ଆବଶ୍ୟକ ପଦକ୍ଷେପ ନିଆଯାଇଥାନ୍ତା ତା'ହେଲେ ଏହି ଦୁର୍ଘଟଣାକୁ ରୋକା ଯାଇପାରିଥାନ୍ତା।

ଭାରତୀୟ ନୌସେନା ସୂତ୍ରରୁ ପ୍ରକାଶ ଯେ ଏହି ପ୍ରତିମୂର୍ତ୍ତିକୁ ବିଶେଷଜ୍ଞମାନେ ଡିଜାଇନ୍ କରିଥିଲେ। ଏହା ରାଜ୍ୟ ସରକାରଙ୍କ ଏଜେନ୍ସି ଏବଂ ନୌସେନା ମଧ୍ୟରେ ଏକ ସମନ୍ୱିତ ପ୍ରୟାସ ଥିଲା। ପ୍ରତିମୂର୍ତ୍ତି ଉଦଘାଟନ ପରେ ଏହାର ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। ନୌସେନା ଆହୁରି ମଧ୍ୟ କହିଛି ଯେ ସେମାନେ ନିର୍ମାଣ ଏବଂ ପ୍ରତିଷ୍ଠାନ ଉପରେ ନଜର ରଖିଥିବା ବେଳେ ଚାଲିଥିବା ରକ୍ଷଣାବେକ୍ଷଣ ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ରହିଛି।

ଅନ୍ୟପକ୍ଷରେ ପିଡବ୍ଲ୍ୟୁଡି ଦାବି କରିଛି ଯେ ରାଜକୋଟ ଦୁର୍ଗ ପରିସରର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ବେଳେ ଏହି ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ ନୌସେନା ଦ୍ୱାରା ପରିଚାଳିତ ହେବା କଥା। କାରଣ ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାରେ ଏହାର ଭୂମିକା ରହିଛି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପ୍ରଥମେ ପ୍ରବଳ ପବନ ଏବଂ ବର୍ଷା ଯୋଗୁଁ ପ୍ରତିମୂର୍ତ୍ତି ଭୁଶୁଡ଼ିବା ପାଇଁ ଦାୟୀ କରିଥିଲେ। ତେବେ ଏହାରି ଭିତରେ ନୌସେନା ଓ ରାଜ୍ୟ ଏଜେନ୍ସି ପରସ୍ପରକୁ ଦୋଷ ଲଦିବା ଆରମ୍ଭ କରିଛନ୍ତି। ଏହି ମାମଲାରେ ତଦନ୍ତ ଜାରି ରହିଥିବା ବେଳେ ଏଭଳି ହାଇପ୍ରୋଫାଇଲ୍ ପ୍ରକଳ୍ପରେ ସମ୍ପୃକ୍ତ ଏଜେନ୍ସିଗୁଡ଼ିକ ମଧ୍ୟରେ ସମନ୍ୱୟ ଓ ଉତ୍ତରଦାୟିତ୍ୱରେ ଉଲ୍ଲେଖନୀୟ ତ୍ରୁଟି ଦେଖିବାକୁ ମିଳିଛି।

କହିରଖୁ, ଗତବର୍ଷ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା। ହେଲେ ଏହି ପ୍ରତିମୂର୍ତ୍ତି ଅଗଷ୍ଟ ୨୬ ତାରିଖରେ ଭୁଶୁଡ଼ି ପଡ଼ିଥିଲା।

Shivaji Statue Collapse Rajkot Fort Maharashatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe