/odisha-reporter/media/media_files/2026/01/12/murder-2026-01-12-13-50-30.jpg)
ବଲଜିନ୍ଦର କୌର ଓ ଗୋମିତ ରାଠୀ (ଫାଇଲ ଫଟୋ)
ଜଘନ୍ୟ କାଣ୍ଡ ଘଟାଇଛି ଜଣେ ଯୁବକ। ସେ ନିଜର ଜନ୍ମ କଲା ମା’ଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ମା’ଙ୍କୁ ହତ୍ୟା କରିବାରେ ପୁଅର ଜଣେ ବନ୍ଧୁ ମଧ୍ୟ ସହଯୋଗ କରିଛି। ହରିୟାଣାର ଯମୁନାନଗର ଜିଲ୍ଲାରେ ଘଟିଥିବା ଜଣେ ମହିଳାଙ୍କ ହତ୍ୟାକାଣ୍ଡ (Murder Case)ର ତଦନ୍ତ କରୁଥିବା ପୁଲିସ୍ ଶେଷରେ ଏପରି ପ୍ରମାଣ ହାସଲ କରିଛି।
କୌଣସି ବାହାର ଲୋକ ନୁହେଁ, ବରଂ ମହିଳାଙ୍କୁ ତାଙ୍କ ପୁଅ ଜଣେ ସାଙ୍ଗ ସହ ମିଶି ହତ୍ୟା କରିଥିଲା ବୋଲି ପୁଲିସ୍ କହିଛି। ପୁଅ ପ୍ରେମ ବିବାହ କରିବାକୁ ଚାହୁଁଥିବା ବେଳେ ମା’ ଏହାକୁ ବିରୋଧ କରୁଥିଲେ। ଏଥିପାଇଁ ପୁଅ ନିଜ ମା’ର ଜୀବନ ନେଇ ଯାଇଛି।
ଡିସେମ୍ବର ୨୪ରେ ଶ୍ୟାମପୁର ଗାଁ ସରପଞ୍ଚଙ୍କ ପତ୍ନୀ ବଲଜିନ୍ଦର କୌର(୪୫)ଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଗୋଟିଏ ପାଣି ଟାଙ୍କିରୁ ମିଳିଥିଲା। ବଲଜିନ୍ଦର କେମିତି ପ୍ରାଣ ହରାଇଲେ, ତା’କୁ ନେଇ ବିଭିନ୍ନ ଥିଓରୀ ସାମ୍ନାକୁ ଆସିବାରୁ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଆରମ୍ଭ କରିଥିଲା।
ପୁଲିସ୍ କହିଛି ଯେ ଟେକ୍ନିକାଲ ପ୍ରମାଣ, ମୋବାଇଲ ଲୋକେସନ ଓ କଲ ଡିଟେଲରୁ ସେମାନେ ମାମଲାର ପର୍ଦ୍ଦାଫାସ କରିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ ବଲଜିନ୍ଦର କୌରଙ୍କ ପୁଅ ଗୋମିତ ରାଠୀ ନିକଟରେ ଅର୍ଥାତ ଡିସେମ୍ବର ୧୮ରେ ଇଂଲଣ୍ଡରୁ ଭାରତ ଫେରିଥିଲେ। ହେଲେ ଏ ସମ୍ପର୍କରେ ସେ ପରିବାର ଲୋକଙ୍କୁ କିଛି ବି କହି ନଥିଲେ।
ରାଠୀଙ୍କ ଭାରତ ଆସିବା ଖବର କେବଳ ବନ୍ଧୁ ପଙ୍କଜଙ୍କ ପାଖରେ ଥିଲା। ସେ ବେଶ ଚତୁରତାର ସହ ରାଠୀଙ୍କ ଭାରତ ଗସ୍ତ ସମ୍ପର୍କିତ ଖବର ଗାଁ ଲୋକ ଓ ସମ୍ପର୍କୀୟଙ୍କ ଠାରୁ ଲୁଚାଇ ରଖିଥିଲେ।
ପୁଲିସ ଅଫିସର ରାକେଶ କୁମାରଙ୍କ କହିବା କଥା ଯେ ମା’ଙ୍କ ସହ ଗୋମିତ ରାଠୀର ନିୟମିତ ଝଗଡ଼ା ହେଉଥିଲା। ରାଠୀଙ୍କ ବ୍ୟବହାରକୁ ପସନ୍ଦ କରୁ ନଥିଲେ ମା’ ବଲଜିନ୍ଦର କୌର। ରାଠୀ ଅନ୍ୟ ଜାତିର ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବାରୁ ଏହାକୁ ମା’ ହିସାବରେ ବଲଜିନ୍ଦର ବିରୋଧ କରୁଥିଲେ। ଏହା ଗୋମିତଙ୍କୁ ବେଶ କଷ୍ଟ ଦେଇଥିଲା।
ପରିବାର ଲୋକ ମା’ ଓ ପୁଅଙ୍କ ମଧ୍ୟରେ ଥିବା ବିବାଦକୁ ସମାଧାନ କରି ପାରି ନଥିଲେ। ଏସବୁ ଭିତରେ ଛାତ୍ର ଭିସା ଧରି ଗୋମିତ ବ୍ରିଟେନ ଚାଲି ଯାଇଥିଲେ। ବିଦେଶରେ ସେ ପାଠ ପଢ଼ିବା ସହ ଗୋଟିଏ ଷ୍ଟୋରରେ କାମ କରୁଥିଲେ। କିନ୍ତୁ ମା’ଙ୍କ ପ୍ରତି ତାଙ୍କ ମନରେ ରାଗ କମି ନଥିଲା। ଡିସେମ୍ବର ୧୮ରେ ଭାରତ ଆସିଥିବା ରାଠୀ ୨୪ରେ ନିଜ ଗାଁରେ ପହଞ୍ଚିଥିଲେ।
ଏହାପରେ ସେ ମା’ଙ୍କୁ ମାରିବା ପାଇଁ ସୁଯୋଗ ଅପେକ୍ଷାରେ ଅତ୍ୟନ୍ତ ଗୁପ୍ତ ଭାବେ ଗୋ-ଶାଳରେ ଲୁଚି ରହିଥିଲେ। ବିଳମ୍ବିତ ରାତିରେ ମା’ଙ୍କୁ ଏକାକୀ ପାଇ ସେ ଆକ୍ରମଣ କରିବା ସହ ତଣ୍ଟି ଚିପି ହତ୍ୟା କରିଥିଲେ। ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ସେ ମୃତଦେହକୁ ପାଣି ଟାଙ୍କିରେ ଫିଙ୍ଗି ଦେଇଥିଲେ।
ପଙ୍କଜ କେବଳ ଗୋମିତଙ୍କ ଭାରତ ଫେରିବା ଖବରକୁ ଗୋପନ ରଖି ନଥିଲେ, ବରଂ ହତ୍ୟାକାଣ୍ଡ ପୂର୍ବରୁ ଓ ପରେ ସମସ୍ତ ପ୍ରକାରର ସହାୟତା କରିଥିଲେ। ଏକଥା ଜଣାପଡ଼ିବା ପରେ ପୁଲିସ୍ ଉଭୟଙ୍କୁ ଗିରଫ କରି ୪ ଦିନିଆ ରିମାଣ୍ଡରେ ନେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
