Advertisment

ଏଫଆଇଆର ରୁଜୁ, ମିଳିଛି ସୁରକ୍ଷା: ରେସଲରଙ୍କ ଆବେଦନର ଶୁଣାଣି ବନ୍ଦ କଲେ ସୁପ୍ରିମକୋର୍ଟ

ଏହି ଖଣ୍ଡପୀଠରେ ସିଜେଆଇଙ୍କ ବ୍ୟତୀତ ଜଷ୍ଟିସ ପିଏସ୍‌ ନରସୀମା ଓ ଜଷ୍ଟିସ ଜେବି ପାରଡିୱାଲା ମଧ୍ୟ ରହିଛନ୍ତି।

 wrestlers

wrestlers

Advertisment

ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ୩ ଜଣ ମହିଳା ରେସଲରଙ୍କ ଆବେଦନ ଉପରେ ଚାଲିଥିବା ଶୁଣାଣିକୁ ବନ୍ଦ କରିଛନ୍ତି ସୁପ୍ରିମକୋର୍ଟ। ଏମାନେ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Advertisment

ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ପୁଲିସ୍‌ ବ୍ରିଜ ଭୂଷଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ଓ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ୭ ମହିଳା ରେସଲରଙ୍କୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ଏହା ଜାଣିବା ପରେ ସୁପ୍ରିମକୋର୍ଟ ୭ ଜଣଙ୍କ ମଧ୍ୟରୁ ୩ ଜଣ ମହିଳା ରେସଲରଙ୍କ ଆବେଦନର ଶୁଣାଣିକୁ ବନ୍ଦ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କୁ ଆଜି ଶୁଣାଣି ବେଳେ ରେସଲରଙ୍କ ପକ୍ଷରୁ ମାମଲାର ପରିଚାଳନା କରୁଥିବା ଓକିଲ କହିଥିଲେ ମହିଳା କୁସ୍ତି ଯୋଦ୍ଧାମାନେ ଆଣିଥିବା ଅଭିଯୋଗର ଚାଲିଥିବା ତଦନ୍ତ କୌଣସି ଅବସରପ୍ରାପ୍ତ କିମ୍ବା କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ କରାଯାଉ।

Advertisment

ତେବେ ଏହାର ଜବାବରେ ଖଣ୍ଡପୀଠ କହିଥିଲେ ଯେ “ଆପଣ ଏଠାକୁ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆସିଥିଲେ। ଅଭିଯୋଗ ଉପରେ ଏଫଆଇଆର ଓ ଅଭିଯୋଗକାରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କହିଥିଲେ। ଏବେ ଆପଣଙ୍କର ଦୁଇଟି ଯାକ ନିବେଦନ ପୂରଣ ହୋଇଛି। ଯଦି ଏବେ ଆପଣଙ୍କ ଆଉ କୌଣସି ଅଭିଯୋଗ ରହିଛି, ତା’ହେଲେ ଆପଣ ହାଇକୋର୍ଟ କିମ୍ବା ମାଜିଷ୍ଟ୍ରେଟଙ୍କ ପାଖରେ ଆବେଦନ କରିପାରିବେ।”

ଏହି ଖଣ୍ଡପୀଠରେ ସିଜେଆଇଙ୍କ ବ୍ୟତୀତ ଜଷ୍ଟିସ ପିଏସ୍‌ ନରସୀମା ଓ ଜଷ୍ଟିସ ଜେବି ପାରଡିୱାଲା ମଧ୍ୟ ରହିଛନ୍ତି। ଖଣ୍ଡପୀଠର ନିଜ ମତ ରଖିବା ପରେ ମାମଲାର ଶୁଣାଣିକୁ ବନ୍ଦ କରିଥିଲେ। 

ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଏକାଧିକ ରେସଲର ଯୌନ ନିର୍ଯାତନା ଅଭିଯୋଗ ଆଣି ବିକ୍ଷୋଭ କରୁଛନ୍ତି। ପ୍ରଥମେ ପୁଲିସ୍‌ ସେମାନଙ୍କ ଅଭିଯୋଗ ଉପରେ କୌଣସି ପ୍ରକାରର ପଦକ୍ଷେପ ନେଇ ନଥିଲା। କିନ୍ତୁ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୁଲିସ ବ୍ରିଜ ଭୂଷଣଙ୍କ ନାଁରେ ଦୁଇଟି ମାମଲା କରିଛି। ହେଲେ ସେ କୁସ୍ତି ମହାସଂଘର ସଭାପତି ପଦ ଛାଡ଼ି ନାହାନ୍ତି କିମ୍ବା ପୁଲିସ୍‌ ତାଙ୍କୁ ଗିରଫ କରିନାହିଁ। ସେ ଗିରଫ ନ ହେବା ଯାଏ ରେସଲରମାନେ ଆନ୍ଦୋଳନ ପ୍ରତ୍ୟାହାର ନ କରିବା ଜିଦରେ ରହିଛନ୍ତି।

ଭିନେଶ ଫୋଗଟ, ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆଙ୍କ ଭଳି ପଦକ ବିଜେତା ରେସଲରମାନେ ଦିଲ୍ଲୀର ଯନ୍ତରମନ୍ତରେ ଆନ୍ଦୋଳନ କରୁଛନ୍ତି। ସେମାନେ ପ୍ରଥମେ ଜାନୁଆରୀ ମାସରେ ଆନ୍ଦୋଳନ କରିଥିଲେ। ସେତେବେଳେ ସେମାନଙ୍କୁ ଶ୍ରୀ ସିଂହଙ୍କ ବିରୋଧରେ ତଦନ୍ତ ହେବ ବୋଲି କୁହାଯାଇଥିଲା। ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।

ହେଲେ ପ୍ରତିଶ୍ରୁତିକୁ ୩ ମାସ ବିତିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ସେମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନ ଯୋଗୁ ଚାମ୍ପିୟନଶିପ ଓ କ୍ୟାମ୍ପ ସମେତ ସମସ୍ତ ରେସଲିଂ କାର୍ଯ୍ୟକ୍ରମ ବନ୍ଦ ରହିଛି। ଅନେକ ରେସଲର ଯନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରୁଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି।

Protest Indian Wrestler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe