ଆସନ୍ତାକାଲି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଦିବଂଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁନେତ୍ରା ପାୱାର। ଏନେଇ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଅଜିତ ପାୱାରଙ୍କ ସ୍ଥାନ ନେବା ପାଇଁ ଏନ୍ସିପି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ସୁନେତ୍ରା ଗ୍ରହଣ କରିଛନ୍ତି। ଏହି ପ୍ରସ୍ତାବ ସଂପର୍କରେ ପାୱାର ପରିବାରରେ ପ୍ରଥମେ ଆଲୋଚନା ହୋଇଥିଲା। ତା’ପରେ ସେ ଏହାକୁ ଗ୍ରହଣ କରିଥିଲେ। ସେ ଉପମୁଖ୍ୟମନ୍ତ୍ରୀ ହେବା ସହ ତାଙ୍କ ପାଖରେ ଅବକାରୀ ଓ କ୍ରୀଡ଼ା ବିଭାଗ ରହିବ।
ଆସନ୍ତାକାଲି ମୁମ୍ବାଇରେ ଅପରାହ୍ନ ୨ଟାରେ ବିଧାନ ଭବନରେ NCP ବିଧାୟକ ଦଳର ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସୁନେତ୍ରା ପାୱାରଙ୍କୁ ଆନୁଷ୍ଠାନିକ ଭାବେ ଏନ୍ସିପିର ବିଧାୟକ ଦଳ ନେତା ଘୋଷଣା କରାଯିବ। ଏହା ପରେ ସନ୍ଧ୍ୟାରେ ସେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋଲି ଜଣାପଡ଼ିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଧ୍ୟ ସମ୍ମତି ଜଣାଇସାରିଥିବା କୁହାଯାଉଛି।
ଯଦି ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହୁଅନ୍ତି, ତା’ହେଲେ ସେ ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ।
ସୁନେତ୍ରା ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ଅଜିତ ପାୱାରଙ୍କ ମୃତ୍ୟୁ ଯୋଗୁ ବାରାମତି ବିଧାନସଭା ଆସନ ଖାଲି ପଡ଼ିଛି। ସେ ସେଠାରୁ ଉପନିର୍ବାଚନ ଲଢ଼ି ବିଧାନସଭାକୁ ଯାଇପାରନ୍ତି ବୋଲି କୁହାଯାଉଛି।
ଏନ୍ସିପିର ବରିଷ୍ଠ ନେତା ଛଜନ ଭୁଜବଳ କହିଛନ୍ତି ଯେ ଅନେକ ଲୋକ କହୁଛନ୍ତି ଯେ ସୁନେତ୍ରା ପାୱାରଙ୍କୁ ଏହି (ଉପମୁଖ୍ୟମନ୍ତ୍ରୀ) ଦାୟିତ୍ୱ ଦିଆଯାଉ। ଆଉ ଏଭଳି ଦାବି ଅମୂଳକ ନୁହେଁ।
ଏନ୍ସିପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ମାସରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଥିବା ଯୋଗୁ ବର୍ତ୍ତମାନ ପାଇଁ ଅସ୍ଥାୟୀ ଭାବେ ଅର୍ଥ ବିଭାଗ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପାଖରେ ରହିବ। ପରେ ଏହା ପୁଣି ଏନ୍ସିପିକୁ ଆସିବ।
ଆଜି ସକାଳେ NCP ନେତା ପ୍ରଫୁଲ ପଟେଲ, ଛଗନ ଭୁଜବଳ ପ୍ରମୁଖ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟି ଦିବଂଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପାଖରେ ଯେଉଁ ସବୁ ବିଭାଗ ଥିଲା, ସେଗୁଡ଼ିକ ଭବିଷ୍ୟତରେ ଯେମିତି ଏନ୍ସିପି ହାତରେ ରହିବ, ତାହା ସୁନିଶ୍ଚିତ କରିବାକୁ ଦାବି କରିଥିଲେ। ସୂଚନାଯୋଗ୍ୟ, ଅଜିତ ପାୱାରଙ୍କ ପାଖରେ ଅର୍ଥ, ଅବକାରୀ ଓ କ୍ରୀଡ଼ା ବିଭାଗ ରହିଥିଲା।
ଗତ ବୁଧବାର ବାରାମତିରେ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଥିବା ବେଳେ ଗତକାଲି ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/30/sunetra-2026-01-30-20-42-37.jpg)