/odisha-reporter/media/post_attachments/uploadimage/library/16_9/16_9_0/IMAGE_1756043208.jpg)
Vipin and Nikki
ଝିଅକୁ ଶାଶୁଘର ଲୋକେ ନିଆଁରେ ପୋଡ଼ି ମାରି ଦେଇଥିବା ଅଭିଯୋଗ ଆଣିଥିବା ବାପା ଦାବି କରିଥିଲେ ଯେ ସେମାନଙ୍କୁ (ଅଭିଯୁକ୍ତମାନଙ୍କୁ) ଗୁଳି କରିଦିଆଯାଉ। ଆଉ ସେ ଏଭଳି ଦାବି କରିବାର କିଛି ସମୟ ପରେ ତାଙ୍କ ଜ୍ୱାଇଁଙ୍କ ଉପରକୁ ପୁଲିସ କରିଥିଲା ଗୁଳି। କାରଣ ସେ ପୁଲିସ୍ଠାରୁ ବନ୍ଧୁକ ଛଡ଼ାଇ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ତାଙ୍କ ଗୋଡ଼ରେ ଗୁଳି ବାଜିଛି। ଘଟଣାଟି ଗ୍ରେଟର ନୋଏଡାର।
ପୁଲିସ୍ ଗୁଳିରେ ଆହତ ହୋଇଥିବା ଯୁବକଙ୍କ ନାଁ ବିପିନ ଭାଟୀ। ସେ ତାଙ୍କ ପତ୍ନୀ ନିକ୍କି ଭାଟୀଙ୍କୁ ନିଆଁରେ ପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ଗୁରୁବାର ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ନିକ୍କି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେହି ଦିନ ସନ୍ଧ୍ୟାରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ଅଧିକାଂଶ ଭାଗ ପୋଡ଼ି ଯାଇଥିଲା।
ନିକ୍କିଙ୍କ ଭଉଣୀ କାଞ୍ଚନ ବିପିନଙ୍କ ଭାଇ ରୋହିତଙ୍କୁ ବାହା ହୋଇଛନ୍ତି। କାଞ୍ଚନ ଅଭିଯୋଗ କରିଛନ୍ତି ଯେ ବିପିନ ଓ ତାଙ୍କ ମା’ ଦୟା ମିଶି ନିକ୍କିଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ।
ନିକ୍କି ଏକ ଭିଡିଓ ଶେଆର କରିଛନ୍ତି। ସେଥିରେ ବିପିନ ଓ ତାଙ୍କ ମା’ ମିଶି ନିକ୍କିଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ସେହିଭଳି ଅନ୍ୟ ଏକ କ୍ଲିପ୍ରେ ନିକ୍କି ଜଳୁଥିବା ଅବସ୍ଥାରେ ଶିଡ଼ିରେ ଦୌଡ଼ୁଥିବା ଦେଖିବାକୁ ମିଳିଛି।
ଏହି ଘଟଣାରେ ବିପିନ ଗିରଫ ହୋଇଥିବା ବେଳେ ତାଙ୍କ ମା’ ଦୟା, ବାପା ସତ୍ୟବୀର ଓ ଭାଇ ରୋହିତ ଫେରାର ହୋଇଯାଇଛନ୍ତି।
ଗିରଫ ବିପିନଙ୍କୁ ପୁଲିସ୍ ଆଜି ତାଙ୍କ ଘରକୁ ନେଇଥିଲା। ପୁଲିସ୍ ସେହି ବୋତଲକୁ ଜବତ କରିବାକୁ ଯାଇଥିଲା, ଯେଉଁଥିରେ ଥିବା ଦହନଶୀଳ ସାମଗ୍ରୀକୁ ନିକ୍କିଙ୍କ ଉପରେ ଢଳା ଯାଇ ନିଆଁ ଲଗାଯାଇଥିଲା। ତେବେ ବିପିନ ତାଙ୍କ ଘରକୁ ଯାଇଥିବା ବେଳେ ଜଣେ ପୁଲିସ୍ କର୍ମଚାରୀଙ୍କଠାରୁ ପିସ୍ତଲଟିଏ ଛଡ଼ାଇ ନେଇ ଗୁଳି ଚଳାଇ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ପୁଲିସ୍ ତାଙ୍କ ଉପରକୁ ଗୁଳି କରିଥିଲା। ଗୁଳିଟି ତାଙ୍କ ଗୋଡ଼ରେ ବାଜିଥିଲା।
ଅନୁତପ୍ତ ନୁହନ୍ତି ବିପିନ
ପୁଲିସ୍ର ଗୁଳିମାଡ଼ରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ବିପିନ କହିଥିଲେ ଯେ ସେ କିଛି କରି ନାହାନ୍ତି। ସେ (ନିକ୍କି) ନିଜକୁ ନିଜେ ମାରିଛନ୍ତି। ଏହି ଘଟଣା ପାଇଁ ତାଙ୍କର କିଛି ଅନୁଶୋଚନା ନାହିଁ। କାହା ଘରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ହୁଏ ନାହିଁ। ଏହା କିଛି ବଡ଼ କଥା ନୁହେଁ।
ଆହତ ବିପିନଗୁଳି କରି ଦେବାକୁ ଦାବି କରିଥିଲେ ନିକ୍କିଙ୍କ ବାପା
ପୁଲିସ ଏନ୍କାଉଣ୍ଟରରେ ବିପିନ ଆହତ ହେବା ପୂର୍ବରୁ ତାଙ୍କ ଶ୍ୱଶୁର ତଥା ମୃତ ନିକ୍କିଙ୍କ ବାପା ଭିକାରୀ ସିଂହ ପାୟଲ କହିଥିଲେ, ସେମାନେ (ନିକ୍କିଙ୍କ ଶାଶୁ ଘର ଲୋକେ) ହତ୍ୟାକାରୀ। ସେମାନଙ୍କୁ ଗୁଳି କରି ଦିଆଯିବା ଉଚିତ। ସେମାନଙ୍କ ଘର ଭାଙ୍ଗି ଦିଆଯିବା ଉଚିତ। ମୋ ଝିଅ ଏକ ପାର୍ଲର କରି ତା’ ପୁଅର ଲାଳନପାଳନ କରୁଥିଲା। ସେମାନେ ତାଙ୍କୁ ନିର୍ଯାତନା ଦେଉଥିଲେ। ଏହି ଷଡ଼ଯନ୍ତ୍ରରେ ପୂରା ପରିବାର ସାମିଲ ଅଛନ୍ତି। ସେମାନେ ମୋ ଝିଅକୁ ମାରି ଦେଇଛନ୍ତି।
ବିପିନଙ୍କୁ ଗୁଳି ବାଜିଥିବା ଖବର ପାଇଥିବା ପରେ ଭିକାରୀ ସିଂହ ପାୟଲ କହିଥିଲେ, ମୁଁ ବହୁତ ଖୁସି। ସେହିଭଳି ଲୋକଙ୍କୁ ଗୁଳି କରି ଦିଆଯିବା ଉଚିତ୍ ଅବା ଫାଶୀ ଦେଇ ଦେବା କଥା। ତା’ ଛାତିରେ ଗୁଳି ମାରିବା ଉଚିତ ହୋଇଥା’ନ୍ତା। ଯେଉଁମାନେ ଫେରାର ହୋଇଯାଇଛନ୍ତି, ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବା ଉଚିତ।
କାଞ୍ଚନଙ୍କ ଲମ୍ବା ଅଭିଯୋଗ
ନିକ୍କି ଓ ତାଙ୍କ ଭଉଣୀ କାଞ୍ଚନ ୨୦୧୬ ଡିସେମ୍ବର ୧୦ ତାରିଖରେ ଯଥାକ୍ରମେ ବିପିନ ଓ ରୋହିତ ଭାତୃଦ୍ୱୟକୁ ବିବାହ କରିଥିଲେ। ନିକ୍କିଙ୍କୁ ନିଆଁରେ ଜଳୁଥିବା ଦେଖିଥିବା କାଞ୍ଚନ କହିଛନ୍ତି, ବାହାଘର ବେଳେ ଆମ ବାପା ସେମାନଙ୍କୁ ଏକ ସ୍କୋର୍ପିଓ ଏସ୍ୟୁଭି, ଏକ ବୁଲେଟ୍ (ରୋୟାଲ ଏନ୍ଫିଲ୍ଡ), ନଗଦ ଟଙ୍କା ଓ ସୁନା ଆଦି ଦେଇଥିଲେ। ଏହିସବୁ ଉପହାର ସହିତ ପର୍ବପର୍ବାଣୀରେ ଆମ ଘରୁ ଶାଶୁ ଘରକୁ ଉପହାର ପଠାଯାଉଥିଲା। ଆମ ବାପାମା’ ସେମାନଙ୍କ ପାରୁ ପର୍ଯ୍ୟନ୍ତ ବିଭିନ୍ନ ଜିନିଷ ଦେଇଥିଲେ। କିନ୍ତୁ ଆମ ଶାଶୁ ଘର ଲୋକେ କେବେ ସନ୍ତୁଷ୍ଟ ହୋଇନଥିଲେ। ସେମାନେ ସବୁବେଳେ ସମାଲୋଚନା କରୁଥିଲେ। ସେମାନେ କହୁଥିଲେ ଆମ ବାପାମା’ ଯେଉଁ ପୋଷାକ ଉପହାରରେ ଦେଉଥିଲେ ସେଗୁଡ଼ିକ ୨ ଟଙ୍କିଆ ମାଲ୍।
ସେ ଆହୁରି କହିଛନ୍ତି, ବିପିନ ଓ ରୋହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହାରେ ରହୁଥିଲେ। ସେମାନେ କେବେ ଆମ ଫୋନ୍ ଉଠାଉ ନଥିଲେ। ଡେରି ପର୍ଯ୍ୟନ୍ତ କେଉଁଠି ରହୁଛନ୍ତି ପଚାରି ଦେଲେ ପ୍ରଳୟ ହୋଇଯାଉଥିଲା। ସେମାନେ ଅନ୍ୟ ମହିଳାଙ୍କ ସହିତ ସମୟ ବିତାନ୍ତି। ଆମେ ବିରୋଧ କଲେ, ସେମାନେ ଆମକୁ ମାଡ଼ ମାରନ୍ତି। ଆମେ କାନ୍ଦି କାନ୍ଦି ରାତି କାଟୁ। ଏବେ ଆଉ କିଛି ନାହିଁ। ସବୁ ସରିଯାଇଛି। ମୋ ଭଉଣୀ ମରିଯାଇଛି। ସେ ମୋଠାରୁ ୨-୩ ବର୍ଷ ସାନ। କିନ୍ତୁ ଲୋକେ ଭାବନ୍ତି ଆମେ ଯାଆଁଳା।
ସ୍କୋର୍ପିଓ ଓ ବୁଲେଟ୍ ସହିତ ବିପିନକାଞ୍ଚନ କହିଛନ୍ତି ଯେ ସେମାନେ ଦୁଇ ଭଉଣୀ ଏକ ମେକ୍-ଅପ୍ ଷ୍ଟୁଡିଓ ଚଲାଉଥିଲେ। କିନ୍ତୁ ଶାଶୁ-ଶ୍ୱଶୁର ଏହାକୁ ପସନ୍ଦ କରୁ ନଥିଲେ। ସେମାନେ ଆମର ସମସ୍ତ ରୋଜଗାର ଅର୍ଥ ନେଇ ଯାଉଥିଲେ। ଏହାକୁ ନେଇ ଆମକୁ ମାଡ଼ ମଧ୍ୟ ମାରୁଥିଲେ। ମୁଁ ଯଦି ଏ ଭିଡିଓଟି ଶୁଟ୍ କରି ନଥା’ନ୍ତି, ତା’ହେଲେ କେହି ଜାଣି ପାରି ନଥା’ନ୍ତେ ମୋ ଭଉଣୀ କେମିତି ମଲା। ମୁଁ ତା’ ଉପରେ ପାଣି ଢାଳି ଥିଲି। ମୁଁ ତାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲି। କିନ୍ତୁ ମଝିରେ ଅଚେତ ହୋଇଗଲି।
ମା’ ଦେହରେ ନିଆଁ ଲଗାଯିବା ବେଳେ ଦେଖିଛି ପୁଅ
ନିକ୍କି ଓ ବିପିନଙ୍କର ଏକ ୬ ବର୍ଷର ପୁଅ ଅଛନ୍ତି। ତାଙ୍କ ମା’ଙ୍କୁ କେମିତି ନିର୍ଯାତନା ଦିଆଯାଇଥିଲା ଓ ତାଙ୍କ ମୃତ୍ୟୁ କେମିତି ହୋଇଥିଲା, ତାହା ସେ ଦେଖିଛନ୍ତି। ସେ କହିଛନ୍ତି, ସେମାନେ ପ୍ରଥମେ ମା’ଙ୍କ ଉପରେ କିଛି ଜିନିଷ ଢାଳି ଦେଲେ। ତା’ ପରେ ମା’ଙ୍କୁ ପିଟି ଥିଲେ। ପରେ ଲାଇଟରେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
