/odisha-reporter/media/post_attachments/uploadimage/library/16_9/16_9_0/Punjab_1748925563.jpg)
Punjab
ଭାରତରେ ରହି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ କାମ କରୁଥିବା ପୁଣି ଜଣେ ଗୁପ୍ତଚରକୁ ଗିରଫ କରିଛି ପୁଲିସ୍। ପଞ୍ଜାବ ପୁଲିସ୍ ପକ୍ଷରୁ ଏପରି ଗିରଫଦାରୀ କରାଯାଇଛି। ଗିରଫ ବ୍ୟକ୍ତି ଜଣକର ଲିଙ୍କ ଟପ୍ ଖଲିସ୍ତାନୀ ଆତଙ୍କବାଦୀ ଗୋପାଳ ସିଂହ ଚାୱଲା ସହ ମଧ୍ୟ ରହିଥିଲା। ଗିରଫ ହୋଇଥିବା ବ୍ୟକ୍ତି ଜଣକ ଆର୍ମି ଗତିବିଧି ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦୀର୍ଘ ବର୍ଷ ହେଲାଣି ସୀମା ସେପଟେ ରହୁଥିବା ଏଜେଣ୍ଟମାନଙ୍କୁ ଦେଇ ଚାଲିଥିଲା। ଅପରେସନ ସିନ୍ଦୂର ସହ ଜଡ଼ିତ କିଛି ତଥ୍ୟ ବି ସେ ପାକିସ୍ତାନକୁ ଦେଇଥିଲା ବୋଲି ପଞ୍ଜାବ ପୁଲିସ୍ ମୁଖ୍ୟ ସୂଚନା ଦେଇଛନ୍ତି।
ପଞ୍ଜାବ ପୁଲିସ୍ ମୁଖ୍ୟ ଗୌରବ ଯାଦବ କହିଛନ୍ତି, “ଗିରଫ ଗଗନଦୀପ ସିଂହ ସେନା ସହ ଜଡ଼ିତ ଅନେକ ସମ୍ବେଦନଶୀଳ ତଥ୍ୟ ଶେୟାର କରିଥିଲା। ଆର୍ମି ଗତିବିଧି ବ୍ୟତୀତ ରଣନୀତି ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ସ୍ଥାନ ଗୁଡ଼ିକ ସମ୍ପର୍କରେ ମଧ୍ୟ ସେ ଶତ୍ରୁପକ୍ଷକୁ ତଥ୍ୟ ଦେଇଥିଲା। ପ୍ରାଥମିକ ଅନୁସନ୍ଧାରୁ ଜଣାପଡ଼ିଛି ଯେ ଗଗନଦୀପର ଲିଙ୍କ ପାକିସ୍ତାନ ଭିତ୍ତିକ ଖଲିସ୍ତାନୀ ଆତଙ୍କବାଦୀ ଗୋପାଳ ସିଂହ ଚାୱଲା ସହ ରହିଛି।
ସେ ୫ ବର୍ଷ ହେଲା ଗୋପାଳର ଯୋଗାଯୋଗରେ ରହିଥିଲା। ଗୋପାଳ ଜରିଆରେ ଗଗନଦୀପ ଆଇଏସଆଇ ଏଜେଣ୍ଟମାନଙ୍କ ପାଇଁ କାମ ଆରମ୍ଭ କରିଥିଲା। ଗୁପ୍ତ ତଥ୍ୟ ଶେୟାର କରୁଥିବାରୁ ଗଗନଦୀପକୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବାର ପ୍ରମାଣ ମିଳିଛି।”
ଗଗନଦୀପ ଠାରୁ ମିଳିଥିବା ମୋବାଇଲରୁ ସେ ଶେୟାର କରିଥିବା ସମ୍ବେଦନଶଳୀ ତଥ୍ୟଗୁଡ଼ିକର ପ୍ରମାଣ ମିଳିଛି। ଆଇଏସଆଇର ୨୦ ଜଣ ଏଜେଣ୍ଟଙ୍କ ଯୋଗାଯୋଗରେ ଗଗନଦୀପ ରହିଥିଲା। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ବେଳେ ଗଗନଦୀପ ସହ ଆଉ କେଉଁମାନେ କାମ କରୁଥିଲେ, ତା’ର ବି ଖୋଳତାଡ଼ ପୁଲିସ୍ ଆରମ୍ଭ କରିଛି।
ପଞ୍ଜାବ ପୁଲିସ୍ର କହିବା କଥା ଯେ ପାକିସ୍ତାନରେ ରହିଥିବା ଖଲିସ୍ତାନୀ ଆତଙ୍କବାଦୀ ଗୋପାଲ ଚାୱଲା ଆଇଏସଆଇ ସହ ମିଶି ଭାରତରେ ଗୋଟିଏ ଗୁଇନ୍ଦାଗିରି ରାକେଟ ଚଳାଉଛି। ବିଶେଷ କରି ଅପରେସନ ସିନ୍ଦୂର ସମୟରେ ଗୋପାଳ ନିଜର ନେଟୱର୍କକୁ ସକ୍ରିୟ କରିଥିଲା। ଭାରତ ପହଲଗାମ ନରସଂହାରର ବଦଲା ନେବାକୁ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ସମୟରେ ସୀମାନ୍ତ ଅଞ୍ଚଳରେ ସେନାର ଗତିବିଧି ବଢ଼ିଥିଲା। ଏ ସମ୍ପର୍କରେ ତଥ୍ୟ ପାଇଁ ଆଇଏସଆଇ ନିଜ ନେଟୱର୍କକୁ ଆକ୍ଟିଭ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
