Advertisment

ବେଙ୍ଗାଲୁରୁ ଦଳାଚକଟା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ରାଜନୀତିକ ସଚିବ ବହିଷ୍କୃତ

ଏହି ଦଳାଚକଟା ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଆଜି ସକାଳେ ସୂଚନା ଦେଇଛି ବେଙ୍ଗାଲୁରୁ ପୁଲିସ।

author-image
Jitendra Garnayak
ଅଦ୍ୟତନ ହୋଇଛି
K Govindaraj

K Govindaraj

ଆରସିବିର ବିଜୟୋତ୍ସବ ପାଳନ ବେଳେ ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟଣାରେ ଗତକାଲି ବେଙ୍ଗାଲୁରୁ ପୁଲିସ କମିଶନର ଓ ଅନ୍ୟ କେତେକ ପ୍ରମୁଖ ପୁଲିସ ଅଧିକାରୀଙ୍କୁ କର୍ଣ୍ଣାଟକା ସରକାର ନିଲମ୍ବନ କରିଥିବା ବେଳେ ଆଜି ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ରାଜନୀତିକ ସଚିବ କେ ଗୋବିନ୍ଦରାଜଙ୍କୁ ବହିଷ୍କାର କରାଯାଇଛି। କେ ଗୋବିନ୍ଦରାଜ ସେଠାକାର ବିଧାନ ପରିଷଦର ସଦସ୍ୟ ମଧ୍ୟ ଅଛନ୍ତି। ଏହା ସହିତ ରାଜ୍ୟ ଗୁଇନ୍ଦା ବିଭାଗ ମୁଖ୍ୟ ହେମନ୍ତ ନିମ୍ବଲକରଙ୍କୁ ବଦଳି କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଦଳଚକଟା ଘଟିବା ପୂର୍ବରୁ ଗତ ବୁଧବାର ସକାଳେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ କେ ଗୋବିନ୍ଦରାଜ ମଧ୍ୟ ଉପସ୍ଥିତ ଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ବିଜୟୋତ୍ସବ ପାଳନ କରିବାକୁ ଅନୁମତି ପ୍ରଦାନ କରିବାକୁ ସେ ଅଧିକ ଦାବି କରିଥିଲେ। ବେଙ୍ଗାଲୁରୁ ପୁଲିସ୍ କମିଶନର ମନା କରିବା ସତ୍ତ୍ୱେ ବିଜୟୋତ୍ସବ ପାଇଁ ଆରସିବିକୁ ୩ଟି କାର୍ଯ୍ୟକ୍ରମ କରିବାକୁ ଅନୁମତି ଦେବାକୁ ସେ ଜୋର ଦେଇଥିଲେ। ତେବେ ବିଜୟ ଶୋଭାଯାତ୍ରାକୁ ଆଦୌ ଅନୁମତି ଦେଇ ହେବ ନାହିଁ ବୋଲି ପୁଲିସ କମିଶନର କହିଥିଲେ। ଏହା ପରେ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ ଓ ବିଧାନ ସୌଧରେ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦେବାକୁ କେ ଗୋବିନ୍ଦରାଜୁ ପୁଲିସ କମିଶନରଙ୍କୁ ରାଜି କରାଇଥିଲେ।

ଏହି ଦଳାଚକଟା ଘଟଣା ପାଇଁ କର୍ଣ୍ଣାଟକାର କଂଗ୍ରେସ ସରକାର ହରଡ଼ଘଣାରେ ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର (ଗତକାଲି) ବେଙ୍ଗାଲୁରୁ ପୁଲିସ କମିଶନର ବି ଦୟାନନ୍ଦଙ୍କ ସହିତ ଏସିପି ସି ବାଳକୃଷ୍ଣ, ଡିସିପି (ସେଣ୍ଟ୍ରାଲ ଡିଭିଜନ) ଶେଖର ଏଚ୍ ଟେକ୍କନ୍ନାଭର, ଅତିରିକ୍ତ ସିସି ବିକାଶ କୁମାର ଓ କବ୍ବନ ପାର୍କ ଥାନାର ଇନ୍ସପେକ୍ଟର ଏକେ ଗିରିଶଙ୍କୁ ନିଲମ୍ବନ କରାଯାଇଥିଲା। କର୍ତ୍ତବ୍ୟରେ ବ୍ୟାପକ ଅବହେଳା ଅଭିଯୋଗରେ ଏହି ପୁଲିସ ଅଧିକାରୀମାନଙ୍କୁ ସରକାର ନିଲମ୍ବନ କରିଛନ୍ତି।

Advertisment

ପୁଲିସ ଅଧିକାରୀମାନଙ୍କୁ ନିଲମ୍ବନ କରାଯିବା ପରେ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ଉଭୟ ବିଜେପି ଓ ଜେଡି (ଏସ୍‌)। ଏହି ଘଟଣା ପାଇଁ ସରକାର ଦାୟୀ ହୋଇଥିବା ବେଳେ ପୁଲିସ ଅଧିକାରୀମାନଙ୍କୁ ବଳିବୋଦା ସଜା ଯାଇଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସେମାନେ (ବିରୋଧୀ) କେବଳ ରାଜନୀତି କରିବା ପାଇଁ ସେମିତି କହୁଛନ୍ତି। ମୁଁ ଏହି ଘଟଣାରେ ରାଜନୀତି ଚାହେଁନାହିଁ। ଯେଉଁମାନେ ସେମାନଙ୍କ ଦାୟିତ୍ୱକୁ ଠିକ୍ ଢଙ୍ଗରେ କରିନାହାନ୍ତି, ସେମାନଙ୍କୁ ନିଲମ୍ବନ କରାଯାଇଛି।

୪ ଗିରଫ

ଏହି ଦଳାଚକଟା ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଆଜି ସକାଳେ ସୂଚନା ଦେଇଛି ବେଙ୍ଗାଲୁରୁ ପୁଲିସ। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଆରସିବିର ମାର୍କେଟିଂ ମୁଖ୍ୟ ନିଖିଲ ସୋସାଲେ। ସେ ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ସାଢ଼େ ୩ଟା ବେଳେ ତାଙ୍କୁ ବେଙ୍ଗାଲୁରୁ ବିମାନ ବନ୍ଦରରୁ ପୁଲିସ ଗିରଫ କରିଥିଲା।

ଗିରଫ ହୋଇଥିବା ଅନ୍ୟ ୩ ବ୍ୟକ୍ତି ହେଉଛନ୍ତି ବିଜୟୋତ୍ସବ କାର୍ଯ୍ୟକ୍ରମ ପରିଚାଳନା କରିଥିବା କମ୍ପାନୀ ‘ଡିଏନ୍‌ଏ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌’ର। ସେମାନଙ୍କ ମଧ୍ୟରେ କମ୍ପାନୀର ଉପାଧ୍ୟକ୍ଷ ସୁନୀଲ ମାଥ୍ୟୁ ଅଛନ୍ତି।

ପୁଲିସ୍ କର୍ଣ୍ଣାଟକା ରାଜ୍ୟ କ୍ରିକେଟ ଆସୋସିଏସନ୍‌ର ଦୁଇ ଜଣ ଅଧିକାରୀଙ୍କୁ ଗିରଫ କରିବାକୁ ଖୋଜୁଛି। ସେମାନେ ଫେରାର ଥିବା ପୁଲିସ କହିଛି। ଅନ୍ୟପକ୍ଷରେ କର୍ଣ୍ଣାଟକା ରାଜ୍ୟ କ୍ରିକେଟ ଆସୋସିଏସନ୍ ଏହି ମାମଲାରେ ହାଇକୋର୍ଟକୁ ଯାଇଛି। ସେମାନଙ୍କର ଏହି ଦଳାଚକଟା ସହିତ କୌଣସି ସଂପର୍କ ନାହିଁ ବୋଲି ସେମାନେ ଆବେଦନରେ ଦର୍ଶାଇଛନ୍ତି। ସେମାନେ କେବଳ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମକୁ ଭଡ଼ାରେ ଦେଇଥିଲେ ବୋଲି କହିଛନ୍ତି। ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକା ରାଜ୍ୟ କ୍ରିକେଟ ଆସୋସିଏସନ୍‌ର ଅଧିକାରୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଆରସିବିର ବିଜୟୋତ୍ସବ ପାଳନ ବେଳେ ଦଳାଚକଟା ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୭ ଜଣ ଆହତ ହୋଇଥିଲେ। ବିଜୟ ଟିମ୍‌ର ଗୋଟିଏ ଝଲକ ପାଇବା ପାଇଁ ବିଜୟୋତ୍ସବରେ ସାମିଲ ହେବାକୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିବା ବେଳେ ଏହି ଅଘଟଣ ଘଟିଥିଲା।

Bengaluru