Advertisment

Lok Sabha: ଲୋକସଭାକୁ ନ ଆସିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲେ ବାଚସ୍ପତି ଓମ ବିର୍ଲା

ବାଚସ୍ପତି ଅପ୍ରତ୍ୟାଶିତ ଘଟଣାର ଆଶଙ୍କା କରିଥିବା ବେଳେ ବିଜେପି ସାଂସଦମାନେ ମିଳିତ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ କରିଛନ୍ତି। ହେଲେ ଏହାକୁ କଂଗ୍ରେସ ଦୃଢ଼ ଭାବେ ଖଣ୍ଡନ କରିଛି।

author-image
Hemant Lenka
Pm1

ପ୍ରଧାନମନ୍ତ୍ରୀ ମୋଦି ଓ ଲୋକସଭା

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ଉତ୍ତର ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲୋକସଭାକୁ ଆସିବାର ଥିଲା। ଅପରାହ୍ନ ୫ଟାରେ ଏଥିପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହାର ଠିକ କିଛି ମିନିଟ ପୂର୍ବରୁ ଲୋକସଭା(Lok Sabha)କୁ ମୁଲତବୀ ଘୋଷଣା କରି ଦିଆଯାଇଥିଲା। ବିରୋଧୀଙ୍କ ନାରାବାଜୀ ଓ ହଟ୍ଟଗୋଳ ଯୋଗୁ ଗୃହର ଅଧ୍ୟକ୍ଷ ଏପରି ପଦକ୍ଷେପ ନେଇଥିଲେ।

Advertisment

କିନ୍ତୁ ବିରୋଧୀ ଅଭିଯୋଗ କରିଛନ୍ତି ଯେ ସେମାନେ ଉଠାଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଡରି ପ୍ରଧାନମନ୍ତ୍ରୀ ମୋଦି ବୁଧବାର ଲୋକସଭାକୁ ଆସି ନଥିଲେ। ଏହି ପ୍ରସଙ୍ଗରେ ବରୋଧୀ ଘନଘନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରୁଥିବାରୁ ଏହା ଉପରେ ବଡ଼ ବୟାନ ରଖିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା।

ତାଙ୍କ କହିବା କଥା କଥା ଯେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପୂର୍ବରୁ ବିରୋଧୀ ଦଳର ସଦସ୍ୟମାନେ ତାଙ୍କ ଆସନକୁ ଘେରି ଯାଇଥିଲେ। କିଛି ଅପ୍ରତ୍ୟାଶିତ ଘଟଣା ଘଟିବାର ଆଶଙ୍କା ଥିବାରୁ ସେ ନିଜେ ହିଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲୋକସଭା ନ ଆସିବାକୁ ପରାମର୍ଶ ଦେଇଥିଲେ।

Advertisment

ଏହାପୂର୍ବରୁ ବୁଧବାର ବିଜେପି ସାଂସଦ ମନୋଜ ତିୱାରୀ ମଧ୍ୟ ପାଖାପାଖି ସମାନ କଥା କହିଥିଲେ। ସେ କହିଥିଲେ ଯେ ବିରୋଧୀ ଦଳର ମହିଳା ସଦସ୍ୟାମାନେ ପ୍ରଧାନମନ୍ତ୍ରୀଙ୍କ ଆସନକୁ ଘେରାଉ କରିବା ସହ ତାଙ୍କୁ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଗୃହକୁ ଆସି ନଥିଲେ। 

ଆଜି ବାଚସ୍ପତି ଓମ ବିର୍ଲା ପ୍ରଧାନମନ୍ତ୍ରୀ(PM Modi) ଆସିଥିଲେ ଗୃହରେ ଆଶା କରା ଯାଉ ନଥିବା କୌଣସ ଅଘଟଣ ଘଟିବାର ଆଶଙ୍କା ରହିଥିବା ମତ ରଖିଛନ୍ତି। ସେ କହିଛନ୍ତି, “ପାରମ୍ପରିକ ଭାବେ ରାଜନୀତିକ ମତପାର୍ଥକ୍ୟକୁ ସଂସଦ ଭିତରକୁ ଆଣିବା କଥା ନୁହେଁ।

ମୁଁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲି ଯେ କିଛି କଂଗ୍ରେସ ସଦସ୍ୟ ପ୍ରଧାନମନ୍ତ୍ରୀଙ୍କ ଆସନ ଆଡ଼କୁ ଯାଇ ପାରନ୍ତି ଓ କିଛି ଅପ୍ରତ୍ୟାଶିତ ଘଟଣା ଘଟାଇ ପାରନ୍ତି। ଏପରି କିଛି ଦୃଶ୍ୟକୁ ମୁଁ ଗୃହ ମଧ୍ୟରେ ଦେଖିବାକୁ ପାଇଥିଲି। ଯଦି କୌଣସି ଅପ୍ରତ୍ୟାଶିତ ଘଟଣା ଘଟିଥାଆନ୍ତା, ତା’ହେଲେ ଏହା ଦେଶର ସମ୍ମାନକୁ ଗଭୀର ଭାବେ କ୍ଷତି ପହଞ୍ଚାଇ ଥାଆନ୍ତା। ଏହି କାରଣ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ସଂସଦ ନ ଆସିବାକୁ ନିବେଦନ କରିଥିଲି।” 

ବୁଧବାର କ’ଣ ଘଟିଥିଲା? 

ବୁଧବାର ଲୋକସଭାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ବିରୋଧୀ ଦଳର ମହିଳା ସାଂସଦମାନେ ଟ୍ରେଜରୀ ବେଞ୍ଚ ଆଡ଼କୁ ବିଭିନ୍ନ ଧରି ମାଡ଼ି ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକସଭା ଅଭିଭାଷଣ ପୂର୍ବରୁ ଏପରି ଘଟିଥିଲା। ବିରୋଧୀଙ୍କ ବିକ୍ଷୋଭ ବେଳେ ପ୍ରଧାନମନ୍ତ୍ରୀ ମୋଦି ଗୃହରେ ନଥିଲେ ଓ ବିଜେପି ସାଂସଦ ପିପି ଚୌଧୁରୀ ନିଜର ମନ୍ତବ୍ୟ ରଖୁଥିଲେ।

ହଠାତ୍‌ ବିରୋଧୀ ସାଂସଦମାନେ ଗୃହର ମଧ୍ୟକୁ ମାଡ଼ି ଯିବା ସହ ଆମେରିକା ସହ ବାଣିଜ୍ୟ ଡିଲ ଓ ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମଏମ ନରଭାଣେଙ୍କ ଅପ୍ରକାଶିତ ବହି ପ୍ରସଙ୍ଗରେ ନାରାବାଜୀ କରିଥିଲେ। ନାରାବାଜୀ ଓ ହଟ୍ଟଗୋଳ ବଢ଼ିବାରୁ ଗୃହର ଅଧ୍ୟକ୍ଷ ଲୋକସଭାକୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପୂର୍ବରୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। 

ବାଚସ୍ପତି ଓମ ବିର୍ଲା କହିଛନ୍ତି, “ବାଚସ୍ପତିଙ୍କ ଅଫିସକୁ ରାଜନୀତିକ ମତଭେଦକୁ ଆଣିବା କେବେ ହେଲେ ଗୃହର ପରମ୍ପରା ହୋଇନାହିଁ। ବୁଧବାର ଯାହା ସବୁ ଘଟିଗଲା, ସେସବୁ ସଂସଦୀୟ ଇତିହାସରେ ଗୋଟିଏ କଳା ଦାଗ ଚିହ୍ନ ସୃଷ୍ଟି କରିଛି।”

ବାଚସ୍ପତି ଅପ୍ରତ୍ୟାଶିତ ଘଟଣାର ଆଶଙ୍କା କରିଥିବା ବେଳେ ବିଜେପି ସାଂସଦମାନେ ମିଳିତ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ କରିଛନ୍ତି। ହେଲେ ଏହାକୁ କଂଗ୍ରେସ ଦୃଢ଼ ଭାବେ ଖଣ୍ଡନ କରିଛି। ପ୍ରଧାନମନ୍ତ୍ରୀ ମୋଦି ଏବେ ବାଚସ୍ପତିଙ୍କ ପଛ ପଟେ ଲୁଚିବାକୁ ଚେଷ୍ଟା କରୁଥିବା ଦଳ ଅଭିଯୋଗ କରିଛି। 

କଂଗ୍ରେସ ମହାସଚିବ ତଥା ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି, “ପ୍ରଧାନମନ୍ତ୍ରୀଙ୍କ ଉପରେ କେହି ହାତ ଉଠାଇବା, ତାଙ୍କୁ କ୍ଷତି ପହଞ୍ଚାଇବା କିମ୍ବା ସେଭଳି କିଛି ଘଟଣା ଘଟାଇବାର ପ୍ରଶ୍ନ ହିଁ ଉଠୁନାହିଁ। ସେଭଳି କିଛି ଯୋଜନା ହୋଇଥିବା କଥା ସଂପୂର୍ଣ୍ଣ ଭୁଲ ଓ ଭିତ୍ତିହୀନ।

ପ୍ରଧାନମନ୍ତ୍ରୀ ଏବେ ବାଚସ୍ପତିଙ୍କ ପଛରେ ଲୁଚିବା ଆରମ୍ଭ କରିଛନ୍ତି। ଏବେ ସେମାନେ ବାଚସ୍ପତିଙ୍କୁ ଏ ସବୁ କହିବାକୁ ବାଧ୍ୟ କରୁଛନ୍ତି। କାରଣ ଗତକାଲି(ବୁଧବାର) ଗୃହକୁ ଆସିବାର ତାଙ୍କ(ମୋଦି) ପାଖରେ ସାହାସ ନଥିଲା।” 

ଦଳର ଆଉ ଜଣେ ମୁଖପାତ୍ର ଅତୁଲ ପାଟିଲ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ସଂସଦକୁ ସାମ୍ନା କରିବା ପାଇଁ ଡରୁଛନ୍ତି। ସେ କହିଛନ୍ତି, “ପ୍ରକୃତ ସତ ହେଲା ସେ ବାସ୍ତବତାକୁ ଡରୁଛନ୍ତି। ନରଭାଣେ ଏବେ ଡରଭାଣେରେ ପରିଣତ ହୋଇଛି। ଏହି କାରଣ ପାଇଁ ପ୍ରଧାନମନ୍ତ୍ରୀ ସଂସଦକୁ ସାମ୍ନା କରିବାକୁ ଚାହୁଁନାହାନ୍ତି। ପ୍ରଶ୍ନ ପଚାରିବା ଆକ୍ରମଣ ନୁହେଁ। ପ୍ରଧାନମନ୍ତ୍ରୀ ପ୍ରଶ୍ନକୁ ଡରୁଛନ୍ତି।” 

PM Modi Lok Sabha