Advertisment

ଦ୍ୱିତୀୟ ପ୍ରଶାନ୍ତ କିଶୋର: କର୍ଣ୍ଣାଟକାରେ କଂଗ୍ରେସକୁ ଜିତାଇଲେ, ମଧ୍ୟପ୍ରଦେଶ ପାଇଁ ଡିଲ୍‌ କଲେ

କଂଗ୍ରେସ ପାଇଁ କର୍ଣ୍ଣାଟକାରେ ବ୍ରେନ ସାଜିଥିବା ବ୍ୟକ୍ତି ଜଣଙ୍କ ହେଲେ ସୁନୀଲ କାନୁଗୋଲୁ। ତାଙ୍କ ଷ୍ଟ୍ରାଟେଜ ଯୋଗୁ କଂଗ୍ରେସ ଏତେ ଅଧିକ ସଫଳତା ପାଇଥିବା କୁହାଯାଉଛି।

author-image
Hemant Lenka
Congress

Congress

କର୍ଣ୍ଣାଟକାରେ କଂଗ୍ରେସକୁ ମିଳିଛି ରେକର୍ଡ ବିଜୟ। ଦଳ ୨୦୧୮ରେ ୮୦ଟି ଆସନ ଜିତିଥିବା ବେଳେ ୨୦୨୩ରେ ୧୩୫ଟି ଆସନ ଦଖଲ କରିଛି। କ୍ଷମତାସୀନ ବିଜେପି ୧୦୪ରୁ ଖସି ୬୬ରେ ପହଞ୍ଚିଛି। କଂଗ୍ରେସ କ୍ଷମତାକୁ ଫେରିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ଚର୍ଚ୍ଚା। ହେଲେ କଂଗ୍ରେସର ବଡ଼ ବିଜୟ ପଛରେ ଅସଲ କାରଣ କ’ଣ? କିଏ ଦଳ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ? ସେକଥା ଜାଣିବା ପାଇଁ ସମସ୍ତେ ଇଚ୍ଛୁକ।

Advertisment

କଂଗ୍ରେସ ପାଇଁ କର୍ଣ୍ଣାଟକାରେ ବ୍ରେନ ସାଜିଥିବା ବ୍ୟକ୍ତି ଜଣଙ୍କ ହେଲେ ସୁନୀଲ କାନୁଗୋଲୁ। ତାଙ୍କ ଷ୍ଟ୍ରାଟେଜ ଯୋଗୁ କଂଗ୍ରେସ ଏତେ ଅଧିକ ସଫଳତା ପାଇଥିବା କୁହାଯାଉଛି। ତାଙ୍କ ଷ୍ଟ୍ରାଟେଜିକୁ ଆକଳନ କରିବାରେ ବିଫଳ ହୋଇଛନ୍ତି ଅନ୍ୟ ରାଜନୀତିକ ଦଳ। ତେବେ କିଏ ଏହି ସୁନୀଲ କାନୁଗୋଲୁ? କଣ ଥିଲା ତାଙ୍କ ଷ୍ଟ୍ରାଟେଜି? ପୂର୍ବରୁ ତାଙ୍କ ସଫଳ ରଣନୀତି ଯୋଗୁ କେଉଁ କେଉଁ ଦଳ ସଫଳତା ପାଇଛନ୍ତି?

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କର୍ଣ୍ଣାଟକାର ମୂଳ ବାସିନ୍ଦା ହେଉଛନ୍ତି ସୁନୀଲ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ କ୍ୟାମ୍ପେନ ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତିର ମଙ୍ଗ ଧରିଥିବା ପ୍ରଖ୍ୟାତ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଟିମରେ ଥିଲେ ସୁନୀଲ। ସେତେବେଳେ ତାଙ୍କ ଦ୍ୱାରା ପ୍ରସ୍ତୁତ ବିଚକ୍ଷଣ ନିର୍ବାଚନୀ ଷ୍ଟ୍ରାଟେଜି ବିଜେପିକୁ ଅଦ୍ଭୂତପୂର୍ବ ସଫଳତା ଦେଇଥିଲା।

Advertisment

କଂଗ୍ରେସକୁ କର୍ଣ୍ଣାଟକାରେ ମିଳିଥିବା ବିଜୟ ପଛରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାର ପ୍ରଭାବ ରହିଥିବା ଅନେକ ରାଜନୀତିକ ବିଶେଷଜ୍ଞ ମତ ଦେଉଛନ୍ତି। କିନ୍ତୁ ରାହୁଲଙ୍କ ଏହି ଯାତ୍ରାର ପ୍ଲାନିଂ କରିଥିବା ବ୍ୟକ୍ତି ହେଉଛନ୍ତି ସୁନୀଲ କାନୁଗୋଲୁ। ଏହା ବ୍ୟତୀତ କର୍ଣ୍ଣାଟକା ନିର୍ବାଚନ ସମୟରେ କଂଗ୍ରେସର ପ୍ରସିଦ୍ଧ ପେ ସିଏମ ଓ ୪୦ ପରସେଣ୍ଟ କମିସିନ ସରକାରର ନାରା ମଧ୍ୟ ସୁନୀଲଙ୍କ ରଚିତ ନିର୍ବାଚନୀ ରଣନୀତି। ତାଙ୍କ ରଣନୀତି ଦଳକୁ ସଫଳତା ଦେଇଛି। ଏବେ ସେ ଦ୍ୱିତୀୟ ପ୍ରଶାନ୍ତ କିଶୋର ଭାବେ ଚର୍ଚ୍ଚାକୁ ଆସିଛନ୍ତି।

୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଦ୍ୱାରା ପ୍ରସ୍ତୁତ ନବ ସଂକଳ୍ପକୁ ଜନମାନସରେ ଆଦୃତ କରିବାକୁ ଦଳ ଗୋଟିଏ ଟାକ୍ସଫୋର୍ସ ଗଠନ କରିଥିବା ବେଳେ ଏହି ଟିମରେ ମଧ୍ୟ ସାମିଲ ରହିଛନ୍ତି ସୁନୀଲ। ପୂର୍ବରୁ ସୁନୀଲ ବିଜେପି ପାଇଁ ମଧ୍ୟ କାମ କରିସାରିଛନ୍ତି। ତାଙ୍କ ଦ୍ୱାରା ରଚାଯାଇଥିବା ନିର୍ବାଚନୀ ରଣନୀତିକୁ ପାଥେୟ କରି ବିଜେପି ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ, ଗୁଜୁରାଟ ଓ କର୍ଣ୍ଣାଟକାରେ ସରକାରକୁ ଆସିଥିଲା।

୨୦୧୭ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ ସୁନୀଲ। ଯାହାର ପରିଣାମ ବିଜେପି ଉତ୍ତରପ୍ରଦେଶରେ ସବୁଠୁ ଅଧିକ ସିଟ୍ ହାତେଇବାକୁ ସକ୍ଷମ ହୋଇ ସରକାର ଗଢ଼ିଥିଲା। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଆସୋସିଏସନ ଅଫ ବ୍ରିଲିଆଣ୍ଟ ମାଇଣ୍ଡସ କମ୍ପାନୀ ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଦଳ ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ କରିଥାଏ।

ଏବେ ସୁନୀଲ ୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି ପ୍ରସ୍ତୁତ କରୁଛନ୍ତି। ସେହିପରି ଚଳିତ ବର୍ଷ ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବେଳେ ସୁନୀଲ କଂଗ୍ରେସ ପାଇଁ ବ୍ରେନ ସାଜିବେ। ଏଥିପାଇଁ ଦଳ ତାଙ୍କ ସହ ଡିଲ୍‌ ମଧ୍ୟ କରି ସାରିଛି।

Congress Karnataka Karnataka Polls 2023 Karnataka Assembly Election