/odisha-reporter/media/media_files/2026/02/24/bhopal-2026-02-24-16-37-40.jpg)
ଏହି ୩ ଜଣଙ୍କୁ ଗିରଫ କରାଯାଇଛି
ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ମଧ୍ୟପ୍ରଦେଶର ଭୋପାଲରୁ ପୁଲିସ୍ ୨ ଜଣ ଭଉଣୀଙ୍କୁ ଗିରଫ କରିଛି। ଯୁବତୀମାନଙ୍କୁ ଚାକିରି ଦେବା ନାଁରେ ଏହି ଦୁଇ ଭଉଣୀ ସେମାନଙ୍କୁ ସେକ୍ସ ରାକେଟରେ ସାମିଲ କରାଉଥିଲେ। ଦୁଷ୍କର୍ମ(Stop Rape) ଓ ଧର୍ମ ପରିବର୍ତ୍ତନ ମଧ୍ୟ ଏମାନେ ବଳପୂର୍ବକ କରାଉଥିବା ଅଭିଯୋଗ ହୋଇଛି। ଗିରଫ ଦୁଇ ଅଭିଯୁକ୍ତ ଭଉଣୀ ହେଲେ ଅମରୀନ ଓ ଅଫରୀନ। ଏମାନଙ୍କ ସହ ପୁଲିସ୍ ଚନ୍ଦନ ଯାଦବ ନାମକ ଜଣେ ଯୁବକଙ୍କୁ ମଧ୍ୟ ଗିରଫ କରିଛି।
ରବିବାର ରାତିରେ ଜଣେ ୨୧ ଓ ଜଣେ ୩୨ ବର୍ଷୀୟ ଯୁବତୀ ପ୍ରଥମେ ବାଗ ସେୱାନିଆ ପୁଲିସ୍ ଷ୍ଟେସନରେ ପୃଥକ ପୃଥକ ସମୟରେ ପହଞ୍ଚିଥିଲ। ସେମାନେ ଅଲଗା ଅଲଗା ଆସିଥିଲେ ହେଁ ଉଭୟଙ୍କ ଅଭିଯୋଗ ସମାନ ରହିଥିଲା। ଏହାପରେ ପୁଲିସ୍ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୁଇ ଯୁବତୀଙ୍କ ଅଭିଯୋଗ ପରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବିଲାଲ, ଚାନୁ ଓ ୟାସିର ନାମକ ୩ ଜଣ ଅଭିଯୁକ୍ତ ଫେରାର ରହିଛନ୍ତି।
ପୁଲିସର ସୂଚନା ଅନୁଯାୟୀ, ଗିରଫ ହୋଇଥିବା ୨ ଭଉଣୀ ଏକଦା ଆବାସ ନଗରର ଗୋଟିଏ ବସ୍ତିରେ ରହୁଥିଲେ। ନିକଟରେ ସେମାନେ ଭୋପାଲର ସାଗର ରୟାଲ ଭିଲାରେ ଥିବା ଗୋଟିଏ ଦାମୀ ଘରକୁ ଶିଫ୍ଟ ହୋଇଥିଲେ। ଯୁବତୀଙ୍କୁ ଶୋଷଣ କରି ସେମାନେ ମୋଟା ଅଙ୍କର ଆୟ କରିବା ପରେ ବସ୍ତିରୁ ସିଧା ଭିଲାରେ ପହଞ୍ଚିଥିଲେ।
ଦୁଇ ଭଉଣୀ ଆର୍ଥିକ ଦୁର୍ବଳ ବର୍ଗର ଝିଅମାନଙ୍କୁ ଟାର୍ଗେଟ କରୁଥିଲେ। ସେମାନଙ୍କୁ ମାସିକ ୧୦ ହଜାର ଟଙ୍କା, ମାଗଣା ରହିବା, ଖାଇବା ସହ ଘରୋଇ କାମରେ ନିୟୋଜିତ କରିବାର ଲୋଭ ଦେଖାଇ ନିଜ ଜାଲରେ ଫସାଉଥିଲେ। ସେମାନଙ୍କ କଥାରେ ରାଜି ହେଉଥିବା ଯୁବତୀ ଥରେ ଘରୁ ବାହାରିବା ପରେ ସେମାନଙ୍କ ଜୀବନ ସତେ ଯେମିତି ନର୍କରେ ପରିଣତ ହୋଇ ଯାଉଥିଲା।
ରବିବାର ପୁଲିସ୍ ନିକଟରେ ଅଭିଯୋଗ କରିଥିବା ୨ ଯୁବତୀଙ୍କ କହିବା କଥା ଯେ ସେମାନେ ଚାକିରି ଲୋଭରେ ଦୁଇ ଭଉଣୀଙ୍କ କଥାରେ ରାଜି ହୋଇଥିଲେ। ସେମାନଙ୍କୁ ସମୟକ୍ରମେ ବିଭିନ୍ନ ପାର୍ଟି, ପବ୍ସ ଓ ଲାଉଞ୍ଜରେ ସାମିଲ କରାଯାଇଥିଲା। ସେଠାରେ ସେମାନଙ୍କୁ ଧନୀ ଲୋକଙ୍କ ମନୋରଞ୍ଜନ କରିବାକୁ କୁହାଯାଉଥିଲା।
ପାର୍ଟିରେ ଦୁଇ ଅଭିଯୋଗକାରୀଙ୍କୁ ମଦ ପିଇବାକୁ ବାଧ୍ୟ କରାଯିବା ସହ ଏମଡି ଡ୍ରଗ୍ସ ସେବନ କରିବାକୁ ବାଧ୍ୟ କରାଯାଉଥିଲା। ଅଧିକାଂଶ ସମୟରେ ସେମାନଙ୍କୁ ନିଶା ଦେଇ ଯୌନ ଶୋଷଣ ମଧ୍ୟ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।
ଦୁଇ ଅଭିଯୋଗକାରୀଙ୍କ ମଧ୍ୟରୁ ଜଣେ ହେଲେ ଛତିଶଗଡ଼ର ମୁଙ୍ଗେଲି ଜିଲ୍ଲାର। ସେ ଜଣେ ବ୍ୟୁଟିସିଆନ ଭାବେ କାମ କରନ୍ତି। ସେ ଅଭିଯୋଗ କରିଛନ୍ତି ଯେ କାମ ଦେବା ନାଁରେ ତାଙ୍କୁ ୨୦୨୫ ଡିସେମ୍ବର ମାସରେ ଅହମଦାବାଦ ନିଆଯାଇଥିଲା। ସେଠାରେ ତାଙ୍କୁ ଅମରୀନର ସମ୍ପର୍କୀୟ ୟାସିର ଦୁଷ୍କର୍ମ କରିଥିଲେ। ବିଲାଲ ଓ ଚନୁ ମଧ୍ୟ ତାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।
ଦ୍ୱିତୀୟ ଅଭିଯୋଗକରୀ ଭୋପାଲର। ସେ ଅମରୀନଙ୍କ ଘରେ ସହାୟକ ଭାବେ କାମ କରୁଥିଲେ। ସେ ପୁଲିସ୍କୁ କହିଛନ୍ତି ଯେ ତାଙ୍କୁ ଚନ୍ଦନ ଯାଦବ ନିଜ ଭଉଣୀଙ୍କ ନାରାୟଣ ନଗର ସ୍ଥିତ ଘରେ ଦୁଷ୍କର୍ମ କରିଥିଲେ। ଅମରୀନ ସେଠାରେ ତାଙ୍କୁ ଏକାକୀ ଛାଡ଼ି ଚାଲି ଯିବା ପରେ ଚନ୍ଦନ ଏପରେ କାଣ୍ଡ ଘଟାଇଥିଲେ। ତାଙ୍କୁ ମୁହଁ ବନ୍ଦ ରଖିବାକୁ ଧମକ ମଧ୍ୟ ମିଳିଥିଲା।
ଏହି ମାମଲାରେ ସବୁଠାରୁ ସାଂଘାତିକ ଅଭିଯୋଗ ହେଉଛି ବଳପୂର୍ବକ ଧର୍ମ ପରିବର୍ତ୍ତନ। ଏଫଆଇଆର ଅନୁସାରେ, ଚନ୍ଦନ ଯାଦବ ଜଣେ ପୀଡ଼ିତାଙ୍କ କହିଥିଲେ ଯେ “ମୁଁ ଇସଲାମ ଧର୍ମ ଗ୍ରହଣ କରି ନେଇଛି। ତୁମେ ମଧ୍ୟ ମୁସଲିମ ବନି ଯାଅ। ମୁଁ ତୁମକୁ ଗୋଟିଏ ଭଲ ପରିବାରେ ବାହା କରାଇ ଦେବି।”
ଚାପର ବଶବର୍ତ୍ତୀ ପୀଡ଼ିତାଙ୍କ ଜଣଙ୍କ ଧର୍ମ ପରିବର୍ତ୍ତନ କରିଥିଲେ ଓ ପରବର୍ତ୍ତୀ ସମୟରେ ବୁର୍ଖା ପିନ୍ଧି ପ୍ରାର୍ଥନା ମଧ୍ୟ କରିଥିଲେ। ପୁଲିସ ଏବେ ଏହି ସବୁ ଅଭିଯୋଗର ଯାଞ୍ଚ କରୁଛି। ସୋମବାର ଗିରଫଦାରୀ ସମୟରେ ପୁଲିସ୍ ଅମରୀନ, ଅଫରୀନ ଓ ଚନ୍ଦନଙ୍କ ମୋବାଇଲ ଫୋନଗୁଡ଼ିକୁ ଜବତ କରିଛି।
ଅମରୀନଙ୍କ ଫୋନରୁ ଏକାଧିକ ସନ୍ଦିଗ୍ଧ ହ୍ୱାଟସଆପ ଗ୍ରୁପ ସମ୍ପର୍କରେ ସୂଚନା ମଧ୍ୟ ମିଳିଛି। ଏହି ଗ୍ରୁପରେ ଏକାଧିକ ଯୁବତୀଙ୍କ ଫଟୋକୁ ଶେୟାର କରାଯାଇଛି। ଦୁଇ ଭଉଣୀ ଗୋଟିଏ ବଡ଼ ସେକ୍ସ ରାକେଟର ଅଂଶ ବିଶେଷ ବୋଲି ପୁଲିସ୍ ଆଶଙ୍କା କରିଛି।
ପୀଡ଼ିତାମାନଙ୍କୁ ଗୁଜରାଟ ଓ ମୁମ୍ବାଇ ମଧ୍ୟ ନିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ତେଣୁ ମଧ୍ୟପ୍ରଦେଶ ପୁଲିସ୍ ତା’ର ତଦନ୍ତ ପରିସରକୁ ବ୍ୟାପକ କରିବ ବୋଲି କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
