Advertisment

‘ମାସିକ ଋତୁସ୍ରାବ ବାଧକ ନୁହେଁ, ଦରମା ଛୁଟି ନିୟମର ଆବଶ୍ୟକତା ନାହିଁ’

‘ମାସିକ ଋତୁସ୍ରାବ ମହିଳା ତଥା ଯୁବତୀଙ୍କ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା। ଏହାକୁ ଜୀବନର ବାଧକ ରୂପେ ବିବେଚନା କରିବା ଉଚିତ ନୁହେଁ। ’

author-image
Niharika Rout
Smriti Irani

Smriti Irani

‘ମାସିକ ଋତୁସ୍ରାବ ମହିଳା ତଥା ଯୁବତୀଙ୍କ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା। ଏହାକୁ ଜୀବନର ବାଧକ ରୂପେ ବିବେଚନା କରିବା ଉଚିତ ନୁହେଁ। ତେଣୁ ଋତୁସ୍ରାବ ସମୟରେ ମହିଳା କର୍ମଚାରୀଙ୍କୁ ଛୁଟି ସହ ବାଧ୍ୟତାମୂଳକ ଦରମାର ଆବଶ୍ୟକତା ନାହିଁ।’ ସମଗ୍ର ଦେଶରେ ଋତୁସ୍ରାବ ସମୟରେ ଦରମା ସହିତ ଛୁଟି ନୀତିକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ସିଧାସଳଖ ଖଣ୍ଡନ କରିଛନ୍ତି କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ।

Advertisment

ଋତୁସ୍ରାବ ସ୍ୱଚ୍ଛତା ନୀତି ଉପରେ ଆରଜେଡି ନେତା ମନୋଜ କୁମାର ଝା’ଙ୍କ ପ୍ରଶ୍ନର ଉତ୍ତରରେ ଇରାନୀ ରାଜ୍ୟସଭାରେ ଏହି କଥା କହିଛନ୍ତି। ସେ କହିଛନ୍ତି, “ଋତୁସ୍ରାବ ଏକ ସ୍ୱାଭାବିକ ଋତୁ ଚକ୍ର ଅଟେ, ଏକ ଅକ୍ଷମତା ନୁହେଁ, ଏହା ମହିଳାଙ୍କ ଜୀବନ ଯାତ୍ରାର ଏକ ପ୍ରାକୃତିକ ଅଂଶ । ଆମେ ଏପରି ପ୍ରସ୍ତାବ ଦେବା ଉଚିତ୍ ନୁହେଁ ଯେଉଁଠାରେ ମହିଳା କର୍ମଚାରୀମାନେ ଅନ୍ୟମାନଙ୍କଠାରୁ ସମାନ ସୁଯୋଗରୁ ବଞ୍ଚିତ ହେବେ । କାରଣ ଋତୁସ୍ରାବ ନ କରୁଥିବା ବ୍ୟକ୍ତିଙ୍କର ଏଥି ପ୍ରତି ଏକ ଭିନ୍ନ ଦୃଷ୍ଟିକୋଣ ରହିଛି।

ଋତୁସ୍ରାବ ସମୟରେ ଦରମା ସହ ଛୁଟି ପ୍ରସ୍ତାବକୁ ମନା କରିଥିବା ଇରାନୀ କିନ୍ତୁ ଋତୁସ୍ରାବ ସମୟରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି । ଏପରିକି ସମଗ୍ର ଦେଶରେ ନାବାଳିକା ଓ ଯୁବତୀ ଓ ମହିଳାଙ୍କୁ ସ୍ୱଚ୍ଛତା ସମ୍ପର୍କରେ ସଚେତନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସ୍ୱତନ୍ତ୍ର ଡ୍ରାଫ୍ଟ ପ୍ରସ୍ତୁତ ହେବ ବୋଲି ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ ଶିକ୍ଷା ତଥା ସଚେତନତାମୂଳକ କାର୍ଯ୍ୟକ୍ରମ ଜରିଆରେ ଋତୁସ୍ରାବ ସମୟରେ ସ୍ୱଚ୍ଛତା ପ୍ରତି ଜନଜାଗରଣ ସୃଷ୍ଟି କରିବାକୁ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି।

Advertisment

ଏଥିସହ ସେ ଏବେ କାର୍ଯ୍ୟକ୍ଷମ ଥିବା 'Promotion of Menstrual Hygiene Management (MHM)' ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ୧୦ରୁ ୧୯ ବର୍ଷୀୟ ନାବାଳିକା ଓ ଯୁବତୀଙ୍କ ମଧ୍ୟରେ ଋତୁସ୍ରାବ ସମୟରେ ସ୍ୱଚ୍ଛତା ବଜାୟ ରଖିବାକୁ ସଚେତନତା ସୃଷ୍ଟି କରାଯାଉଥିବା କହିଛନ୍ତି।

ଏନେଇ ଗତ ସୋମବାର ପାର୍ଲାମେଣ୍ଟରେ ଏକ ରିପୋର୍ଟ ଆଗତ କରାଯାଇଥିଲା। ଉକ୍ତ ରିପୋର୍ଟରେ ମାସିକ ଋତୁସ୍ରାବକୁ ସ୍ୱାସ୍ଥ୍ୟଗତ ବିଷୟ ବୋଲି ଉଲ୍ଲେଖ କରାଯିବା ସହ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଏହାର ଯାଞ୍ଚ ପାଇଁ ପ୍ରସ୍ତାବ ଦିଆଯାଇଥିଲା।

କିଛି ଦିନ ପୂର୍ବେ ସ୍ପେନ ସଂସଦ ଏ ସଂକ୍ରାନ୍ତୀୟ ଏକ ବିଲ୍‌କୁ ପାସ୍‌ କରିଛି। ଉକ୍ତ ବିଲ୍‌ରେ ମାସିକ ଋତୁସ୍ରାବ ଯନ୍ତ୍ରଣାଦାୟକ ହେଲେ ଦରମା ସହ ଛୁଟି ପ୍ରଦାନ କରିବାକୁ ଅନୁମତି ଦିଆଯାଇଛି। ଏ ସଂକ୍ରାନ୍ତୀୟ ବିଲ୍‌ ପାସ୍‌ କରିବାରେ ସ୍ପେନ୍‌ ପ୍ରଥମ ୟୁରୋପିୟ ଦେଶ ହେବାର ମାନ୍ୟତା ହାସଲ କରିଛି।

କିନ୍ତୁ ଭାରତରେ ମହିଳା ତଥା ଯୁବତୀଙ୍କୁ ଏପରି ଛୁଟି ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କର ଏପରି କିଛି ଯୋଜନା ନ ଥିବା ଇରାନୀ ସ୍ପଷ୍ଟ କରିଛନ୍ତି। ଗତ ୮ ତାରିଖରେ କଂଗ୍ରେସ ସାଂସଦ ଶଶୀ ଥରୁର ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନ ପଚାରିଥିବା ବେଳେ ତାହାର ଉତ୍ତରରେ ମନ୍ତ୍ରୀ ନିଜ ମତ ସ୍ପଷ୍ଟ କରିଥିଲେ।

Smriti Irani