Judge
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଉପ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରିବାକୁ ଆହ୍ୱାନ କରିଥିଲେ ହେଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ସେପ୍ଟେମ୍ବର ୯ରେ ହେବାକୁ ଥିବା ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ବିରୋଧୀ ମେଣ୍ଟର ଉପ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଗୋଆର ପ୍ରଥମ ଲୋକାୟୁକ୍ତ ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀ।
ଇଣ୍ଡିଆ ମେଣ୍ଟ ଜଷ୍ଟିସ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କର ଲଢ଼େଇ ଏନଡିପି ପ୍ରାର୍ଥୀ ତଥା ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କ ସହ ହେବ।
ଆନ୍ଧ୍ର ପ୍ରଦେଶର ରଙ୍ଗାରେଡ୍ଡୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ରେଡ୍ଡୀ ୧୯୭୧ରେ ଆଇନଜୀବୀ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ୧୯୪୬ ମସିହା ଜୁଲାଇ ୮ରେ ଜନ୍ମ ହୋଇଥିବା ଜଷ୍ଟିସ ରେଡ୍ଡୀ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଆଇନଜୀବୀ ଭାବେ ପ୍ରଥମେ କାମ କରିଥିଲେ। ୧୯୯୫ରେ ତାଙ୍କୁ ପ୍ରଥମଥର ପାଇଁ ଆନ୍ଧ୍ର ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ଏହାପରେ ୨୦୦୫ରେ ସେ ଗୁହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ।
୧୯୯୦ରେ ସେ ସଂକ୍ଷିପ୍ତ ସମୟ ପାଇଁ କେନ୍ଦ୍ର ସରକାରରେ ଅତିରିକ୍ତ ଷ୍ଟାଣ୍ଡିଂ ଓକିଲ ଦାୟିତ୍ୱ ନିର୍ବାହ କରିଥିଲେ। ନିଜର ଆଇନଗତ କ୍ୟାରିୟରରେ ସେ ଓସମାନିଆ ବିଶ୍ୱବିଦ୍ୟାଳୟର ଆଇନ ପରାମର୍ଶ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
ବିଶିଷ୍ଟ ଆଇନଜ୍ଞ ଭାବେ ପରିଚିତ ଜଷ୍ଟିସ ରେଡ୍ଡୀ ୨୦୦୭ରେ ସୁପ୍ରିମକୋର୍ଟର ବିଚାରପତି ହେବା ସହ ୨୦୧୧ ଜୁଲାଇରେ ଅବସର ନେଇଥିଲେ। ଅବସର ନେବା ପରେ ସେ ଗୋଆର ପ୍ରଥମ ଲୋକାୟୁକ୍ତ ଭାବେ କାମ ଆରମ୍ଭ କରିଥିଲେ।
ଜଷ୍ଟିସ ସୁଦର୍ଶନଙ୍କୁ ବିରୋଧୀ ମେଣ୍ଟର ମିଳିତ ପ୍ରାର୍ଥୀ କରାଯାଇଥିବା ସମ୍ପର୍କରେ ଘୋଷଣା କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ଆସନ୍ତା ଉପ ରାଷ୍ଟ୍ରପତି ନିର୍ବାଚନ ଗୋଟିଏ ବିଚାରଧାରାର ଲଢ଼େଇ। ସମସ୍ତ ବିରୋଧୀ ଏକାଠି ରହିଛନ୍ତି।
ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆକ୍ରମଣ କରାଯାଉଛି। ସେ ଗୁହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ସୁପ୍ରିମକୋର୍ଟର ବିଚାରପତି ଭାବେ କାମ କରିଛନ୍ତି। ସେ ସାମାଜିକ ଓ ରାଜନୀତିକ ନ୍ୟାୟର ଜଣେ ପ୍ରହରୀ ଭାବେ ଖ୍ୟାତି ଅର୍ଜନ କରି ସାରିଛନ୍ତି ବୋଲି ଖଡଗେ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Judge_1755590076.jpg)