MP
ଯେଉଁ ଆଦିବାସୀ ଶ୍ରମିକଙ୍କ ଉପରେ ପ୍ରବେଶ ଶୁକ୍ଳା ପରିସ୍ରା କରିଥିଲା, ଆଜି ତାଙ୍କୁ ଘରକୁ ଡାକି କ୍ଷମା ମାଗିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଆଗକୁ ନିର୍ବାଚନ ଥିବା ବେଳେ ଉକ୍ତ ଘଟଣାକୁ ନେଇ ବେଶ ବିବାଦ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଆଦିବାସୀ ଶ୍ରମିକ ଦଶମତ ରାୱତଙ୍କୁ ଶ୍ରୀ ଚୌହାନ ନିଜ ସରକାରୀ ବାସଭବନକୁ ଡାକିଥିଲେ।
କ୍ୟାମେରା ସାମ୍ନାରେ ତାଙ୍କୁ ଚେୟାରରେ ବସାଇ ତାଙ୍କ ପାଦ ଧୋଇଥିଲେ। ଏହାକୁ ମୁଣ୍ଡରେ ମଧ୍ୟ ମାରିଥିଲେ। ତାଙ୍କୁ ସେ ଟିକା ଲଗାଇ ଦେବା ସହ ଧଳା ସାଲ୍ ଦେଇଥିଲେ। ତାଙ୍କୁ କିଛି ଉପହାର ପ୍ରଦାନ କରିବା ସହ ନିଜ ହାତରେ ସେ ରାୱତଙ୍କୁ ମିଠା ଖୁଆଇ ଦେଇଛନ୍ତି। ଏଥିସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚୌହାନ ପ୍ରତିଶ୍ରୁତି ଦେଇଛନ୍ତି।
କିଛି ଦିନ ତଳେ ପ୍ରବେଶ ଶୁକ୍ଳା ସିଧି ଜିଲ୍ଲାରେ ଆଦିବାସୀ ଶ୍ରମିକ ରାୱତଙ୍କ ଉପରେ ପରିସ୍ରା କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍ ତାକୁ ଗିରଫ କରିଥିଲା। ତା’ ବିରୋଧରେ ଏନଏସ୍ଏ ଲାଗିଛି। ପ୍ରଶାସନ ପ୍ରବେଶ ଶୁକ୍ଳାର ବେଆଇନ ଘର ଉପରେ ମଧ୍ୟ ବୁଲଡୋଜର ଚଢ଼ାଇ ଦେଇଛି।
ତଥାପି ଆଦିବାସୀ ଶ୍ରମକିଙ୍କ ଏପରି କଦର୍ଯ୍ୟ କାମକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ। ଏପରି କି ପ୍ରବେଶ ଶୁକ୍ଳାର ଲିଙ୍କ ବିଜେପି ସହ ଥିବା ମଧ୍ୟ କିଛି ଫଟୋ ବିରୋଧୀ ଦଳଗୁଡ଼ିକ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଆଦିବାସୀ ସଂପ୍ରଦାୟର ଲୋକମାନେ ଏପରି ଅମାନବୀୟ କାଣ୍ଡ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ।
ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ଚୌହାନ ଆଦିବାସୀ ଶ୍ରମିକ ରାୱତଙ୍କ ପାଦୁକା ସେବା କରିଛନ୍ତି। ସେ ତାଙ୍କର ପାଦ ଧୋଇବା ବେଳର ଫଟୋକୁ ନିଜ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି। ପରିସ୍ରା ଘଟଣା ପାଇଁ ସେ ତାଙ୍କୁ କ୍ଷମା ମାଗିଛନ୍ତି।
ଶ୍ରୀ ଚୌହାନ କହିଛନ୍ତି, “ସମସ୍ତେ ଜାଣିବା ଦରକାର ଯେ ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନ ଅଛନ୍ତି ମାନେ ଜନତା ଭଗବାନ। କାହା ସହ ବି ଅତ୍ୟାଚାରକୁ ବରଦାସ୍ତ କରାଯିବନି। ରାଜ୍ୟର ସବୁ ନାଗରିକଙ୍କ ସମ୍ମାନ, ମୋର ସମ୍ମାନ।”
ଆଉ ଏକ ଟ୍ୱିଟରେ ସେ ଆଦିବାସୀ ଶ୍ରମିକ ରାୱତଙ୍କୁ କହିଛନ୍ତି, “ମନ ଦୁଃଖ ଅଛି। ଦଶମତଜୀ ଆପଣଙ୍କ କଷ୍ଟ ଲାଘବ କରିବାକୁ ଏହା ଏକ ପ୍ରୟାସ। ଆପଣଙ୍କୁ କ୍ଷମା ବି ମାଗୁଛି। ମୋ ପାଇଁ ଜନତା ହିଁ ଭଗବାନ।”
ପାଦୁକା ସେବା ପରେ ମୁଖ୍ୟମନ୍ତ୍ରୀ ଚୌହାନ କହିଛନ୍ତି, “ମୋ ପାଇଁ ଗରିବମାନେ ଭଗବାନ। ଲୋକମାନେ ମୋ ପାଇଁ ଭଗବାନ। ଲୋକଙ୍କ ସେବା କରିବା ଅର୍ଥ ଭଗବାନଙ୍କ ପୂଜା କରିବା ସହ ସମାନ।
ପ୍ରତି ଲୋକଙ୍କ ଭିତରେ ଭଗବାନ ରୁହନ୍ତି ବୋଲି ଆମେ ବିଶ୍ୱାସ କରୁ। ଦଶମତ ରାୱତଙ୍କ ସହ ଘଟିଥିବା ଅମାନବୀୟ କାଣ୍ଡ ପାଇଁ ମୁଁ ମର୍ମାହତ। ଗରିବଙ୍କ ପାଇଁ ସୁରକ୍ଷା ଓ ସମ୍ମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।”
ପାଦୁକା ପୂଜା ଓ ସମ୍ବର୍ଦ୍ଧନା ପରେ ଶିବରାଜ ସିଂହ ଚୌହାନ ଶ୍ରମିକ ଦଶମତ ଚୌହାନଙ୍କୁ ଭୋପାଲର ସ୍ମାର୍ଟ ସିଟି ପାର୍କକୁ ନେଇ ଗୋଟିଏ ବୃକ୍ଷ ରୋପଣ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/MP_1688629442.jpg)