Advertisment

ବର୍ଷିଲେ ସୁପ୍ରିମକୋର୍ଟ, କହିଲେ- ମାଗଣା ଯୋଜନା ଲାଗି ଟଙ୍କା ଅଛି, ହେଲେ ଜଜ୍‌ଙ୍କ ଦରମା ପାଇଁ…

ସମସ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ମାଗଣାରେ ବଣ୍ଟା ଯାଉଥିବା ଟଙ୍କା ଓ ମାଗଣା ଯୋଜନାକୁ ଦର୍ଶାଇ କୋର୍ଟ କହିଛନ୍ତି, ଯେଉଁମାନେ କିଛି କାମ କରୁ ନାହାନ୍ତି ସେମାନଙ୍କ ପାଇଁ ସରକାରଙ୍କ ଟଙ୍କା ଅଛି। ହେଲେ ବିଚାରପତିଙ୍କ ଦରମା ଏବଂ ପେନସନ କଥା ଉଠିଲେ ଆର୍ଥିକ ସମସ୍ୟା ଦେଖାଦେଉଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Supreme Court

Supreme Court

ବିଦ୍ୟୁତ ଫ୍ରି, ପାଣି ଫ୍ରି। ମାଗଣା ଶିକ୍ଷା ସହ ଏବେ ପ୍ରତି ମାସରେ ଫ୍ରିରେ ଟଙ୍କା ବାଣ୍ଟିବା ପରମ୍ପରା ମଧ୍ୟ ବଢ଼ିଲାଣି। ଏଭଳି ମାଳ ମାଳ ମାଗଣା ଯୋଜନା ଜାରି ରହିଛି। ଏହା କେବଳ ଗୋଟିଏ ରାଜ୍ୟର ନୁହେଁ, ଦେଶର ଅନେକ ରାଜ୍ୟ ଏହି ଫ୍ରି ରାବିଡି କଲଚର ବଜାୟ ରଖିଛନ୍ତି। ଯାହା ସେମାନଙ୍କୁ ନିର୍ବାଚନରେ ​​ମଧ୍ୟ ଲାଭ ଦିଏ। ଏବେ ଏହି ରାବିଡ଼ି କଲଚରକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ।

Advertisment

ଜିଲ୍ଲା କୋର୍ଟର ଜଜ୍‌ଙ୍କ ଦରମା ଏବଂ ପେନସନକୁ ନେଇ ସରକାରଙ୍କ ମନୋଭାବ ସୁପ୍ରିମକୋର୍ଟଙ୍କୁ ନିରାଶ କରିଛି। ସମସ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ମାଗଣାରେ ବଣ୍ଟା ଯାଉଥିବା ଟଙ୍କା ଓ ମାଗଣା ଯୋଜନାକୁ ଦର୍ଶାଇ କୋର୍ଟ କହିଛନ୍ତି, ଯେଉଁମାନେ କିଛି କାମ କରୁ ନାହାନ୍ତି ସେମାନଙ୍କ ପାଇଁ ସରକାରଙ୍କ ଟଙ୍କା ଅଛି। ହେଲେ ବିଚାରପତିଙ୍କ ଦରମା ଏବଂ ପେନସନ କଥା ଉଠିଲେ ଆର୍ଥିକ ସମସ୍ୟା ଦେଖାଦେଉଛି।

ଅଲ ଇଣ୍ଡିଆ ଜଜ ଆସୋସିଏସନ ନାମକ ଏକ ସଂଗଠନ ଦ୍ୱାରା ୨୦୧୫ରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରି ସୁପ୍ରିମକୋର୍ଟର ଜଷ୍ଟିସ ବି.ଆର ଗୋବାଇଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ଏହା କହିଛନ୍ତି। କୋର୍ଟ କହିଛନ୍ତି, ର୍ନିବାଚନ ଆସିବା ମାତ୍ରେ 'ଲାଡଲି ବେହେନ' ଭଳି ଯୋଜନା ଘୋଷଣା ହେଉଛି, ଯେଉଁଠାରେ ସରକାର ହିତାଧିକାରୀଙ୍କୁ ପ୍ରତିମାସରେ ୨୫୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଜଜ୍‌ଙ୍କ ଦରମା ଓ ପେନ୍‌ସନ୍‌ କଥା ଆସିଲେ ସରକାର ଆର୍ଥିକ ସମସ୍ୟା ବାହାନା ଦେଖାଉଛନ୍ତି।

Advertisment

୨୦୧୫ ରେ ଦାଖଲ ହୋଇଥିବା ଏହି ଆବେଦନରେ ବିଚାରପତିଙ୍କ ସ୍ୱଳ୍ପ ବେତନ ଏବଂ ଅବସର ପରେ ଉପଯୁକ୍ତ ପେନସନ ନ ପାଇବା ବିଷୟରେ କୁହାଯାଇଛି। ସାରା ଦେଶରେ ଏ ବାବଦରେ କୌଣସି ନୀତି ନାହିଁ ବୋଲି ମଧ୍ୟ ସନ୍ଦର୍ଭ ଦିଆଯାଇଛି। ଏହି ମାମଲାରେ ସହାୟତା କରିବା ପାଇଁ ସୁପ୍ରିମକୋର୍ଟ ବରିଷ୍ଠ ଓକିଲ କେ ପରମେଶ୍ୱରଙ୍କୁ ଆମିକସ କ୍ୟୁରିଆ ଭାବରେ ନିଯୁକ୍ତ କରିଛନ୍ତି।

ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ନିକଟରେ ହାଜର ହୋଇଥିବା ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟାରାମଣି କହିଛନ୍ତି ଯେ ସରକାର ଦେଇଥିବା ଫ୍ରିବିଜ (ମାଗଣା ଯୋଜନା) ଏକ ସାମୟିକ ବ୍ୟବସ୍ଥା। ଦରମା ଏବଂ ପେନସନ ବୃଦ୍ଧି ଏକ ସ୍ଥାୟୀ ଜିନିଷ। ରାଜସ୍ୱ ଉପରେ ଏହାର ପ୍ରଭାବକୁ ବିଚାର କରିବା ଜରୁରୀ ଅଟେ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ତେବେ ନିର୍ବାଚନ ପୂର୍ବରୁ ହିଁ କିଛି ରାଜନୈତିକ ଦଳ ସତ୍ତାକୁ ଆସିଲେ ମହିଳାମାନଙ୍କୁ ପ୍ରତିମାସରେ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅମ ଆଦମୀ ପାର୍ଟି 'ମହିଳା ସମ୍ମାନ ଯୋଜନା' ଜରିଆରେ ଦିଲ୍ଲୀରେ ମହିଳାମାନଙ୍କୁ ପ୍ରତି ମାସରେ ୨୧୦୦ ଟଙ୍କା ଦେବାକୁ ଘୋଷଣା କରିଛି। ସେହିପରି କଂଗ୍ରେସ 'ପ୍ୟାରୀ ଦିଦି ଯୋଜନା' ଜରିଆରେ ପଅତିମାସରେ ୨୫୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି।

Supreme Court Freebies Delhi Assembly Election