/odisha-reporter/media/post_attachments/uploadimage/library/16_9/16_9_0/IG__1706632031.jpg)
IG
ଛତିଶଗଡ଼ର ବସ୍ତର ଅଞ୍ଚଳରେ ଆଜି ବଡ଼ ଧରଣର ନକ୍ସଲ ହମଲା ହୋଇଛି। ଏଥିରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ପାଲଟା ଆକ୍ରମଣରେ ୬ ଜଣ ନକ୍ସଲ ନିହତ ହୋଇଛନ୍ତି।
ବସ୍ତର ଆଇଜି ସୁନ୍ଦରରାଜ ପଟ୍ଟଲିଙ୍ଗମ କହିଛନ୍ତି, ଟେକୁଲଗୁଡେମରେ ଆଜି ଏକ କ୍ୟାମ୍ପ ତିଆରି କରାଯାଉଥିବା ବେଳେ ନକ୍ସଲମାନେ ଆକ୍ରମଣ କରିଥିଲେ। ସେଠାରେ ମୁତୟନ ହୋଇଥିବା ସିଆରପିଏଫ୍ର କୋବ୍ରା ବାହିନୀ ସହିତ ସ୍ପେଶାଲ ଟାସ୍କଫୋର୍ସ ଓ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି)ର ସୁରକ୍ଷାକର୍ମୀମାନେ ଏହା ଜବାବ ଦେଇଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ମିଳିଥିବା ଭିଜୁଆଲରୁ ସ୍ପଷ୍ଟ ହୋଇଛି।
ସେ କହିଛନ୍ତି, ଆହତ ଯବାନମାନଙ୍କୁ ରାୟପୁରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କାହାରି ଅବସ୍ଥା ଗୁରୁତର ନାହିଁ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଘଟଣା ଘଟିଥିବା ଅଞ୍ଚଳରେ ଅପରେସନ ଜାରି ରହିଛି। ନକ୍ସଲଙ୍କ ଏହି ଆକ୍ରମଣ ସତ୍ତ୍ୱେ ଆମେ ଭୟଭୀତ ନାହୁଁ। ସେଠାରେ କ୍ୟାମ୍ପ ହେବ ଓ ଉକ୍ତ ଅଞ୍ଚଳରେ ନକ୍ସଲ ବିରୋଧୀ କାର୍ଯ୍ୟାନୁଷ୍ଠାନ ଜାରି ରହିବ।
ସୂଚନାଯୋଗ୍ୟ, ବିଜାପୁର ଓ ସୁକମା ଜିଲ୍ଲା ସୀମାରେ ଟେକୁଲଗୁଡେମ ଗାଁ ରହିଛି। ଟେକୁଲଗୁଡେମ ହେଉଛି ସେହି ସ୍ଥାନ ଯେଉଁଠାରେ ୨୦୨୧ ମସିହାରେ ନକ୍ସଲଙ୍କ ଆକ୍ରମଣରେ ୨୩ ଜଣ ଯବାନ ସହିଦ ହୋଇଥିଲେ ଓ ୩୩ ଜଣ ଆହତ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
