Advertisment

ସୁଦାନରୁ ଫେରିଲେ ୩୬୦ ଭାରତୀୟ, ବିମାନ ବନ୍ଦରରେ ଭାବବିହ୍ୱଳ ପରିବେଶ

ପ୍ରଥମ ପର୍ଯ୍ୟାୟରେ ୩୬୦ ଭାରତୀୟ ଗତକାଲି ସନ୍ଧ୍ୟାରେ ନିଜ ଦେଶ ମାଟିରେ ପାଦ ଦେଇଛନ୍ତି। ଏହି ସମୟରେ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ବେଶ୍‌ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା ।

author-image
Niharika Rout
ଅଦ୍ୟତନ ହୋଇଛି
Flight

Flight

ଅପରେସନ ‘କାବେରି’ ଜରିଆରେ ଅଶାନ୍ତ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୬୦ ଭାରତୀୟ ଗତକାଲି ସନ୍ଧ୍ୟାରେ ଦେଶରେ ପାଦ ଦେଇଛନ୍ତି। ଏହି ସମୟରେ  ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ବିମାନବନ୍ଦର ଭାରତ ମାତା କି ଜୟ ଧ୍ୱନୀରେ କମ୍ପିଥିବା ବେଳେ ବେଶ୍‌ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ସୁଦାନରୁ ଉଦ୍ଧାର ପାଇଥିବା ଭାରତୀୟମାନେ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ସେମାନଙ୍କ ଉଦ୍ୟମ ଯୋଗୁ ନୂଆ ଜୀବନ ପାଇଥିବା କହିଛନ୍ତି।

Advertisment

ଗତକାଲି ସନ୍ଧ୍ୟାରେ ୩୬୦ ଭାରତୀୟଙ୍କୁ ଧରି ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧି ବିମାନ ବନ୍ଦରରେ ପହଞ୍ଚିଥିଲା। ସେମାନଙ୍କୁ ସ୍ୱାଗତ କରିବା ପାଇଁ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ବିମାନବନ୍ଦରରେ ଉପସ୍ଥିତ ଥିଲେ।

ସୁଦାନରେ ଗୃହ ଯୁଦ୍ଧ ପରିସ୍ଥିତି ଲାଗିଥିବା ବେଳେ ଆମେରିକା ଓ ସାଉଦି ଆରବ ମଧ୍ୟସ୍ଥତା ପରେ ଉଭୟ ପକ୍ଷ ୭୨ ଘଣ୍ଟା ଅସ୍ତବିରତି ପାଇଁ ସହମତି ପ୍ରକାଶ କରିଥିଲେ। ଏହି ସମୟ ମଧ୍ୟରେ ଭାରତ ସମେତ ବିଭିନ୍ନ ଦେଶ ନିଜ ନିଜ ନାଗରିକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି।

Advertisment

ଭାରତୀୟ ବାୟୁସେନାର ୨ ସ୍ୱତନ୍ତ୍ର ବିମାନରେ ୨୫୦ ଭାରତୀୟଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ଏହା ପୂର୍ବରୁ  ନୌସେନା ଜାହାଜ ଆଇଏନଏସ ସୁମେଧା ୨୭୮ ଯାତ୍ରୀଙ୍କୁ ଧରି ସାଉଦି ଆରବର ଜେହାଦ ଅଭିମୁଖେ ଯାତ୍ରା କରିଥିଲା। ଏହି ଯାତ୍ରୀମାନେ ସାଉଦି ଆରବରେ ପହଞ୍ଚିଥିବା ବେଳେ ସେଠାରୁ ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯାଉଛି। 

ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଆମର ପ୍ରଥମ ପ୍ରାଥମିକତା ବୋଲି ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି। ସେଠାରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଭାବ ଉଦ୍ଧାର କରି ଭାରତକୁ କିମ୍ବା ଅନ୍ୟ କୌଣସି ଦେଶକୁ ସ୍ଥାନାନ୍ତର କରିବା ପାଇଁ ଆମେ ଉଦ୍ୟମ ଜାରି ରଖିଛୁ ବୋଲି ସେ କହିଛନ୍ତି।

India Sudan