/odisha-reporter/media/media_files/2026/01/27/ugc-2026-01-27-14-24-31.jpg)
ଶିକ୍ଷାର୍ଥୀଙ୍କ ବିକ୍ଷୋଭ
ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ ବା ୟୁଜିସିର ନୂଆ ନିୟମକୁ ନେଇ ପୂରା ଦେଶରେ ହଙ୍ଗାମା। ନୂଆ ନିୟମକୁ ବିରୋଧରେ ବିକ୍ଷୋଭକୁ ଓହ୍ଲାଇଛନ୍ତି ଶହଶହ ଶିକ୍ଷାର୍ଥୀ। ଦିଲ୍ଲୀ ସ୍ଥିତି ୟୁଜିସିର ମୁଖ୍ୟ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶ ଓ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନୂଆ ନିୟମକୁ ଜୋରଦାର ବିରୋଧ କରାଯାଇଛି।
ସେହିପରି ନୂଆ ନିୟମ ବିରୋଧରେ ଗୋଟିଏ ଜନ ସ୍ୱାର୍ଥ ମାମଲା ମଧ୍ୟ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ୟୁଜିସିର ପ୍ରମୋସନ ଅଫ ଇକ୍ୟୁଟୀ ଇନ ହାଇଅର ଏଡୁକେସନ ଇନଷ୍ଟିଚ୍ୟୁସନ୍ସ ରେଗୁଲେସନ ୨୦୨୬କୁ ପିଆଇଏଲ ଦ୍ୱାରା ଚ୍ୟାଲେଞ୍ଜ କରାଯାଇଛି। ଆଇନଜୀବୀ ବିନୀତ ଜିନ୍ଦଲ ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ କରିଛନ୍ତି।
ପିଆଇଏଲରେ ଯୁକ୍ତି ଉପସ୍ଥାପନ କରାଯାଇଛି ଯେ ନିୟମରେ ଏସ୍ସି/ଏସ୍ଟି ଓ ଓବିସି ବର୍ଗ ବାହାରେ ଥିବା ଶିକ୍ଷାର୍ଥୀଙ୍କ ଅଭିଯୋଗର ସମାଧାନ କିମ୍ବା ଅନୁଷ୍ଠାନ ଭିତରେ ସୁରକ୍ଷା ପାଇଁ କୌଣସି ପ୍ରକାରର ବ୍ୟବସ୍ଥା କରାଯାଇ ନାହିଁ। ସମସ୍ତ ଶିକ୍ଷାର୍ଥୀଙ୍କୁ ଜାତିଭିତ୍ତିକ ଭେଦଭାବରୁ ସୁରକ୍ଷା ଦେବା ପାଇଁ ଆଇନରେ ବ୍ୟବସ୍ଥା ହେବା ଦରକାର ବୋଲି ଯୁକ୍ତି ଉପସ୍ଥାପନ କରାଯାଇଛି। ସମ୍ବିଧାନର ଧାରା ୧୪,୧୫ ୨୧ରେ ଥିବା ମୌଳିକ ଅଧିକାରକୁ ନୂଆ ନିୟମ ଉଲ୍ଲଙ୍ଘନ କରୁଥିବା ମଧ୍ୟ ଦର୍ଶାଯାଇଛି।
ଅନ୍ୟପକ୍ଷରେ ୟୁଜିସିର ନୂଆ ନିୟମକୁ ବିରୋଧ କରି ଉତ୍ତର ପ୍ରଦେଶର ବରେଲୀର ସିଟି ମାଜିଷ୍ଟ୍ରେଟ ଅଳଙ୍କାର ଅଗ୍ନିହୋତ୍ରୀ ନିଜ ପଦ ଛାଡ଼ିଛନ୍ତି। ୟୁଜିସିର ନୂଆ ନିୟମ ଉଚ୍ଚ ଜାତିର ଶିକ୍ଷାର୍ଥୀଙ୍କ ଉପରେ ଗଭୀର ପ୍ରଭାବ ପକାଇବ ବୋଲି ସେ କହିଛନ୍ତି। ସେହିପରି ନୋଏଡାରେ ବିଜେପି ଯୁବ ମୋର୍ଚ୍ଚାର ଉପସଭାପତି ରାଜୁ ପଣ୍ଡିତ ନୂଆ ନିୟମକୁ କଳା ଆଇନ କହି ଇସ୍ତଫା ଦେଇଛନ୍ତି।
ନିୟମକୁ ପୁଣି ବିଚାର କରିବାକୁ ଦାବି କରି ନୂଆଦିଲ୍ଲୀରେ ଥିବା ୟୁଜିସି ମୁଖ୍ୟାଳୟ ସାମ୍ନାରେ ହଜାର ହଜାର ଶିକ୍ଷାର୍ଥୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନୂଆ ନିୟମ ଶିକ୍ଷାନୁଷ୍ଠାନ ପରିସରରେ ଦ୍ୱନ୍ଦ୍ୱ ଓ ବିବାଦ ସୃଷ୍ଟି କରିବ ବୋଲି ସେମାନେ ଆଶଙ୍କା କରିଛନ୍ତି। ଉତ୍ତର ପ୍ରଦେଶର ଶାହରନପୁର, ବରେଲୀ, ମୀରଟ ଓ ହାପୁରରେ ମଧ୍ୟ ଶିକ୍ଷାର୍ଥୀମାନେ ବିକ୍ଷୋଭକୁ ଓହ୍ଲାଇଛନ୍ତି।
ୟୁଜିସି ନୂଆ ଗାଇଡଲାଇନକୁ ବିବାଦ କାହିଁକି?
ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ଜାତିଗତ ଭେଦଭାବ ଓ ଅନ୍ୟ ପକ୍ଷପାତିତାକୁ କେମିତି ପରିଚାଳନା କରିବେ, ସେନେଇ ୟୁନିଭର୍ସିଟି ଗ୍ରାଣ୍ଟ କମିଶନର ପ୍ରମୋସନ ଅଫ ଇକ୍ୟୁଟୀ ଇନ ହାଇଅର ଏଡୁକେସନ ଇନଷ୍ଟିଚ୍ୟୁସନ୍ସ ରେଗୁଲେସନ ୨୦୨୬ ଜାରି କରାଯାଇଥିଲା। ନୂଆ ନିୟମ ଅନୁସାରେ ପ୍ରତିଟି ଶିକ୍ଷାନୁଷ୍ଠାନ ଭେଦଭାବକୁ ରୋକିବା ଓ ଏହାର ସମାଧାନ ପାଇଁ ସମାନ ସୁଯୋଗ ସେଲ, ସମାନତା ରଖୁଥିବା କମିଟି, ୨୪ ଘଣ୍ଟିଆ ହେଲପ ଲାଇନ ନମ୍ବର ଓ ମନିଟରିଂ ଟିମ ଗଠନ କରିବେ ବୋଲି ନୂଆ ନିୟମରେ ବାଧ୍ୟତାମୂଳକ କରାଯାଇଛି।
କିନ୍ତୁ ବିଜ୍ଞପ୍ତି ଜାରି ହେବା କ୍ଷଣି ଏହାକୁ ଦୃଢ଼ ଭାବେ ଦେଶବ୍ୟାପୀ ବିରୋଧ କରାଯାଉଛି। ବିଶେଷ କରି କିଛି ଶିକ୍ଷାର୍ଥୀ, ଶିକ୍ଷକ/ଶିକ୍ଷୟିତ୍ରୀ ଓ ସାମାଜିକ ସଂଗଠନ ଗୁଡ଼ିକ ଏହାକୁ ଜୋରଦାର ବିରୋଧ କରୁଛନ୍ତି। ନିୟମ ନିରପେକ୍ଷତାକୁ ବଜାୟୀ ରଖିବାକୁ ଅଣାଯାଇଥିବା କୁହାଯାଉଥିଲେ ହେଁ ବିକ୍ଷୋଭକାରୀ ଏହା ବିରୋଧରେ ମତ ରଖିଛନ୍ତି।
୧- ବିଶାଳ ସଜ୍ଞା ଓ ଦୁରୋପଯୋଗର ଭୟ
ନିୟମରେ ଭେଦଭାବର ଗୋଟିଏ ବ୍ୟାପକ ପରିଭାଷାର ଉପଯୋଗ କରାଯାଇଛି। ଏହାକୁ କିଛି ଲୋକ ଦ୍ୱନ୍ଦ୍ୱାତ୍ମକ ଭାବେ ବିବେଚନା କରୁଛନ୍ତି। ସେମାନଙ୍କ କହିବା କଥା ଯେ କେଉଁ ପ୍ରକାରର ବ୍ୟବହାରକୁ ଦଣ୍ଡ ଯୋଗ୍ୟ କରାଯିବ, ତା’କୁ ନେଇ ଭ୍ରମର ସ୍ଥିତି ସୃଷ୍ଟି ହେବ। ଏହି ନିୟମ ବେଳେ ମିଛ ଓ ମନଗଡ଼ା ଅଭିଯୋଗ ପାଇଁ ରାସ୍ତା ଫିଟିବ। ଏହାଦ୍ୱାରା ନିରୀହ ପିଲାମାନେ କ୍ଷତି ସହିବେ।
୨- ପ୍ରତିନିଧିତ୍ୱ ପ୍ରସଙ୍ଗ
ଶିକ୍ଷାନୁଷ୍ଠାନ ଗଠନ କରିବାକୁ ଥିବା ସମାନତା କମିଟିରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟ ପଛୁଆ ବର୍ଗ, ମହିଳା, ଦିବ୍ୟାଙ୍ଗମାନେ ରହିବା ବାଧ୍ୟତାମୂଳକ କରିଛି ୟୁଜିସି। ହେଲେ ନିୟମରେ ସାଧାରଣ ବର୍ଗର ପିଲାଙ୍କୁ ସାମିଲ କରିବା ବାଧ୍ୟତାମୂଳକ କରାଯାଇ ନାହିଁ। ତେଣୁ ଅଭିଯୋଗ ଦାଖଲ ଓ ଏହା ସାମାଧାନରେ ଅସମାନତା ଦେଖାଯିବ ବୋଲି ନିୟମର ବିରୋଧ କରୁଥିବା ଲୋକମାନେ କହିଛନ୍ତି।
୩- ମିଥ୍ୟା ଅଭିଯୋଗରୁ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ
ପୂର୍ବରୁ ପ୍ରସ୍ତାବିତ ନିୟମରେ ମିଥ୍ୟା ଅଭିଯୋଗ ପାଇଁ ଦଣ୍ଡବିଧାନ ବା ଫାଇନାର ବ୍ୟବସ୍ଥା ଥିଲା। କିନ୍ତୁ ଚୂଡ଼ାନ୍ତ ବିଜ୍ଞପ୍ତିରେ ଏହି ସୁରକ୍ଷାକୁ ବାଦ ଦିଆଯାଇଛି। ତେଣୁ ଏହାର ଦୁରୋପଯୋଗ କରାଯାଇ ଯେକେହି ଜଣଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ପାରିବେ।
୪- କ୍ୟାମ୍ପସ ବିବାଦ ଓ ଧ୍ରୁବୀକରଣ
କିଛି ଶିକ୍ଷାର୍ଥୀ ଓ ସଂଗଠନ କହିଛନ୍ତି ଯେ ଶିକ୍ଷାନୁଷ୍ଠାନ ପରିସରରେ ସର୍ଭେଲାନ୍ସ ଓ ସନ୍ଦେହର ପରିବେଶ ସୃଷ୍ଟି କରିବାକୁ ତିଆରି କରାଯାଇଛି। ନିୟମ ଯୋଗୁ ସାମାଜିକ ସଦଭାବନା ବାଧାପ୍ରାପ୍ତ ହେବ। ନିୟମିତ ସାମାଜିକ କଥାବାର୍ତ୍ତା ମଧ୍ୟ ନୂଆ ନିୟମ ଦ୍ୱାରା ପ୍ରଭାବିତ ହେବ।
୫- ସୋଶାଲ ମିଡିଆରେ ବିରୋଧ
ୟୁଜିସି ବିରୋଧରେ ସୋଶାଲ ମିଡିଆରେ #RollbackUGC ଟ୍ରେଣ୍ଡ କରିବାରେ ଲାଗିଛି। ନୂଆ ନିୟମ ଦ୍ୱାରା ସାଧାରଣ ବର୍ଗର ପିଲାଙ୍କ କ୍ଷେତ୍ରରେ ଅନୁଚିତ ବ୍ୟବହାର ହେବ ଓ ଜାତିଗତ ଭେଦଭାବକୁ ଆହୁରି ଗଭୀର କରିବ। କିଛି ଲୋକ ଅନଲାଇନରେ ୟୁଜିସିର ନିୟମକୁ କଲା ଆଇନ ବୋଲି ମଧ୍ୟ କହିଛନ୍ତି।
ୟୁଜିସିର ନୂଆ ଗାଇଡଲରେ କ’ଣ ରହିଛି?
ନୂଆ ନିୟମର ଉଦ୍ଦେଶ୍ୟ ହେଉଛି ଉଚ୍ଚ ଶିକ୍ଷାନୁଷ୍ଠାନୀ ନିରପେକ୍ଷତା ଓ ସମାବେଶକୁ ଅଧିକ ପ୍ରୋତ୍ସାହିତ କରିବା। ଜାତିଭିତ୍ତିକ ଭେଦଭାବକୁ ହ୍ରାସ କରିବା ଓ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଓବିସି ଭଳି ଅନ୍ୟ ବଞ୍ଚିତ ବର୍ଗର ଶିକ୍ଷାର୍ଥୀଙ୍କୁ ସମର୍ଥନ କରିବା ଏହି ନିୟମର ଲକ୍ଷ୍ୟ।
ବିଶ୍ୱବିଦ୍ୟାଳୟ /କଲେଜର ଭୂମିକା
ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବାଧ୍ୟତାମୂଳକ ଭାବେ ସମାନ ସୁଯୋଗ କେନ୍ଦ୍ର ଓ ସମାନତା କମିଟି ଗଠନ କରିବେ। ଏହି କମିଟି ଗୁଡ଼ିକ ଭେଦଭାବ ଅଭିଯୋଗର ବିଚାର କରିବେ ଓ ଶିକ୍ଷା ପରିବେଶରେ ସ୍ୱଚ୍ଛତା ରଖିବାକୁ ସମୀକ୍ଷା କରିବେ। ଶିକ୍ଷାନୁଷ୍ଠାନଗୁଡ଼ିକ ସଚେତନାମୂଳକ କାର୍ଯ୍ୟକ୍ରମ କରିବେ ଓ ପ୍ରଭାବିତ ଶିକ୍ଷାର୍ଥୀଙ୍କୁ ସବୁ ପ୍ରକାରର ସହାୟତା ଦେବେ।
ୟୁଜିସିର ଭୂମିକା
ନିୟମ କାର୍ଯ୍ୟକାରୀ ହେଉଛି କି ନାହିଁ, ସେକଥାକୁ ୟୁଜିସି ନିଶ୍ଚିତ କରିବ। ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଥିବା ପଛୁଆ ବର୍ଗର ପିଲାଙ୍କୁ ୟୁଜିସି ଶିକ୍ଷାଗତ ଓ ଆର୍ଥିକ ସହାୟତା କରିବ। ଏହି ନୀତିର ସଫଳ ରୂପାନୟ ପାଇଁ ୟୁଜିସି ସରକାରୀ ଅଧିକାରୀ ଓ ସାମାଜିକ ସଂଗଠନ ଗୁଡ଼ିକ ସହ ସମନ୍ୱୟ ରକ୍ଷା କରିବ।
ଅତିରିକ୍ତ ପଦକ୍ଷେପ
ଶିକ୍ଷାନୁଷ୍ଠାନ ପକ୍ଷରୁ ଜାରି ହେବାକୁ ଥିବା ୨୪ ଘଣ୍ଟିଆ ହେଲପ ଲାଇନ ନମ୍ବରରେ ଶିକ୍ଷାର୍ଥୀମାନେ ଜାତିଭିତ୍ତିକ ଓ ଅନ୍ୟ ବିଭେଦତା ସମ୍ପର୍କରେ ଅଭିଯୋଗ କରିପାରିବେ।
ଶିକ୍ଷାନୁଷ୍ଠାନ ଗୁଡ଼ିକ କେମିତି ନିୟମକୁ କାର୍ଯ୍ୟକାରୀ କରୁଛନ୍ତି, ତା’କୁ ୟୁଜିସି ଦେଖିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
