Advertisment

ଅନ୍ତର୍ଜାତୀୟ ସ୍ପେଶ ସେଣ୍ଟରରେ କେମିତି କଟୁଛି ଜୀବନ: ମୋଦିଙ୍କୁ ଜଣାଇଲେ ଶୁଭାଂଶୁ

ଅନ୍ତର୍ଜାତୀୟ ସ୍ପେଶ ସେଣ୍ଟରରେ ଶୁଭାଂଶୁ ଏଯାଏ କ’ଣ ସବୁ ଦେଖିଛନ୍ତି ଓ ସେଠାରେ ଜୀବନ କେମିତି କଟୁଛି ବୋଲି ମୋଦି ପ୍ରଶ୍ନ କରିଛନ୍ତି।

author-image
Hemant Lenka
PM Modi

PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ ସେଣ୍ଟରେ ପହଞ୍ଚିଥିବା ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହୋଇଛନ୍ତି। ସେ ଅନ୍ତର୍ଜାତୀୟ ସ୍ପେଶ ସେଣ୍ଟର ବା ଆଇଏସଏସ୍‌ ରହି ମୋଦିଙ୍କ ସହ ସିଧାସଳଖ କଥା ହୋଇଛନ୍ତି। ମୋଦି ଏହି ଭାରତୀୟ ମହାକାଶଚାରୀଙ୍କୁ କହିଛନ୍ତି, “ଆଜି ଆପଣ ଆମ ମାତୃଭୂମି ଠାରୁ ଦୂରରେ ରହିଛନ୍ତି। କିନ୍ତୁ ଆପଣ ପ୍ରତିଟି ଭାରତୀୟଙ୍କ ହୃଦୟର ଅତି ନିକଟରେ ଅଛନ୍ତି। ଆପଣଙ୍କ ନାଁରେ ବି ଶୁଭ ରହିଛି ଓ ଆପଣଙ୍କ ଯାତ୍ରା ନୂଆ ଯୁଗର ଶୁଭାରମ୍ଭ ମଧ୍ୟ।”

Advertisment

ମୋଦିଙ୍କୁ ଜବାବ ଦେଇ ଶୁଭାଂଶୁ କହିଛନ୍ତି, “ଏହା ଏକାକୀ ମୋର ଯାତ୍ରା ନୁହେଁ, ବରଂ ଏହା ଆମ ଦେଶର ଯାତ୍ରା।” ରାକେଶ ଶର୍ମାଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ମହାକାଶକୁ ଯାଇଛନ୍ତି। ଶ୍ରୀ ଶର୍ମା ୧୯୮୪ ମସିହାରେ ପ୍ରଥମ ଭାରତୀୟ ଭାବେ ମହାକାଶକୁ ଯାଇଥିଲେ।

ଅନ୍ତର୍ଜାତୀୟ ସ୍ପେଶ ସେଣ୍ଟରରେ ଶୁଭାଂଶୁ ଏଯାଏ କ’ଣ ସବୁ ଦେଖିଛନ୍ତି ଓ ସେଠାରେ ଜୀବନ କେମିତି କଟୁଛି ବୋଲି ମୋଦି ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ ସେ କହିଛନ୍ତି, “କିଛି କ୍ଷଣ ପୂର୍ବରୁ ମୁଁ ଯେତେବେଳେ ଝରକା ପଟେ ବାହାରକୁ ଦେଖିଥିଲି ସେତେବେଳେ ଆମେ ହାୱାଇ ଉପରେ ରହିଥିଲୁ। ଆମେ ୧୬ ଥର ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟାଦୟ ଦେଖୁଛୁ। ଆମ ଦେଶ ଆଗକୁ ବେଶ ଭଲ ଭାବେ ଦ୍ରୁତ ଗତିରେ ବଢ଼ୁଛି।

Advertisment

ଏଠାରେ ସବୁ କିଛି ଭିନ୍ନ। ଆମେ ପ୍ରାୟ ଗୋଟିଏ ବର୍ଷ ଧରି ଟ୍ରେନିଂ ନେଇଥିଲୁ ଓ ମୁଁ ଭିନ୍ନ ବ୍ୟବସ୍ଥାକୁ ଆପଣାଇଥିଲି। କିନ୍ତୁ ଏଠାକୁ ଆସିବା ପରେ ସବୁ କିଛି ବଦଳି ଯାଇଛି। ଏଠାରେ ଛୋଟ ଛୋଟ ଜିନିଷ ମଧ୍ୟ ଭିନ୍ନ। କାରଣ ସ୍ପେଶରେ କୌଣସି ମାଧ୍ୟାକର୍ଷଣ ଶକ୍ତି ନାହିଁ। ଶୋଇବା ଏଠାରେ ସବୁ ଠାରୁ ବଡ଼ ଚ୍ୟାଲେଞ୍ଜ। ଏହି ପରିବେଶ ସହ ଖାପଖୁଆଇବା ପାଇଁ କିଛି ସମୟ ଲାଗିବ।”

ମହାକାଶରେ ପହଞ୍ଚିବା କ୍ଷଣି ଶୁଭାଂଶୁ କ’ଣ ପ୍ରଥମେ ଚିନ୍ତା କରିଥିଲେ, ସେକଥା କହିବାକୁ ମୋଦି ତାଙ୍କୁ ଜଣାଇବାକୁ କହିଛନ୍ତି। ଏହାର ଜବାବରେ ସେ କହିଛନ୍ତି, “ପ୍ରଥମ ଦୃଶ୍ୟ ଥିଲା ପୃଥିବୀ। ବାହାରୁ ପ୍ରଥମଥର ପୃଥିବୀକୁ ଦେଖିବା ପରେ ମୋ ମନକୁ ଗୋଟିଏ କଥା ଆସିଥିଲା ଯେ ପୂରା ବିଶ୍ୱ ଏକ। ବାହାରୁ କୌଣସି ସୀମା ଦେଖାଯାଉ ନାହିଁ। ପ୍ରଥମଥର ମୁଁ ଭାରତକୁ ଯେତେବେଳେ ଦେଖିଲି ସେତେବେଳେ ଭାରତ ବେଶ ଚମତ୍କାର ଦେଖାଯାଉଛି।

ମ୍ୟାପ ଅପେକ୍ଷା ଆମ ଦେଶ ବହୁତ ବଡ଼। ବାହାରୁ ପୃଥିବୀକୁ ଦେଖିଲେ ଲାଗୁଛି ଯେ କୌଣସି ସୀମା ରେଖା ନାହଁ। କୌଣସି ରାଜ୍ୟ ନାହିଁ। କୌଣସି ଦେଶ ନାହିଁ। ଆମେ ସମସ୍ତେ ମାନବିକତାର ଅଂଶ ଓ ପୃଥିବୀ ହେଉଛି ଆମ ଘର। ଆମେ ସମସ୍ତେ ଏହା ଭିତରେ ରହିଛୁ।”

ବୁଧବାର ନ୍ୟୁୟର୍କର କେନେଡୀ ସ୍ପେଶ ସେଣ୍ଟରରୁ ଉଡ଼ାଣ ଭରିଥିଲେ ଶୁଭାଂଶୁ ଓ ଆଉ ୩ ଜଣ ବୈଜ୍ଞାନିକ। ସେମାନେ ଦୀର୍ଘ ୨୮ ଘଣ୍ଟାର ଯାତ୍ରା ପରେ ଅନ୍ତର୍ଜାତୀୟ ସ୍ପେଶ ସେଣ୍ଟରରେ ପାଦ ରଖିଥିଲେ।

PM Modi Shubhanshu Shukla