ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ୍ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ସ୍ୱତନ୍ତ୍ର କ୍ଷମା ନୀତି ବଳରେ ଜେଲରୁ ଖଲାସ କରାଯିବା ଘଟଣାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ହତ୍ୟା ଓ ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ କରାଯାଇଥିବାରୁ ଗୁଜରାଟ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ସର୍ବୋଚ୍ଚ ଅଦାଲତ।
୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲକିସ ବାନୋଙ୍କୁ ଦୁଷ୍କର୍ମ କରାଯିବା ସହ ତାଙ୍କ ପରିବାରର ସବୁ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଏହି ଭୟଙ୍କର ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ଗୁଜରାଟ ସରକାର କ୍ଷମା ନୀତି ବଳରେ ଜେଲରୁ ଖଲାସ କରିଛନ୍ତି। ଏହା ବିରୋଧରେ ଏକାଧିକ ସାମାଜିକ ସଂଗଠନ ଓ ବିଲ୍କିସ ବାନୋ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।
ଆଜି ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ଉଜ୍ଜଲ ଭୂୟାଁଙ୍କ ଖଣ୍ଡପୀଠ ନିଜର ଅସନ୍ତୋଷ ପ୍ରକାଶ କରି ଗୁଜରାଟଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଦୋଷୀମାନଙ୍କ ମୃତ୍ୟୁଦଣ୍ଡକୁ ପରବର୍ତ୍ତୀ ସମୟରେ ଆଜୀବନ ଜେଲଦଣ୍ଡରେ ପରିଣତ କରାଯାଇଥିଲା। ଏପରି ସ୍ଥିତିରେ ସେମାନଙ୍କୁ ୧୪ ବର୍ଷର ଜେଲଦଣ୍ଡ ପରେ କେମିତି ଖଲାସ କରାଗଲା?
କାହିଁକି ଅନ୍ୟ କଏଦୀମାନଙ୍କୁ ଏପରି ଛାଡ଼ ସୁଯୋଗ ଦିଆଗଲାନି? ଏହି ମାମଲାରେ ନିର୍ଦ୍ଦିଷ୍ଟ ଦୋଷୀମାନଙ୍କୁ କ୍ଷମା ନୀତିର ଫାଇଦା ମିଳିଲା? ଜେଲରେ କଏଦୀଙ୍କ ସଂଖ୍ୟା ଅଧିକ। କାହିଁକି ଅନ୍ୟ ହାର୍ଡକୋର ଅପରାଧୀଙ୍କୁ ସୁଧୁରିବାର ସୁଯୋଗ ଦିଆ ଗଲାନାହିଁ? ବିଲକିସ ବାନୋଙ୍କ ଦୋଷୀମାନଙ୍କ ପାଇଁ ଜେଲ ପରାମର୍ଶଦାତା କମିଟି କେଉଁ ଆଧାରରେ ଗଠନ କରାଯାଇଥିଲା?
ସୁପ୍ରିମକୋର୍ଟ ପରାମର୍ଶଦାତା କମିଟିର ବିସ୍ତୃତ ତଥ୍ୟ ମାଗିଛନ୍ତି। ସର୍ବୋଚ୍ଚ ଅଦାଲତ ଗୁଜରାଟ ସରକାରଙ୍କୁ ପଚାରିଛନ୍ତି ଯେ ଗୋଧ୍ରା କୋର୍ଟ ମାମଲାର ଶୁଣାଣି କରି ନଥିଲେ। ଏପରି ସ୍ଥିତିରେ ଦୋଷୀଙ୍କୁ ଛାଡ଼ିବା ପାଇଁ ତାଙ୍କ ରାୟ କାହିଁକି ମଗା ଯାଇଥିଲା?
ସୁଧାର ସୁଯୋଗ ସବୁ କଏଦୀଙ୍କୁ ମିଳିବା ଉଚିତ। ଏହାକୁ କେତେ ଦୂର ଲାଗୁ କରାଯାଇଛି? କାହିଁକି ଆମ ଜେଲରେ କଏଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି? ଆମକୁ ତଥ୍ୟ ଦିଅ। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୪ରେ ହେବ।
ଗୁଜରାଟ ସରକାରଙ୍କ ଓକିଲାତି କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ୍ଭି ରାଜୁ ଶୁଣାଣି ସମୟରେ କହିଛନ୍ତି, ଏସବୁର ଉତ୍ତର ସାଧାରଣ ଭାବେ ଦେବା କଷ୍ଟକର। ତେବେ ସେ କହିଛନ୍ତି ଯେ ଏ ସଂକ୍ରାନ୍ତରେ ଗୋଟିଏ ମାମଲା ସୁପ୍ରିମକୋର୍ଟରେ ରହିଛି। ଏହି ମାମଲାରେ ରାଜ୍ୟଗୁଡ଼ିକ ବିସ୍ତୃତ ତଥ୍ୟ ଦେବେ।
ଆଇନ ଅନୁସାରେ ଦୋଷୀମାନଙ୍କୁ ଖଲାସ କରାଯାଇଛି। ସେମାନେ ୨୦୦୮ରୁ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ସେମାନଙ୍କ କଥା ୧୯୯୨ ନୀତି ଅନୁସାରେ ବିଚାର କରାଯାଇଛି ବୋଲି ସେ କହିଛନ୍ତି।