Advertisment

Sonam Wangchuk: ସୋନମ ୱାଙ୍ଗଚୁକ ଗିରଫ ଘଟଣା: କେନ୍ଦ୍ର ସରକାରଙ୍କୁ ବଡ଼ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ଗିରଫଦାରୀ ପରେ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଧାରା ୩୨ ଅନୁସାରେ ଆବେଦନ କରି ସ୍ୱାମୀଙ୍କ ଖଲାସ ଦାବି କରିଛନ୍ତି। ଏବେ ୱାଙ୍ଗଚୁକ ରାଜସ୍ଥାନର ଯୋଧପୁର ଜେଲରେ ରହିଛନ୍ତି। ଗୀତାଞ୍ଜଳି ସ୍ୱାମୀଙ୍କ ଗିରଫଦାରୀକୁ ଧାରା ୨୨ ଅଧୀନରେ ବେଆଇନ ବୋଲି କହିଛନ୍ତି।

author-image
Hemant Lenka
sonam-Wagchuk

ସୋନମ ୱାଙ୍ଗଚୁକ

ଲଦାଖ(Ladakh) ହିଂସାକାଣ୍ଡ ଘଟଣାରେ ଗିରଫ ବିଶିଷ୍ଟ ପରିବେଶବିତ ସୋନମ ୱାଙ୍ଗଚୁକ( Sonam Wangchuk)ଙ୍କ ମାମଲାରେ କେନ୍ଦ୍ରକୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ। ୱାଙ୍ଗଚୁକଙ୍କୁ ଜାତୀୟ ସୁରକ୍ଷା ଆଇନ ବା ଏନଏସ୍ଏ ବଳରେ ଲଦାଖ ପୁଲିସ୍ ଗିରଫ କରିଥିଲା। 

Advertisment

ଏହା ବିରୋଧରେ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୱାଙ୍ଗଚୁକଙ୍କୁ ଏନଏସ୍ଏ ବଳରେ ଗିରଫ କରାଯାଇଥିବା ବେଳେ ଏହା ପଛର କାରଣ ସମ୍ପର୍କରେ କାହିଁକି ପତ୍ନୀ ଗୀତାଞ୍ଜଳିଙ୍କୁ ନୋଟିସ ଦିଆଯାଇ ନଥିଲା ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। 

ଗୀତାଞ୍ଜଳି କରିଥିବା ଆବେଦନର ଶୁଣାଣି ଅକ୍ଟୋବର ୧୪ରେ ହେବ ବୋଲି ଜଷ୍ଟିସ ଅରବିନ୍ଦ କୁମାର ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ଦିନ ଧାର୍ଯ୍ୟ କରିଛି। ଆଜି ଅଳ୍ପ ସମୟର ଶୁଣାଣି ବେଳେ ଖଣ୍ଡପୀଠ ପକ୍ଷରୁ କେନ୍ଦ୍ର, ଜମ୍ମୁ-କଶ୍ମୀର ଓ ରାଜସ୍ଥାନ ସରକାରଙ୍କୁ ନୋଟିସ କରିଛନ୍ତି। ସେପ୍ଟେମ୍ବର ୨୬ରୁ ୱାଙ୍ଗଚୁକ(Sonam Wangchuk Detained)ଙ୍କୁ ଗିରଫ କରାଯାଇଥିବେ ବେଳେ ପତ୍ନୀ ଗୀତାଞ୍ଜଳି ତାଙ୍କୁ ଦେଖା କରିବାକୁ ଅନୁମତି ପାଇ ନାହାନ୍ତି। ଏହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Advertisment

ଗିରଫଦାରୀର ଦୁଇ ଦିନ ପୂର୍ବରୁ ଲଦାଖରେ ରାଜ୍ୟ ମାନ୍ୟତା ଦାବିରେ ଭୟଙ୍କର ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଏଥିରେ ୪ ଜଣ ମୃତ୍ୟୁ ଓ ୯୦ ଜଣ ଆହତ ହୋଇଥିଲେ। ରାଜ୍ୟ ମାନ୍ୟତା ଦାବିର ଚର୍ଚ୍ଚିତ ଚେହେରା ୱାଙ୍ଗଚୁକ ହୋଇଥିବାରୁ ସେ ହିଂସାକୁ ଉସକାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଆଧାର କରି ପୁଲିସ୍ ତାଙ୍କୁ ଏନଏସ୍ଏ ବଳରେ ଗିରଫ କରିଛି। 

ଗିରଫଦାରୀ ପରେ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଧାରା ୩୨ ଅନୁସାରେ ଆବେଦନ କରି ସ୍ୱାମୀଙ୍କ ଖଲାସ ଦାବି କରିଛନ୍ତି। ଏବେ ୱାଙ୍ଗଚୁକ ରାଜସ୍ଥାନର ଯୋଧପୁର ଜେଲରେ ରହିଛନ୍ତି। ଗୀତାଞ୍ଜଳି ସ୍ୱାମୀଙ୍କ ଗିରଫଦାରୀକୁ ଧାରା ୨୨ ଅଧୀନରେ ବେଆଇନ ବୋଲି କହିଛନ୍ତି। ତାଙ୍କ କହିବା କଥା ଯେ ତାଙ୍କୁ କିମ୍ବା ତାଙ୍କ ସ୍ୱାମୀଙ୍କୁ ଗିରଫଦାରୀର କାରଣ ସମ୍ପର୍କରେ ଏଯାଏ ଅବଗତ କରାଯାଇ ନାହିଁ।

ଶୁଣାଣି ବେଳେ ଗୀତାଞ୍ଜଳିଙ୍କ ଓକିଲ କପିଲ ଶିବଲ କହିଛନ୍ତି ଯେ ଗିରଫଦାରୀର କାରଣ ସମ୍ପର୍କିତ ନୋଟିସ ବିନା ସେମାନେ ଏହାକୁ ଚ୍ୟାଲେଞ୍ଜ କରିପାରିବେ ନାହିଁ। ତେବେ ଭାରତର ସିଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ ଗିରଫଦାରୀ କାରଣ ସମ୍ପର୍କିତ ନୋଟିସ ୱାଙ୍ଗଚୁକଙ୍କୁ ଦିଆଯାଇ ସାରିଛି ଓ ତାଙ୍କୁ ହେପାଜତକ ନିଆଯିବା ପରେ ତାଙ୍କ ଭାଇ ଏକଦା ତାଙ୍କୁ ଭେଟିଥିଲେ। 

ଏହାଶୁଣି ଖଣ୍ଡପୀଠ ଓଲଟା ସଲିସିଟର ଜେନେରାଲଙ୍କୁ ପ୍ରଶ୍ନ କରିଥିଲେ ଯେ କେଉଁ କାରଣ ପାଇଁ ସେମାନେ ୱାଙ୍ଗଚୁକଙ୍କ ପତ୍ନୀଙ୍କୁ ଗିରଫଦାରୀ କାରଣ ସମ୍ପର୍କିତ ନୋଟିସ କରିପାରୁ ନାହାନ୍ତି। ଏବେ ଆପଣମାନେ ତୁରନ୍ତ ନୋଟିସ କରନ୍ତୁ। 

ସଲିସିଟର ଜେନେରାଲ ପୁଣି କହିଛନ୍ତି ଯେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ପତ୍ନୀଙ୍କୁ କାରଣ ସମ୍ପର୍କିତ ନୋଟିସ ପଠାଇବାର କୌଣସି ଆଇନଗତ ପ୍ରାବଧାନ ନାହିଁ। ଆବେଦନକାରୀ ନୋଟିସ ଆଳରେ ଆଉ ଏକ ପ୍ରସଙ୍ଗ ଉଥାପନ କରିବାକୁ ଉଦ୍ୟମ କରୁଛନ୍ତି।

ଏହାକୁ କାଉଣ୍ଟର କରି ଶିବଲ କହିଥିଲେ ଯେ ପରିବାର ଲୋକଙ୍କୁ ନୋଟିସ ଦିଆଯାଇ ନଥିବା ବେଳେ ସେମାନଙ୍କୁ କେବଳ ଇଣ୍ଟରକମରେ କଥା ହେବାକୁ ସୁଯୋଗ ମିଳିଛି। କାରଣ ସମ୍ପର୍କିତ ନୋଟିସ ବିନା ସେମାନେ ଉପଯୁକ୍ତ ବୋର୍ଡ ଆଗରେ ପ୍ରତିନିଧିଙ୍କୁ ଉପସ୍ଥାନ କରିବାରେ ଅକ୍ଷମ ହେବ ବୋଲି ଶିବଲ ଯୁକ୍ତି ରଖିଛନ୍ତି। ଏଥିସହ ସ୍ୱାମୀଙ୍କୁ ଭେଟିବାକୁ ଗୀତାଞ୍ଜଳିଙ୍କୁ ଅନୁମତି ଦିଆଯାଉ ବୋଲି ମଧ୍ୟ ସେ ଅନୁରୋଧ କରିଛନ୍ତି। 

ଶିବଲଙ୍କ କଥାରେ ଏକମତ ହୋଇ ନାହାନ୍ତି ସଲିସିଟର ଜେନେରାଲ। ସେ କହିଛନ୍ତି ଯେ ୱାଙ୍ଗଚୁକଙ୍କୁ ଭେଟିବା ପାଇଁ ୧୨ ଜଣଙ୍କୁ ଅନୁମତି ଦିଆଯାଇଥିଲା। ତାଙ୍କୁ ଭେଟିବା ପାଇଁ କାହାକୁ ବାରଣ କରାଯାଇ ନାହାନ୍ତି। ଏପରି ଏକ ଯୁକ୍ତି ରଖି ଆବେଦନକାରୀ ଘଟଣାକୁ ଅତିରଞ୍ଜିତ କରିବାକୁ ଚେଷ୍ଟା କରୁଥିବା ସେ ମତ ରଖିଛନ୍ତି।

ଦୁଇ ପକ୍ଷଙ୍କୁ ଶୁଣିବା ପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ଏଥିସହ ୱାଙ୍ଗଚୁକଙ୍କୁ ଆବଶ୍ୟକ ମେଡିସିନ, କପଡ଼ା ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୪ରେ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି। 

Ladakh Sonam Wangchuk Sonam Wangchuk Detained