Advertisment

କମେଡି ପାଇଁ ସୁପାରୀ!

ଖାର ଥାନାର ଏକ ଟିମ୍ କୁନାଲ କମରାଙ୍କ ମୁମ୍ବାଇ ସ୍ଥିତ ବାସଭବନକୁ ଯାଇ ଏକ ସମନ ଦେଇଛନ୍ତି। ଥାନାରେ ହାଜର ହୋଇ ପଚରାଉଚରାର ସମ୍ମୁଖୀନ ହେବାକୁ ତାଙ୍କୁ ସମନ ଦିଆଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Kunal Kamara

Kunal Kamara

ସାଧାରଣତଃ ଆମେ ଜାଣିଛନ୍ତି ଯେ କାହାକୁ ହତ୍ୟା କରିବା ପାଇଁ ସୁପାରୀ ଦିଆଯାଏ। ତେଣୁ ଶୀର୍ଷକଟି ପଢ଼ି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ! ତେବେ ଏହି ଶୀର୍ଷକଟି ସେହି ଖବରଟି ପାଇଁ ଦିଆଯାଇଛି, ଯାହା ସଂପ୍ରତି ସାରା ଦେଶରେ ଚର୍ଚ୍ଚାରେ ରହିଛି। କିଛି ଦିନ ତଳେ ଷ୍ଟାଣ୍ଡଅପ୍ କମେଡିଆନ କୁନାଲ କାମରା ଏକ ଶୋ’ରେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନାଁ ନେଇ ତାଙ୍କୁ ‘ଗଦ୍ଦାର’ ବୋଲି କହିଥିଲେ। ଏହାକୁ ନେଇ ବିବାଦ ବଢ଼ି ଚାଲିଥିବା ବେଳେ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଶିବ ସେନା ମୁଖ୍ୟ ତଥା ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଟାର୍ଗେଟ କରି କୁନାଲ କାମରା ଜୋକ୍ ଶୁଣାଇବା କୌଣସି ଷଡ଼ଯନ୍ତ୍ରର ଅଂଶ କି ନୁହେଁ- ସେ ଦିଗରେ ପୁଲିସ ତଦନ୍ତ କରୁଛି। ପୁଲିସ୍ ଏହା ବି ତଦନ୍ତ କରୁଛି ଯେ କୁନାଲ କାମରା ଉପ-ମୁଖ୍ୟମନ୍ତ୍ରୀଙ୍କୁ ଉପହାସ କରିବା ପାଇଁ କାହାଠାରୁ ଅର୍ଥ ଅବା ଅନ୍ୟ କୌଣସି ପ୍ରକାର ସହାୟତା ନେଇଛନ୍ତି ନା ନାହିଁ।

Advertisment

ଖାର ଥାନାର ଏକ ଟିମ୍ କୁନାଲ କମରାଙ୍କ ମୁମ୍ବାଇ ସ୍ଥିତ ବାସଭବନକୁ ଯାଇ ଏକ ସମନ ଦେଇଛନ୍ତି। ଥାନାରେ ହାଜର ହୋଇ ପଚରାଉଚରାର ସମ୍ମୁଖୀନ ହେବାକୁ ତାଙ୍କୁ ସମନ ଦିଆଯାଇଛି। ଅନ୍ୟପକ୍ଷରେ କୁନାଲ ବର୍ତ୍ତମାନ ମହାରାଷ୍ଟ୍ରରେ ନଥିବା ଜଣାପଡ଼ିଥିବା ବେଳେ ପୁଲିସ ତାଙ୍କ ହ୍ୱାଟ୍‌ସ ଆପ୍ ନମ୍ବରକୁ ମଧ୍ୟ ଉକ୍ତ ସମନକୁ ପଠାଇ ଦେଇଛି। କୁନାଲ କାମରାଙ୍କ ବିରୋଧରେ ଏକାଧିକ ଦଫା ଲାଗିଛି। ତଦନ୍ତ ବେଳେ ତାଙ୍କ ମୋବାଇଲ ଫୋନ୍ ଓ ଅନ୍ୟ ଡିଭାଇସଗୁଡ଼ିକୁ ଯାଞ୍ଚର ପରିସରଭୁକ୍ତ କରାଯିବ ବୋଲି ପୁଲିସ କହିଛି।

ମୁମ୍ବାଇର ହାବିଟାଟ ଷ୍ଟୁଡିଓରେ ଏକ ଶୋ’ର ଶୁଟିଂ ବେଳେ କୁନାଲ କାମରା ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନିଜ ଶୈଳୀରେ ଟାର୍ଗେଟ କରିଥିଲେ। ୧୯୯୭ ମସିହାର ହିଟ୍ ଫିଲ୍ମ ‘ଦିଲ୍‌ ତୋ ପାଗଲ ହୈ’ରେ ଥିବା ‘ଭୋଲି ସି ସୁରତ’ ଗୀତ ଶୈଳୀରେ ଏକ ଗୀତ ଗାଇଥିଲେ କୁନାଲ, ଯାହା ଏକନାଥ ସିନ୍ଦେଙ୍କ ଉଦ୍ଦେଶ୍ୟରେ ଥିଲା। ସେଥିରେ ଗୋଟିଏ ଧାଡ଼ିରେ ସେ ଏକନାଥ ସିନ୍ଦେଙ୍କୁ ଗଦ୍ଦାର କହିଥିଲେ। ୨୦୨୨ରେ ଏକନାଥ ସିନ୍ଦେ ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। କିଛି ବିଧାୟକଙ୍କ ସହିତ ମିଶି ସେ ବିଜେପିରେ ମିଶିଥିଲେ ଓ ଶିବ ସେନା ଭାଙ୍ଗି ଯାଇଥିଲା। ଏହି ସନ୍ଦର୍ଭରେ ଏକନାଥଙ୍କୁ କାମରା ଗଦ୍ଦାର ବୋଲି କହିଥିଲେ।

Advertisment

କୁନାଲଙ୍କ ଏହି ଜୋକ୍‌କୁ ସହଜରେ ଗ୍ରହଣ କରିପାରି ନଥିଲେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବ ସେନା କର୍ମୀ। ସେମାନେ ହାବିଟାଟ ଷ୍ଟୁଡିଓରେ ପଶି ଭଙ୍ଗାରୁଜା କରିଥିଲେ। ଶିବ ସେନା କର୍ମୀଙ୍କ ଏହି ଆଚରଣକୁ ମଧ୍ୟ ଅନେକେ ପସନ୍ଦ କରୁ ନାହାନ୍ତି। ଏକନାଥ ସିନ୍ଦେ କହିଛନ୍ତି ଯେ ସେ କୌଣସି ପ୍ରକାର ଭଙ୍ଗାରୁଜାକୁ ସମର୍ଥନ କରନ୍ତି ନାହିଁ। କିନ୍ତୁ ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ଥାଏ। ସେ ଦଳୀୟ କର୍ମୀଙ୍କ ଭାବାବେଗର ଉଦାହରଣ ଦେଇଛନ୍ତି।

ହାବିଟାଟ ଷ୍ଟୁଡିଓରେ ଏକନାଥ ସିନ୍ଦେଙ୍କ ଦଳର କର୍ମୀଙ୍କ ହଙ୍ଗାମା ପରେ ଗତକାଲି ରାତିରେ କୁନାଲ କାମରା ଏକ ବୟାନ ଜାରି କରି କହିଥିଲେ, ଏକ ଏଣ୍ଟଟେନମେଣ୍ଟ ଭେନ୍ୟୁ କେବଳ ଏକ ପ୍ଲାଟଫର୍ମ ମାତ୍ର। ସେଥିରେ ସବୁ ପ୍ରକାର ଶୋ’ ହୋଇଥାଏ। ହାବିଟାଟ କିମ୍ବା ଅନ୍ୟ କୌଣସି ଭେନ୍ୟୁ ମୋ କମେଡି ପାଇଁ ଦାୟୀ ନୁହନ୍ତି। ମୁଁ କ’ଣ କହିବି, ତା’ ଉପରେ ସେମାନଙ୍କର ନିୟନ୍ତ୍ରଣ ନାହିଁ। କୌଣସି ରାଜନୀତିକ ଦଳର ମଧ୍ୟ ମୋ ଉପରେ ନିୟନ୍ତ୍ରଣ ନାହିଁ। ମୁଁ କୌଣସି ଭିଡ଼ ହିଂସାକୁ ଭୟ କରେ ନାହିଁ। ସେମାନଙ୍କୁ ଡରି ଲୁଚି ରହେ ନାହିଁ। ତଦନ୍ତରେ ମୁଁ ପୁଲିସକୁ ସହଯୋଗ କରିବି। କିନ୍ତୁ ଆଇନ ସେମାନଙ୍କୁ ମଧ୍ୟ ସମାନ ଦୃଷ୍ଟିରେ ଦେଖିବ କି ଯେଉଁମାନେ ଏକ ଜୋକ୍‌ରେ ନିଜକୁ ଲଜ୍ଜିତ ଅନୁଭବ କରି ଭଙ୍ଗାରୁଜା କରିଛନ୍ତି।

ମହାରାଷ୍ଟ୍ରରେ ବିରୋଧୀ ଦଳଗୁଡ଼ିକ କୁନାଲ କାମରାକୁ ସମର୍ଥନ ଜଣାଇଛନ୍ତି । ବିଶେଷ କରି ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବ ସେନା ଏଥିରେ ଆଗରେ ରହିଛି। ଉଦ୍ଧବ ଠାକରେ କହିଛନ୍ତି ଯେ ଗଦ୍ଦାରକୁ ଗଦ୍ଦାର କୁହାଯିବନି ତ ଆଉ କ’ଣ କୁହାଯିବ। କୁନାଲ କାମରା କିଛି ଭୁଲ୍ କହି ନାହାନ୍ତି।

ଆସିଲା କୁନାଲଙ୍କ ନୂଆ ଭିଡିଓ

ତଦନ୍ତର ସମ୍ମୁଖୀନ ହେବା ପାଇଁ ପୁଲିସ ସମନ ଜାରି କରିବା ପରେ କୁନାଲ କାମରା ଆଉ ଏକ ଭିଡିଓ ଜାରି କରିଛନ୍ତି। ଏଥିରେ ସେ ‘ହାମ୍ ହୋଙ୍ଗେ କାମୟାବ’ ଗୀତ ଶୈଳୀରେ ‘ହମ୍ ହୋଙ୍ଗେ କଙ୍ଗାଲ’ ଗାଇଛନ୍ତି। ଏଥିରେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବ ସେନାର କର୍ମୀମାନେ ହାବିଟାଟ ଷ୍ଟୁଡିଓ ଭଙ୍ଗାରୁଜା କରିବା ବେଳର ଦୃଶ୍ୟକୁ ଦେଖାଯାଇଛି। ଶିବ ସେନାଙ୍କୁ ଟାର୍ଗେଟ କରି ହିଁ କୁନାଲ ଏହି ଗୀତ ମାଧ୍ୟମରେ କଟାକ୍ଷ କରିଛନ୍ତି। ସେ ଗାଇଛନ୍ତି- ହମ୍ ହୋଙ୍ଗେ କଙ୍ଗାଳ ଏକ ଦିନ୍‌, ମନ୍‌ ମେ ହେ ଅନ୍ଧବିଶ୍ୱାସ, ଦେଶ କା ସତ୍ୟାନାଶ। ସେ ଏଥିରେ ସେନାର ନେତାମାନଙ୍କୁ ଟାର୍ଗେଟ କରିବାକୁ ନାଥୁରାମ ଗଡସେ ଓ ସ୍ୱଘୋଷିତ ବାବା ଆଶାରାମଙ୍କ ନାମକୁ ଉଲ୍ଲେଖ କରିଛନ୍ତି।

Kunal Kamra