Advertisment

ମନ୍ଦିରରେ ଦଳାଚକଟା: ୬ ଜଣଙ୍କ ମୃତ୍ୟୁ, ୨୫ରୁ ଅଧିକ ଆହତ

ବିଦ୍ୟୁତ୍ ତାର ଛିଡ଼ି ଲୋକଙ୍କ ଉପରେ ପଡ଼ିଯାଇଥିବା ନେଇ ସୃଷ୍ଟି ହୋଇଥିବା ଗୁଜବରୁ ଏହି ଦଳଚକଟା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ କହିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Crowd

Crowd

ଉତ୍ତରାଖଣ୍ଡର ହରିଦ୍ୱାରରେ ମନସା ଦେବୀ ମନ୍ଦିରରେ ରବିବାର ଦଳଚକଟାରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷର ନାବାଳକ ରହିଛନ୍ତି।

Advertisment

ମୁଖ୍ୟ ମନ୍ଦିରକୁ ଯିବା ରାସ୍ତାରେ ଥିବା ପାହାଚରେ ଏହି ଦଳଚକଟା ହୋଇଥିଲା। ବିଦ୍ୟୁତ୍ ତାର ଛିଡ଼ି ଲୋକଙ୍କ ଉପରେ ପଡ଼ିଯାଇଥିବା ନେଇ ସୃଷ୍ଟି ହୋଇଥିବା ଗୁଜବରୁ ଏହି ଦଳଚକଟା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ କହିଛି।

ଦଳଚକଟା ନେଇ ଖବର ପାଇବା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଉଦ୍ଧାର କାର୍ଯ୍ୟରେ ଉତ୍ତରାଖଣ୍ଡ ପୁଲିସ୍‌ର ଷ୍ଟେଟ ଡିଜାଷ୍ଟର ରେସପନ୍ସ ଫୋର୍ସ (ଏସ୍‌ଡିଆରଏଫ) ମଧ୍ୟ ସାମିଲ ହୋଇଥିଲା।

Advertisment

ହରିଦ୍ୱାରର ଏସ୍‌ଏସ୍‌ପି ପରମେନ୍ଦ୍ର ସିଂହ ଦେଓଲ କହିଛନ୍ତି ଯେ ଘଟଣାସ୍ଥଳରୁ ପ୍ରାୟ ୩୫ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ସେଠାରେ ମୃତ ଘୋଷଣା କରାଯାଇଥିଲା। ମନ୍ଦିର ପରିସରରେ ବିଦ୍ୟୁତ୍ ତାର ଛିଡ଼ି ଲୋକଙ୍କ ଉପରେ ପଡ଼ିଯାଇଥିବା ନେଇ ଉଠିଥିବା ଗୁଜବରୁ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।

ଏହି ଘଟଣାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଖବର ପାଇବା ମାତ୍ରେ ସେ ନିଜେ ସ୍ଥାନୀୟ ପ୍ରଶାସନ ସହିତ ଯୋଗାଯୋଗରେ ରହିଥିଲେ ଓ ଉଦ୍ଧାର କାର୍ଯ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିଲେ।

ଉତ୍ତରାଖଣ୍ଡ ସରକାର ମୃତକଙ୍କ ପରିବାରଗୁଡ଼ିକ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଥିବା ବେଳେ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

Stampede