ଦିନକୁ ଦିନ ଦେଶରେ ବଢ଼ି ଚାଲିଛି ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣା। ଏବେ ପୁଣି ଏକ ମାମଲା ସାମ୍ନାକୁ ଆସିଛି। ବିହାର ରାଜଧାନୀ ପାଟନରେ ଜଣେ ଏନ୍ଆଇଟି ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ କ୍ୟାମ୍ପସ ପରିସରରେ ଜୋରଦାର ହଙ୍ଗାମା ହୋଇଛି।
ଶୁକ୍ରବାର ବିହାର ପାଟନାର ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜୀରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ମୃତକ ଜଣକ ହେଲେ କମ୍ପ୍ୟୁଟର ସାଇନ୍ସରେ ପଢ଼ୁଥିବା ଦ୍ୱୀତିୟ ବର୍ଷର ଛାତ୍ରୀ ପଲ୍ଲଭୀ। ସେ ଅନ୍ଧ୍ର ପ୍ରଦେଶର ବାସିନ୍ଦା ଅଟନ୍ତି। ତେବେ ସେ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।
ସେପଟେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାକୁ ନେଇ କ୍ୟାମ୍ପସ ପରିସରରେ ଉତ୍ତେଜନା ଦେଖାଦେଇଛି। ଛାତ୍ରଛାତ୍ରୀମାନେ ଜୋରଦାର ହଙ୍ଗାମା କରିଛନ୍ତି। କଲେଜ ପ୍ରଶାସନଙ୍କ ବିରୋଧରେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ଏହି ପୂରା ମାମଲାରେ ସମ୍ପୂର୍ଣ୍ଣ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି।
ପଲ୍ଲଭୀଙ୍କ ଜଣେ ବନ୍ଧୁଙ୍କ କହିବା ମୁତବାକ, ପଲ୍ଲଭୀ ଶୁକ୍ରବାର ଦିନ ସେମାନଙ୍କ ସହ ଥିଲେ ଏବଂ ଖୁସି ଥିଲେ। ସେ ଏହା କରିବେ ବୋଲି କାହାରି ଧାରଣା ନଥିଲା। ଏଭଳି ପରିସ୍ଥିତିରେ ପଲ୍ଲଭୀ କାହିଁକି ଏପରି କଲେ ତାହା ଏକ ବଡ଼ ପ୍ରଶ୍ନ। ପଲ୍ଲଭୀ ବହୁତ ଖୁସି ମିଜାର ଝିଅ ଥିଲେ। ସେ ତାଙ୍କ ପାଠପଢ଼ରେ ମଧ୍ୟ ଭଲ ଥିଲେ। ତେବେ ହଠାତ୍ ଏହା କିପରି ଘଟିଲା ତାହା ବୁଝିବା ମୁସ୍କିଲ।
ସେପଟେ କଲେଜ ପରିସରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ସେଠାରେ ମୁତୟନ କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।