/odisha-reporter/media/media_files/2025/11/29/cm-and-dcm-2025-11-29-19-04-03.jpg)
ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଓ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା
କର୍ଣ୍ଣାଟକାରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ବିବାଦ ଶନିବାର ନେଇଛି ନାଟକୀୟ ମୋଡ଼। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏକାଠି ସକାଳ ଜଳଖିଆ କରିବା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ ସେମାନଙ୍କ ମଧ୍ୟରେ କୌଣସି ମନାନ୍ତର ନାହିଁ କି ଭବିଷ୍ୟତରେ ବି ହେବାର ନାହିଁ। ଅନ୍ୟପକ୍ଷରେ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ହସ୍ତକ୍ଷେପ ପରେ ଉଭୟ ନେତାଙ୍କ ମଧ୍ୟରେ ବଡ଼ ଡିଲ୍ ହୋଇଥିବା ସୂଚନା ମିଳିଛି।
ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଥିଲେ, ଆମର ଲକ୍ଷ୍ୟ ହେଉଛି ୨୦୨୮ ବିଧାନସଭା ନିର୍ବାଚନ। ସେହିଭଳି ମ୍ୟୁନିସିପାଲିଟି ଓ ପଞ୍ଚାୟତ ନିର୍ବାଚନ ଆମ ପାଇଁ ଗୁରୁତ୍ୱ ବହନ କରେ। ଆମେ ସେହି ବିଷୟରେ ଆଲୋଚନା କଲୁ। ୨୦୨୮ ନିର୍ବାଚନରେ ପୁଣି କଂଗ୍ରେସକୁ କର୍ଣ୍ଣାଟକାରେ କ୍ଷମତାସୀନ କରିବା ନେଇ ଆମେ ଆଲୋଚନା କଲୁ। ଆମେ ଏକାଠି କାର୍ଯ୍ୟ କରିବୁ ବୋଲି ଆଲୋଚନା କଲୁ। ଆମ ମଧ୍ୟରେ କୌଣସି ମନାନ୍ତର ନାହିଁ ଓ ଭବିଷ୍ୟତରେ ବି ହେବାର ନାହିଁ।
ସେହିଭଳି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ବିବାଦକୁ ନେଇ ସେ କହିଥିଲେ, ଆମେ ନିଷ୍ପତ୍ତି ନେଇଛୁ ଯେ ହାଇକମାଣ୍ଡ ଯାହା କହିବେ, ଆମେ ତାକୁ ମାନିବୁ। ଆସନ୍ତାକାଲିଠାରୁ ଆଉ କିଛି ଦ୍ୱନ୍ଦ୍ୱ ରହିବ ନାହିଁ। ଏବେ ସୁଦ୍ଧା କୌଣସି ଦ୍ୱନ୍ଦ୍ୱ ନାହିଁ। ଗଣମାଧ୍ୟମରେ ପ୍ରକାଶିତ କିଛି ଖବର ହିଁ ଦ୍ୱନ୍ଦ୍ୱ ଉତ୍ପନ୍ନ କରିଛି।
ବିଜେପି ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରୁଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଥିଲେ ଯେ ମିଛ କହିବା ବିଜେପି ଓ ଜେଡିଏସ୍ର ଅଭ୍ୟାସ। ସେମାନେ ଅନାସ୍ଥା ପ୍ରସ୍ତାବ ଆଣିବେ ବୋଲି କହୁଛନ୍ତି। ସେମାନଙ୍କର କେବଳ ୬୦ ଓ ୧୮ ଜଣ ସଦସ୍ୟ ଅଛନ୍ତି। ଆମର ୧୪୦ ସଦସ୍ୟ ଅଛନ୍ତି। ତେଣୁ ସେମାନଙ୍କ ଅନାସ୍ଥା ପ୍ରସ୍ତାବ ଏକ ବ୍ୟର୍ଥ ପ୍ରୟାସ ହେବ।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଉପସ୍ଥିତ ଥିଲେ। ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଭଳି କହିଥିଲେ। ସେ ନିଜକୁ କଂଗ୍ରେସର ବିଶ୍ୱସ୍ତ ସୈନିକ କହିଥିଲେ ଓ କଂଗ୍ରେସ ହାଇକମାଣ୍ଡ ସମନ ପାଇଲେ ଦିଲ୍ଲୀ ଯିବେ ବୋଲି କହିଥିଲେ।
ଶିବକୁମାର କହିଥିଲେ, ଯେତେଦୂର ନେତୃତ୍ୱ କଥା ଉଠୁଛି, ସେଥିରେ ଆମେ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ଅନୁସରଣ କରିବୁ। ହାଇକମାଣ୍ଡ ଯାହା କହିବେ, ତାହା ଆମ ନିଷ୍ପତ୍ତି ହେବ। ଆମେ ଦଳର ବିଶ୍ୱସ୍ତ କର୍ମୀ। ଆମେ ଜାଣିଛୁ, ଦେଶରେ ଦଳ ଏବେ ଏକ ଦୁଃସ୍ଥ ସମୟ ଦେଇ ଗତି କରୁଛି। କିନ୍ତୁ ଆମେ ଜାଣିଛୁ କର୍ଣ୍ଣାଟକା ଏକ ପ୍ରମୁଖ ଭୂମିକା ନିର୍ବାହ କରିବ। ଆମେ ୨୦୨୮ରେ ପୁଣି ସରକାର ଗଠନ କରିବୁ। ତା’ ସହିତ ୨୦୨୯ ସାଧାରଣ ନିର୍ବାଚନରେ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲଙ୍କ ନେତୃତ୍ୱରେ ଦଳ ଭଲ କରିବ।
ଏକାଠି ସାମ୍ବାଦିକ ସମ୍ମିଳନୀ କରିବା ସହିତ ଉଭୟ ସାଙ୍ଗ ହୋଇ ସକାଳ ଜଳଖିଆ କରିଥିବା କଥା ନିଜ ନିଜ ‘ଏକ୍ସ’ରେ ପୋଷ୍ଟ କରିଥିଲେ।
କୁହାଯାଉଛି, ଆଜିର ଏହି ପୂରା କାର୍ଯ୍ୟକ୍ରମ କଂଗ୍ରେସ ହାଇକମାଣ୍ଡଙ୍କ ଦ୍ୱାରା ବେଶ୍ ଯତ୍ନର ସହିତ ରଚାଯାଇଥିବା ଏକ ନାଟକ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ସିଦ୍ଦରମୈୟା ଓ ଶିବକୁମାର ଗୋଷ୍ଠୀ ମଧ୍ୟରେ ଚାଲିଥିବା ବିବାଦକୁ ସାମୟିକ ଭାବେ ପ୍ରଶମିତ କରିବାକୁ ଏହା କଂଗ୍ରେସ ହାଇକମାଣ୍ଡଙ୍କର ଏକ ଉଦ୍ୟମ ଥିଲା। ତେବେ ଏହା କେତେ ଦିନ କାମ କରୁଛି, ତାହା ଦେଖିବାର କଥା।
ଡିକେ ଶିବକୁମାରକୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ପାଇଁ ପୂର୍ବରୁ ବି ଦାବି ହୋଇଛି। କିନ୍ତୁ ଚଳିତ ମାସରେ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୈୟାଙ୍କ କାର୍ଯ୍ୟକାଳ ଅଢ଼େଇ ବର୍ଷ ପୂରଣ ହୋଇଯିବା ପରେ ଏହି ଦାବି ଜୋର ଧରିଥିଲା। ଶିବକୁମାର ମଧ୍ୟ ଏଥିରେ ନିଜକୁ ସାମିଲ କରି ନେଇଥିଲେ। ତାଙ୍କ ମନ୍ତବ୍ୟ ଓ ଏକ୍ସ ପୋଷ୍ଟରୁ ଆପାତତଃ ଏତିକି ଅନୁମାନ କରି ହେଉଛି। ଲାଗୁଥିଲା, ତାଙ୍କ ଧୈର୍ଯ୍ୟ ସୀମା ଟପି ସାରିଛି। ତେବେ ଆଜି ଏଥିରେ ସାମୟିକ ଭାବେ ବ୍ରେକ୍ ଲାଗିଛି ବୋଲି ରାଜନୀତିକ ସମୀକ୍ଷକମାନେ କହୁଛନ୍ତି। କଂଗ୍ରେସର ଶୀର୍ଷ ନେତୃତ୍ୱ କେଉଁଭଳି ଭାବେ ଏହି ସଙ୍କଟର ସମାଧାନ କରିବେ, ଏବେ ତାହା ଉପରେ ରହିଛି ସମସ୍ତଙ୍କ ନଜର। କାରଣ ଉଭୟ ନେତା ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ମଧ୍ୟରୁ କାହାକୁ ଦଳ ଅସନ୍ତୁଷ୍ଟ କରିବା ପାଇଁ ଚାହିଁବ ନାହିଁ। ନହେଲେ ଏହା ଦଳ ପାଇଁ ଭବିଷ୍ୟତରେ କ୍ଷତିକାରକ ହୋଇପାରେ।
ମାର୍ଚ୍ଚ-ଏପ୍ରିଲରେ ବଦଳିପାରେ ନେତୃତ୍ୱ
ସୂଚନା ଏହା ବି ମିଳିଛି ଯେ ଡିକେ ଶିବକୁମାରଙ୍କ ଓ ସିଦ୍ଦରମୈୟାଙ୍କ ମଧ୍ୟରେ ଏକ ବୁଝାମଣା ହୋଇଛି। ଆସନ୍ତା ବର୍ଷ ମାର୍ଚ୍ଚ କିମ୍ବା ଏପ୍ରିଲରେ ଶିବକୁମାର ହୋଇପାରନ୍ତି କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ। ତେବେ ସେତେଦିନ ପର୍ଯ୍ୟନ୍ତ ସେ ଚୁପ୍ ରହିବେ। ଏହି ପ୍ରସଙ୍ଗକୁ ନେଇ ସେ କିମ୍ବା ତାଙ୍କ ସମର୍ଥକମାନେ ହଙ୍ଗାମା କରିବେ ନାହିଁ। ସେ ଉପ-ମୁଖ୍ୟମନ୍ତ୍ରୀ ପଦରେ ରହି କାର୍ଯ୍ୟ କରିବେ। କର୍ଣ୍ଣାଟକା କଂଗ୍ରେସର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ ଜାରି ରଖିବେ। ଏହା ସହିତ ତାଙ୍କର ବିଶ୍ୱସ୍ତ ବିଧାୟକମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ କ୍ୟାବିନେଟ୍ରେ ସାମିଲ କରାଯିବ।
ଏହା ସହିତ ଆଉ ଏକ ଡିଲ୍ ମଧ୍ୟ ହୋଇଛି। ୨୦୨୮ ସାଧାରଣ ନିର୍ବାଚନରେ ଡିକେ ଶିବକୁମାରଙ୍କ ନେତୃତ୍ୱକୁ ସିଦ୍ଦରମୈୟାଙ୍କୁ ସମର୍ଥନ କରିବାକୁ ହେବ। ଅବଶ୍ୟ ସିଦ୍ଦରମୈୟା ପୂର୍ବରୁ କହିସାରିଛନ୍ତି ଯେ ଏହା ତାଙ୍କର ଅନ୍ତିମ କାର୍ଯ୍ୟକାଳ ହେବ।
ଏହି ବୁଝାମଣାକୁ ଶିବକୁମାର ମାନିବା ପଛରେ ମଧ୍ୟ କାରଣ ରହିଛି। ଅସନ୍ତୁଷ୍ଟ ହୋଇ ଦଳର ଏକ ଗୋଷ୍ଠୀକୁ ଧରି ବାହାରିଯିବା ପାଇଁ ତାଙ୍କ ପାଖରେ ଏବେ ସଂଖ୍ୟା ନାହିଁ ବୋଲି କୁହାଯାଉଛି। ସେହିଭଳି ସିଦ୍ଦରମୈୟାଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କୁ ହଠାତ୍ ପଦଚ୍ୟୁତ କରିବା ଦଳ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି ସେ ଭଲ ଭାବେ ଜାଣିଛନ୍ତି। ଲୋକେ ଏହାକୁ ସହଜରେ ଗ୍ରହଣ କରିନପାରନ୍ତି। ତେବେ ପ୍ରଶ୍ନ ଉଠୁଛି, ଏହି ଫର୍ମୁଲା ସଫଳ ହେବ ତ? ସିଦ୍ଦରମୈୟାଙ୍କ ଉପରେ ଭରସା କରିପାରିବେ କି ଶିବକୁମାର?
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
