Advertisment

ଭୟଙ୍କର ନିର୍ଯାତନା: ମଦ ପିଇବାକୁ ମନା କରିବାରୁ ଛାତ୍ରଙ୍କୁ ବେଲ୍ଟରେ ପିଟିଲେ

ଆକ୍ରମଣକାରୀମାନେ ତାଙ୍କୁ ମଦ ପିଇବାକୁ କହିଥିଲେ ଓ ସେ ମନା କରିଥିଲେ। ବାସ୍‌ ଏଥିପାଇଁ ତାଙ୍କୁ ମିଳିଛି ଏପରି ଦଣ୍ଡ।

author-image
Hemant Lenka
Attack

Attack

ଉଦ୍ୟମ କରି ନିଜ ଇଚ୍ଛାକୁ ଜଣେ ଶିକ୍ଷାର୍ଥୀଙ୍କ ଉପରେ ଲଦି ବିଫଳ ହେବା ପରେ କିଛି ଛାତ୍ର ଘଟାଇଛନ୍ତି ଅଭାବନୀୟ କାଣ୍ଡ। କଥା ନ ଶୁଣିବାରୁ ଛାତ୍ରମାନେ ତାଙ୍କୁ ଗୋଟିଏ ରୁମ ଭିତରେ ବନ୍ଦ କରି ଦେଇଛନ୍ତି ଭୟଙ୍କର ନିର୍ଯାତନା।

Advertisment

ତାଙ୍କୁ ବିଧା ଗୋଇଠା ମାରିବା ସହ ବେଲ୍ଟରେ ପିଟିଛନ୍ତି। ଛାତ୍ର ଜଣଙ୍କର ଅପରାଧ କ’ଣ ଜାଣିଛନ୍ତି କି? ଆକ୍ରମଣକାରୀମାନେ ତାଙ୍କୁ ମଦ ପିଇବାକୁ କହିଥିଲେ ଓ ସେ ମନା କରିଥିଲେ। ବାସ୍‌ ଏଥିପାଇଁ ତାଙ୍କୁ ମିଳିଛି ଏପରି ଦଣ୍ଡ। ହିମାଚଳ ପ୍ରଦେଶର ଗୋଟିଏ ଘରୋଇ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଏଭଳି କାଣ୍ଡ ଘଟାଇଛନ୍ତି।

ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ କ୍ୟାମେରାରେ କଏଦ ହୋଇଛି। ପୀଡ଼ିତ ଛାତ୍ର କଲେଜରେ ପଡ଼ୁଥିବା ୫ ଜଣଙ୍କୁ ପୁଲିସ୍‌ ଏଥିପାଇଁ ଗିରଫ କରିଛି।

Advertisment

ଏଫଆଇଆର ଅନୁସାରେ, ୨୨ ବର୍ଷୀୟ ରଜତ କୁମାର ହେଉଛନ୍ତି ବହରା ବିଶ୍ୱବିଦ୍ୟାଳୟରେ ପ୍ରଥମ ବର୍ଷର ଏମବିଏ ଛାତ୍ର। ସେ ସୋଲାନ ଠାରେ ଥିବା ବିଶ୍ୱ ବିଦ୍ୟାଳୟର ହଷ୍ଟେଲରେ ରୁହନ୍ତି। ଶନିବାର ଦିନ ବିଶ୍ୱ ବିଦ୍ୟାଳୟର ଆଉ ୨ ଜଣ ଛାତ୍ର ରଜତଙ୍କୁ ଆଉ ଗୋଟିଏ ରୁମକୁ ଡାକିଥିଲେ। ହେଲେ ସେ ମନା କରିବାରୁ ତାଙ୍କୁ ରୁମ ଭିତରକୁ ଘୋଷାଡ଼ି ନେଇଥିଲେ।

ସେଠାରେ ପୂର୍ବରୁ ଆଉ କିଛି ଛାତ୍ର ରହିଥିଲେ। ସେମାନେ ମିଳିତ ଭାବେ ରଜତ କୁମାରଙ୍କୁ ମଦ ପିଇବାକୁ କହିଥିଲେ। ହେଲେ ସେ ମନା କରିବାରୁ ତାଙ୍କୁ ସମସ୍ତେ ମିଳିତ ଭାବେ ବିଧା ଓ ଗୋଇଠା ମାରିଥିଲେ। ତାଙ୍କୁ ବେଲ୍ଟରେ ମଧ୍ୟ ପିଟିଥିଲେ।

ମୋବାଇଲ ଫୋନରେ ପୂରା ଘଟଣାକୁ ରୁମରେ ଥିବା ଜଣେ ଛାତ୍ର ରେକର୍ଡ କରିଥିଲେ। ଏଥିରେ ଦେଖିବାକୁ ମିଳୁଛି ଯେ ରଜତ କୁମାର ଗୋଟିଏ ଚେୟାରରେ ବସିଛନ୍ତି। ଯେତେବେଳେ ଅଭିଯୋଗ ଶବ୍ଦ ଉଠିଥିଲା, ସାମ୍ନା ପଟେ ରହିଥିବା ଜଣେ ଛାତ୍ର ସିଧା ରଜତ କୁମାରଙ୍କ ପାଖକୁ ଯାଇଥିଲା ଓ ତାଙ୍କୁ ଚାପୁଡ଼ା ମାରିଥିଲା। ଏହି ସମୟରେ କୁମାରଙ୍କ କାନ୍ଧରେ ହାତ ପକାଇଥିବା ଜଣେ ପିଲା ଚାପୁଡ଼ା ମାରିଥିବା ଛାତ୍ରଙ୍କୁ ବସିବାକୁ କହିଥିଲା।

ତେବେ କିଛି ସମୟ ପରେ ତାଙ୍କ କାନ୍ଧରେ ହାତ ପକାଇଥିବା ପିଲାଟି ମଧ୍ୟ ତାଙ୍କୁ ମାଡ଼ ମାରିଥିଲା। ଦ୍ୱିତୀୟ ଛାତ୍ର ଜଣଙ୍କ ପୁଣି କୁମାରଙ୍କୁ ଚାପୁଡ଼ା ମାରିଥିଲା ଓ ପ୍ରଥମ ପିଲାଟି ବେଲ୍ଟ ଆଣି କୁମାରଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ପିଟି ଚାଲିଥିଲା। କିଛି ପିଲା କୁମାରଙ୍କୁ ମୁଥ ମାରୁଥିବା ଦେଖିବାକୁ ମିଳିଛି। ରୁମରେ ଆଉ କିଛି ପିଲା ଥିଲେ ମଧ୍ୟ ସେମାନେ କେବଳ ନିରବଦ୍ରଷ୍ଟା ସାଜିଥିଲେ।

ଗାଳି ଓ ମାଡ଼ ଚାଲିଥିବା ବେଳେ କୁମାରଙ୍କ ପାଖକୁ ଜଣେ ପିଲା ମଦ ବୋତଲ ଏବଂ ଗ୍ଲାସ ଧରି ପହଞ୍ଚିଥିଲା। ସେ ତାଙ୍କୁ ଗୋଟିଏ ପେଗ ବଢ଼ାଇ ପିଇବାକୁ କହିଥିଲା। ଏଥିସହ ମୁର୍ଗା ବନିବାକୁ ନିର୍ଦ୍ଦେଶ ଦେଇଥିଲା। କୁମାର ମଦ ପିଇବାକୁ ମନା କରିଥିଲେ। କିନ୍ତୁ ଜଣେ ଆକ୍ରମଣକାରୀ ପରିହାସ କରି କହିଥିଲେ ଯେ ଯଦି ହ୍ୱିସ୍କି ଭଲ ଲାଗିବନି ତା’ହେଲେ ବିୟର ପିଇବୁ କି? ଏହାପରେ ସେ ରୁମରେ ଥିବା ଆଉ ଜଣେ ପିଲାକୁ ତୁରନ୍ତ ବିୟର ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। 

ଘଟଣା ସାମ୍ନାକୁ ଆସିବା ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା ଓ କୁମାରଙ୍କୁ ମାଡ଼ ମାରିଥିବା ଛାତ୍ରମାନଙ୍କୁ ରାଗିଂ ବିରୋଧୀ କମିଟି ହାଜର ହେବାକୁ କୁହାଯାଇଥିଲା। ହେଲେ ସେମାନେ କମିଟି ନିକଟରେ ହାଜର ହୋଇ ନଥିଲେ।

ସୋଲାନ ଏସ୍‌ପି ଗୌରବ ସିଂହ କହିଛନ୍ତି ଯେ କୁମାର କଣ୍ଡାଘାଟ ପୁଲିସ୍‌ ଷ୍ଟେସନରେ ଏନେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ମିଳିବା ପରେ ମାମଲା ରୁଜୁ ହୋଇଛି। ଚିରାଗ ରାଣା, ଦିବ୍ୟାଂଶ ଓ କରନ ଡୋଗ୍ରାଙ୍କୁ ଗିରଫ କରାଯାଇଥିଲା। ସେହିପରି ବୁଧବାର କାର୍ତ୍ତିକ ଓ ସକ୍ଷମ ନାମକ ଆଉ ୨ ଜଣଙ୍କୁ ଗିରଫ କରାଯାଇଛି। ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ଅଣାଯାଇଛି।

Raging Himachal Pradesh