୧୨୦ କିମି ବେଗରେ ଆସିଲା ଇନୋଭା; ଟ୍ରକ୍‌ରେ ପିଟିହେଲା, ଚାଲିଗଲା ୬ ଜୀବନ

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଇନୋଭା କାର୍‌ଟି ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ୬ ଜଣ ଆଖି ବୁଜିଛନ୍ତି। ମୃତକଙ୍କ ମଧ୍ୟରେ ୩ ଯୁବକ ଓ ୩ ଯୁବତୀ ଅଛନ୍ତି।

ଦୁର୍ଘଟଣାଗ୍ରସ୍ତ କାର୍‌ ।

  • Published: Tuesday, 19 November 2024
  • , Updated: 19 November 2024, 10:30 AM IST

ଦ୍ରୁତ ଗତି ଆଣିଲା ମହା ବିପତ୍ତି। ବିଏମ୍‌ଡବ୍ଲ୍ୟୁ କାର୍‌ ସହ ରେସ୍‌ କରିବା ମହଙ୍ଗା ପଡ଼ିଲା। ଟ୍ରକ୍‌ରେ ପିଟିହେଲା ଇନୋଭା କାର୍‌ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଇନୋଭା କାର୍‌ଟି ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ୬ ଜଣ ଆଖି ବୁଜିଛନ୍ତି। ମୃତକଙ୍କ ମଧ୍ୟରେ ୩ ଯୁବକ ଓ ୩ ଯୁବତୀ ଅଛନ୍ତି। ଏହି ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।

ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଆଜି ଭୋରରୁ ଉତ୍ତରାଖଣ୍ଡର ଡେରାଡୁନରେ ଘଟିଛି। ସମସ୍ତ ମୃତକଙ୍କ ବୟସ ୨୫ ବର୍ଷ ଭିତରେ ହେବ ଓ ସମସ୍ତେ ପାଠ ପଢ଼ୁଥିବା ଜଣାଯାଇଛି। ମୃତକ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଘର ଡେରାଡୁନରେ ବୋଲି ଜଣାଯାଇଛି। ସମସ୍ତ ୭ ଯୁବକଯୁବତୀ ଗତ ରାତିରେ ଲଙ୍ଗ ଡ୍ରାଇଭରେ ବାହାରିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।

ପୁଲିସ୍‌ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, ଦୁର୍ଘଟଣା ଘଟିବା ପୂର୍ବରୁ ଇନୋଭା କାର୍‌ଟି ପ୍ରାୟ ୧୨୦ କିମି ବେଗରେ ଗତି କରୁଥିବା ବେଳେ ଏକ BMW କାର୍‌ ସହ ରେସ୍‌ ଚଳାଇଥିଲା। ଏପରିକି ଇନୋଭା କାର୍‌ଟି ଦୁର୍ଘଟଣା ସ୍ଥଳଠୁ ମାତ୍ର ୬ଶହ ମିଟର ଦୂରରେ ଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିବାକୁ ମାତ୍ର ୧୩ ସେକେଣ୍ଡ ଲାଗିଥିଲା।

ମାତ୍ର ଏହାପରେ ଡ୍ରାଇଭରଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଲେ ଓ ଗାଡ଼ିଟି ଏକ ଟ୍ରକ୍‌ରେ ପିଟିହେଲା। ପଛରେ ଆସୁଥିବା BMW କାର୍‌ଟି ଦୁର୍ଘଟଣାସ୍ଥଳରେ ୨୫ ମିନିଟ୍‌ କାଳ ଅଟକିଥିଲା । ଏଥିସହ BMW କାର୍‌ରେ ଥିବା ଲୋକ ଗୁରୁତରଙ୍କୁ ହସ୍ପିଟାଲରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ। ସେ ଏବେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ BMW କାର୍‌ ଚାଳକଙ୍କୁ ପଚରାଉଚରା କରିଥିଲା। ମାତ୍ର ହସ୍ପିଟାଲରେ ଥିବା ନିଜ ପରିଚିତଙ୍କୁ ଦେଖା କରିବାକୁ ସେମାନେ ରାତି ଅଧରେ ଯାଉଥିବା ପୁଲିସ୍‌ ସମ୍ମୁଖରେ କହିଥିଲେ ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଦୁର୍ଘଟଣା ଖବର ପାଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Related story