Advertisment

‘ସିନ୍ଦେଙ୍କ ଯୁଗ ଶେଷ, ଆଉ କେବେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ’

ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ତାଙ୍କୁ ସମାଲୋଚନା କରିଛନ୍ତି ସଞ୍ଜୟ।

author-image
Jitendra Garnayak
Eknath Shinde

Eknath Shinde

ମହାରାଷ୍ଟ୍ରରେ ଆଜିଠାରୁ ପୁଣି ଆରମ୍ଭ ହୋଇଛି ଦେବେନ୍ଦ୍ର ଫଡ଼ନାବିସଙ୍କ ଶାସନ। ତୃତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ନେଇଛନ୍ତି ଶପଥ। ତାଙ୍କ ସହିତ ଶପଥ ନେଇଛନ୍ତି ଏକନାଥ ସିନ୍ଦେ ଓ ଅଜିତ ପାୱାର। ସେମାନେ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଏକନାଥ ସିନ୍ଦେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ରଖିଥିବା ବେଳେ ନାହିଁ ନାହିଁ ଭିତରେ ଶେଷରେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି। ତେଣୁ ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବ ସେନା ନେତା ତଥା ସାଂସଦ ସଞ୍ଜୟ ରାଉତ। ଏମିତିକି ବିଜେପି ତାଙ୍କ (ଏକନାଥ ସିନ୍ଦେଙ୍କ) ଶିବ ସେନାକୁ ଭାଙ୍ଗି ଦେବ ବୋଲି ସେ କହିଛନ୍ତି।

Advertisment

ସଞ୍ଜୟ ରାଉତ କହିଛନ୍ତି, ସିନ୍ଦେଙ୍କ ଯୁଗ ଶେଷ ହୋଇଯାଇଛି। ତାଙ୍କ ଯୁଗ କେବଳ ଦୁଇ ବର୍ଷ ପାଇଁ ଥିଲା। ତାଙ୍କ ଉଦ୍ଦେଶ୍ୟ ପୂରଣ ହୋଇଗଲା। ତାଙ୍କୁ ଫୋପାଡ଼ି ଦିଆଗଲା। ସେ ଆଉ କେବେବି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ସେମାନେ (ବିଜେପି) ସିନ୍ଦେଙ୍କ ଦଳକୁ ଭାଙ୍ଗି ପାରିବେ। ରାଜନୀତିରେ ବିଜେପି ସର୍ବଦା ଏଭଳି କରିଆସିଛି। ସେମାନେ ଯେଉଁ ଦଳ ସହ ମିଶି କାମ କରନ୍ତି, ସେଗୁଡ଼ିକୁ ନଷ୍ଟ କରି ଦିଅନ୍ତି।

ସେ କହିଛନ୍ତି, ମହାୟୁତି ମେଣ୍ଟ ପାଖରେ ବହୁମତ ଥିବା ସତ୍ତ୍ୱେ ସରକାର ଗଠନରେ ବିଳମ୍ବ ହେଲା। ତା’ ଅର୍ଥ ସେମାନଙ୍କ ଦଳରେ ବା ମହାୟୁତିରେ କିଛି ସମସ୍ୟା ରହିଛି। ଯାହା ବି ସମସ୍ୟା ରହିଛି, ତାହା ଆସନ୍ତାକାଲିଠାରୁ ଦେଖିବାକୁ ମିଳିବ। ସେମାନେ ମହାରାଷ୍ଟ୍ର କିମ୍ବା ଦେଶର ହିତ ପାଇଁ କାମ କରୁ ନାହାନ୍ତି। ସେମାନେ ନିଜ ନିଜ ସ୍ୱାର୍ଥ ପାଇଁ ଏକାଠି ହୋଇଛନ୍ତି। ରାଜ୍ୟରେ ଏବେ ଲୋକେ ନିର୍ବାଚନ ଫଳାଫଳକୁ ବିରୋଧ କରି ରାସ୍ତାକୁ ଆସୁଛନ୍ତି। କାରଣ ଏହି ଫଳାଫଳକୁ ସେମାନେ ଗ୍ରହଣ କରିପାରୁ ନାହାନ୍ତି। ତଥାପି, ରାଜ୍ୟ ଆଜି ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଆମେ ତାଙ୍କୁ ସ୍ୱାଗତ କରୁଛୁ।

Advertisment

ସୂଚନାଯୋଗ୍ୟ, ଆଜି ଦେବେନ୍ଦ୍ର ଫଡ଼ନାବିସ ମୁଖ୍ୟମନ୍ତ୍ରୀ ଓ ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆଉ କେହି ମନ୍ତ୍ରୀ ଭାବେ ଶପଥ ନେଇ ନାହାନ୍ତି। ପରବର୍ତ୍ତୀ ସମୟରେ ମେଣ୍ଟ ଦଳଗୁଡ଼ିକ ମଧ୍ୟରେ ମନ୍ତ୍ରୀ ପଦ ଆବଣ୍ଟନ ହେବ ବୋଲି ଜଣାପଡ଼ିଛି।

Eknath Shinde