Advertisment

Blast in Delhi: ଲାଲକିଲ୍ଲା ବିସ୍ଫୋରଣର ୩ ଦିନ ପୂର୍ବରୁ ଅଣ୍ଡରଗ୍ରାଉଣ୍ଡରେ ଥିବା ଉମର, କଶ୍ମୀରରେ ଧରପଗଡ଼ ଜାରି

ନିଜର ୩ ସହଯୋଗୀ ଗିରଫ ହେବାରୁ ଉମରକୁ ବି ଗିରଫଦାରୀର ଭୟ ଘାରିଥିଲା। ଏଥିପାଇଁ ସେ ଫୋନ ଅଫ କରି ଫରିଦାବାଦରୁ ଫେରାର ହୋଇଯାଇଥିଲା।  ଏହାପରେ ସୋମବାର ସନ୍ଧ୍ୟାରେ ସେ ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ କରିଥିଲା।

author-image
Hemant Lenka
Umar

ଉମର

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଆତ୍ମଘାତୀ କାର ବିସ୍ଫୋରଣ(Blast In Delhi)ରେ ସାମିଲ ଥିବା ଡାକ୍ତର ମହମ୍ମଦ ଉମର ନବିକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ବିସ୍ଫୋରଣର ୩ ଦିନ ପୂର୍ବରୁ ହିଁ ଉମର ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା। ସେ ଶୁକ୍ରବାର ଶେଷଥର ପରିବାର ଲୋକଙ୍କ ସହ କଥା ହୋଇଥିଲା। ଏହାପରେ ନିଜର ଫୋନକୁ ଅଫ କରି ଦେଇଥିଲା। ପରିବାର ଲୋକ ତା’କୁ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। 

Advertisment

ଜୈଶ ପୋଷ୍ଟର ମାରିବା ଘଟଣାରେ ଡାକ୍ତର ଆଦିଲ ଓ ତା’ ଲିଙ୍କରେ ଫରିଦାବାଦରୁ ଡାକ୍ତର ମୁଜାମିଲ ଗିରଫ ହେବା ପରେ ଉମର ପୂରା ଡରି ଯାଇଥିଲା। ଏହି ଦୁଇ ଜଣଙ୍କୁ ପୁଲିସ୍‌ ଗିରଫ କରିବା ସହ ଫରିଦାବାଦରୁ ୨୯୦୦ କେଜି ଓଜନର ବିସ୍ଫୋରକ ଜବତ କରିଥିଲା। ଜଣେ ମହିଳା ଡାକ୍ତରକୁ ମଧ୍ୟ ପୁଲିସ୍‌ ଗିରଫ କରିଥିଲା।

ନିଜର ୩ ସହଯୋଗୀ ଗିରଫ ହେବାରୁ ଉମରକୁ ବି ଗିରଫଦାରୀର ଭୟ ଘାରିଥିଲା। ଏଥିପାଇଁ ସେ ଫୋନ ଅଫ କରି ଫରିଦାବାଦରୁ ଫେରାର ହୋଇଯାଇଥିଲା। 
ଏହାପରେ ସୋମବାର ସନ୍ଧ୍ୟାରେ ସେ ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ କରିଥିଲା। ଏଥିରେ ୧୩ ଜଣ ପ୍ରାଣ ହରାଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।

Advertisment

ଉମର ବିସ୍ଫୋରଣରେ ବ୍ୟବହୃତ ହୋଇଥିବା ଆଇ ୨୦ କାର ଚଳାଉଥିବା ଜଣାପଡ଼ିବା ପରେ କଶ୍ମୀରର ପୁଲୱାମା ଅନ୍ତର୍ଗତ କୋୟାଲ ଗାଁରେ ରହୁଥିବା ତା’ ପରିବାର ଲୋକ ପୂରା ସ୍ତବ୍ଧ ହୋଇଯାଇଛନ୍ତି। ୩୩ ବର୍ଷୀୟ ଉମର ଆତ୍ମଘାତୀ ହମଲାକାରୀ ବୋଲି ଜଣାପଡ଼ିବା ପରେ ପୂରା ଗାଁରେ ଆତଙ୍କ ସୃଷ୍ଟି ହୋଇଛି।

ଦିଲ୍ଲୀ ବିସ୍ଫୋରଣ ପରେ ଜମ୍ମୁ-କଶ୍ମୀର ପୁଲିସ୍‌ ବିଭିନ୍ନ ସ୍ଥାନରେ ସୋମବାର ରାତିରୁ ହିଁ ରେଡ ଆରମ୍ଭ କରି ଦେଇଛି। କୋୟାଲ ଗାଁରରେ ଥିବା ଡାକ୍ତର ଉମରର ଘରେ ପୁଲିସ୍‌ ରେଡ କରି ତା’ର ଦୁଇ ଭାଇ ଓ ମା’ଙ୍କୁ ଉଠାଇ ନେଇଛି। ଆତ୍ମଘାତୀ ହମଲାକାରୀର ଡିଏନଏ ସହ ମେଳ କରିବାକୁ ଉମରର ମା’ଙ୍କ ଡିଏନଏ ସଂଗ୍ରହ କରାଯାଇଛି। ଆଜି ପୁଲିସ୍‌ ଉମରର ବାପାଙ୍କୁ ମଧ୍ୟ ଅଟକ ରଖି ଡିଏନଏ ସଂଗ୍ରହ କରିଛି। ଗତକାଲି ତାଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥା ଯୋଗୁ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। 

ଅଲ ଫଲାହ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଡାକ୍ତର ସାଜଦଙ୍କୁ ମଧ୍ୟ ପୁଲିସ୍‌ ଅଟକ ରଖି ଜେରା କରୁଛି। ସେ ଉମର ବନ୍ଧୁ ତଥା ସହକର୍ମୀ। ଡାକ୍ତର ସାଜଦଙ୍କୁ ଅଧିକ ତଥ୍ୟ ପାଇଁ ଅଟକ ରଖାଯାଇଛି ନା ସେ ଟେରର ମଡ୍ୟୁଲର ଅଂଶବିଶେଷ ସେକଥା ଜଣାପଡ଼ିନି। 

କୋୟାଲ ଗାଁ ଠାରୁ ୨୦ କିମି ଦୂର ସମ୍ବୋରା ଗାଁରେ ମଧ୍ୟ ରେଡ କରି ଦୁଇ ଭାଇ ଆମୀର ଓ ଉମର ରାଶିଦକୁ ଗିରଫ କରିଛି। ବିସ୍ଫୋରଣରେ ବ୍ୟବହୃତ ଆଇ ୨୦ କାରକୁ ଆମୀର ଗୋଟିଏ ଏଜେନ୍ସି ଠାରୁ କିଣିଥିଲା। ସେହି ଫଟୋ ଭାଇରାଲ ହେବା ପରେ ପୁଲିସ୍‌ ତା’କୁ ମଧ୍ୟ ଗିରଫ କରିଛି।

ତେବେ ଆମୀରଙ୍କ ପରିବାର ଲୋକ କିଛି ଅଲଗା ଦାବି କରିଛନ୍ତି। ସେମାନଙ୍କ କହିବା କଥା ଯେ ଆମୀର କେବେ ବି ଜମ୍ମୁ-କଶ୍ମୀର ବାହାରକୁ ଯାଇ ନାହିଁ। ତେଣୁ ହରିୟାଣାର ଫରିଦାବାଦରେ ସେ କାର ସହ ଫଟୋ ଉଠାବା ଖବର ମିଛ।

ସେମାନଙ୍କ କହିବା କଥା ଯେ ପୁଲିସ୍‌ ରାତି ପ୍ରାୟ ୧୦.୩୦ରେ ଘରେ ରେଡ କରିଥିଲା। ଏହାପରେ ଘରର ଦୁଇ ପୁଅ ଆମୀର ଓ ଉମରକୁ ଉଠାଇ ନେଇଥିଲା। ପୁଲିସ ଏଯାଏ ଏହି ଦୁଇ ଟେରର ପ୍ଲଟର ଅଂଶବିଶେଷ କି ନାହିଁ, ସେକଥା ସ୍ପଷ୍ଟ କରିନି। 

Delhi Blast Blast In Delhi