Advertisment

ସୋନିଆ ମୋତେ ପ୍ରଧାନମନ୍ତ୍ରୀ କରିବେ ନାହିଁ, ଝିଅକୁ କହିଥିଲେ ପ୍ରଣବ

ପ୍ରଧାନମନ୍ତ୍ରୀ ହୋଇନପାରିବାରୁ ସୋନିଆ ଗାନ୍ଧି ଅବା ମନମୋହନ ସିଂହଙ୍କ ଉପରେ ସେ କେବେ ରାଗି ନଥିଲେ ବୋଲି ଶର୍ମିଷ୍ଠା ବହିରେ ଉଲ୍ଲେଖ କରିଛନ୍ତି।

author-image
Jitendra Garnayak
Pranab Mukherjee

Pranab Mukherjee

ସୋନିଆ ଗାନ୍ଧୀ ତାଙ୍କୁ ପ୍ରଧାନମନ୍ତ୍ରୀ କରିବେ ନାହିଁ ବୋଲି ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତଃ ପ୍ରଣବ ମୂଖାର୍ଜୀ ତାଙ୍କ ଝିଅ ଶର୍ମିଷ୍ଠାଙ୍କୁ କହିଥିଲେ। ଶର୍ମିଷ୍ଠା ମୂଖାର୍ଜୀ ତାଙ୍କର ପ୍ରକାଶ ପାଇବାକୁ ଥିବା ପୁସ୍ତକ ‘ଇନ୍ ପ୍ରଣବ, ମାଇଁ ଫାଦର- ଏ ଡଟର ରିମେମ୍ବର୍ସ’ରେ ଏହା ଲେଖିଛନ୍ତି।

Advertisment

ପ୍ରକାଶ ପାଇବାକୁ ଥିବା ଏହି ପୁସ୍ତକର ‘ଦ ପିଏମ୍‌ ଇଣ୍ଡିଆ ନେଭର ହର୍ଡ’ ଅଧ୍ୟାୟରେ ଶର୍ମିଷ୍ଠା ଲେଖିଛନ୍ତି, ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ରେସ୍‌ରୁ ଓହରିଯିବା ପରେ କିଏ ସେହି ପଦରେ ବସିବେ, ତାକୁ ନେଇ ଗଣମାଧ୍ୟମ ଓ ରାଜନୀତି ମହଲରେ ନାନା ପ୍ରକାର କଳ୍ପନାଜଳ୍ପନା ଚାଲିଥିଲା। ଡ଼. ମନମୋହନ ସିଂହ ଓ ପ୍ରଣବ ମୂଖାର୍ଜୀଙ୍କ ନାଁ ସର୍ବାଗ୍ରେ ଥିଲା। ସେତେବେଳେ କିଛି ଦିନ ଧରି ମୁଁ ବାପାଙ୍କୁ ଭେଟିବାକୁ ସୁଯୋଗ ପାଇନଥିଲି। କାରଣ ସେ ବହୁତ ବ୍ୟସ୍ତ ରହୁଥିଲେ। ତେବେ ମୁଁ ତାଙ୍କ ସହିତ ଫୋନ୍‌ରେ କଥା ହୋଇଥିଲି। ସେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି କି ବୋଲି ମୁଁ ଉତ୍ସାହିତ ହୋଇ ତାଙ୍କୁ ପଚାରିଥିଲି। ସେ ପୂରା ସିଧା ଉତ୍ତର ଦେଇଥିଲେ। ସେ କହିଥିଲେ, ‘ନାଁ, ସେ ମୋତେ ପ୍ରଧାନମନ୍ତ୍ରୀ କରିବେ ନାହିଁ। ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହେବେ। ତେବେ ଏ କଥା ସେ (ସୋନିଆ ଗାନ୍ଧୀ) ଯେତେ ଶୀଘ୍ର ପାରିବେ ଘୋଷଣା କରି ଦେବା ଉଚିତ। ଏହି ଅନିଶ୍ଚିତତା ଦେଶ ପାଇଁ ଭଲ ନୁହେଁ।

ଶର୍ମିଷ୍ଠା ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ହୋଇନପାରିବାରୁ ପ୍ରଣବ ମୂଖାର୍ଜୀ ଦୁଃଖିତ ଥିଲେ କି ନାହିଁ, ତାହା ଜଣାପଡ଼ିନି। କାରଣ ସେ ତାଙ୍କ ଡାଏରୀରେ କୌଣସି ଠାରେ ଏ ବିଷୟରେ କିଛି ଉଲ୍ଲେଖ କରି ନଥିଲେ। ତେବେ ସେ ଜଣେ ସାମ୍ବାଦିକଙ୍କୁ କହିଥିଲେ ଯେ ସୋନିଆ ଗାନ୍ଧୀ ତାଙ୍କୁ ପ୍ରଧାନମନ୍ତ୍ରୀ କରିବେ ବୋଲି ସେ କୌଣସି ଆଶା ରଖି ନଥିଲେ। ଶର୍ମିଷ୍ଠା ତାଙ୍କ ପୁସ୍ତକରେ ଲେଖିଛନ୍ତି, ଯଦି ଆଶା ନଥିଲା, ତା’ହେଲେ ଦୁଃଖ ମଧ୍ୟ ନଥିଲା।

Advertisment

ସେ ଆହୁରି ଲେଖିଛନ୍ତି, ସାଧାରଣରେ ଏହା ବିଶ୍ୱାସ କରାଯାଉଥିଲା ଯେ କେବଳ ୨୦୦୪ ନୁହେଁ, ୧୯୮୪ ମସିହାରେ ମଧ୍ୟ ପ୍ରଣବ ମୂଖାର୍ଜୀଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ଥିଲା। ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ତାଙ୍କ ପାଇଁ ଏହି ସୁଯୋଗ ସୃଷ୍ଟି ହୋଇଥିଲା।

ଶର୍ମିଷ୍ଠା ଲେଖିଛନ୍ତି ଯେ ତାଙ୍କୁ ଅନେକ ଲୋକ ପ୍ରଶ୍ନ କରିଥିଲେ ଯେ ତାଙ୍କ ବାପାଙ୍କର କ’ଣ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ନଥିଲା। ଉପା-୧ ସରକାର ବେଳେ ସେ ନିଜେ ଏ ପ୍ରଶ୍ନ ତାଙ୍କ ବାପାଙ୍କୁ ପଚାରିଥିଲେ।

ଏହାର ଉତ୍ତରରେ ପ୍ରଣବ ମୂଖାର୍ଜୀ କହିଥିଲେ, ନିଶ୍ଚୟ। ମୋର ବି ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ଅଛି। ଯେକୌଣସି ଯୋଗ୍ୟ ରାଜନେତାଙ୍କର ଏହି ସ୍ୱପ୍ନ ଥାଏ। କିନ୍ତୁ ମୁଁ ଚାହୁଁଛି ବୋଲି ଯେ ସବୁ ଜିନିଷ ହୋଇଯିବ, ତାହା ଭାବିବା ଭୁଲ।

ଏହି ପୁସ୍ତକରେ ପ୍ରଣବ ମୂଖାର୍ଜୀଙ୍କ ଜୀବନ ସହିତ ଜଡ଼ିତ ଅନେକ କଥା ଉଲ୍ଲେଖ କରିଛନ୍ତି ଶର୍ମିଷ୍ଠା। ପ୍ରଣବଙ୍କ ଡାଏରୀରୁ ଘଟଣାଗୁଡ଼ିକୁ ନେଇଛନ୍ତି। ଅନେକ ପ୍ରସଙ୍ଗରେ ନିଜେ ଗବେଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ହୋଇନପାରିବାରୁ ସୋନିଆ ଗାନ୍ଧୀ ଅବା ମନମୋହନ ସିଂହଙ୍କ ଉପରେ ସେ କେବେ ରାଗି ନଥିଲେ ବୋଲି ଶର୍ମିଷ୍ଠା ଏଥିରେ ଉଲ୍ଲେଖ କରିଛନ୍ତି। ବହିଟି ଆସନ୍ତା ମାସ ୧୧ ତାରିଖରେ ଉନ୍ମୋଚିତ ହେବ।

Sonia Gandhi Pranab Mukherjee