Advertisment

ଉତ୍ତରପ୍ରଦେଶରେ ଚାଲୁ ରହିବ ୧୬ ହଜାର ମଦ୍ରାସା, ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ଆହ୍ଲାବାଦ ହାଇକୋର୍ଟ ମଦ୍ରାସା ଶିକ୍ଷା ବୋର୍ଡ ଅଧିନିୟମକୁ ଖାରଜ କରି ଅନ୍ୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ହାଇକୋର୍ଟଙ୍କର ଏହି ଆଦେଶକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

author-image
Debadatta Aryashrestha
Madrasa In UP

Madrasa In UP

ଉତ୍ତରପ୍ରଦେଶରେ ଚାଲୁ ରହିବ ୧୬ ହଜାର ମଦ୍ରାସା। ସୁପ୍ରିମକୋର୍ଟ 'ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଆକ୍ଟ -୨୦୦୪'କୁ ବୈଧ ଦର୍ଶାଇଛନ୍ତି, ଯାହା ମଦ୍ରାସାର ଶିକ୍ଷାନୀତିକୁ ନିୟନ୍ତ୍ରିତ କରିଥାଏ। ଏହା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ମଦ୍ରାସା ଶିକ୍ଷା ବୋର୍ଡ ଅଧିନିୟମକୁ ଖାରଜ କରିଥିଲେ ଏବଂ ଅନ୍ୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ହାଇକୋର୍ଟଙ୍କର ଏହି ଆଦେଶକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

Advertisment

ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ସମେତ ଜଷ୍ଟିସ ଜେ.ବି ପାରଦୀୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏହା ଧର୍ମନିରପେକ୍ଷତାର ନୀତି ଉଲ୍ଲଂଘନ କରୁନଥିବା ଦର୍ଶାଇ ହାଇକୋର୍ଟଙ୍କ ନିଷ୍ପତ୍ତିରେ ତ୍ରୁଟି ଥିବା ଦର୍ଶାଇଛନ୍ତି ଖଣ୍ଡପୀଠ।

ମଦ୍ରାସାକୁ ଅସାମ୍ବିଧାନିକ ଦର୍ଶାଇଥିଲେ ହାଇକୋର୍ଟ
ଅକ୍ଟୋବର ୨୨ରେ ସୁପ୍ରିମକୋର୍ଟର ଏହି ତିନି ଜଣିଆ ଖଣ୍ଡପୀଠ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅଞ୍ଜୁମ କାଦ୍ରିଙ୍କ ଦ୍ୱାରା ଦାଖଲ ହୋଇଥିବା ମୁଖ୍ୟ ଆବେଦନ ସମେତ ଆଠଟି ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ। ମାର୍ଚ୍ଚ ୨୨ରେ ଆହ୍ଲାବାଦ ହାଇକୋର୍ଟ 'ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଆକ୍ଟ -୨୦୦୪' ଧର୍ମନିରପେକ୍ଷତାର ନୀତି ଉଲ୍ଲଂଘନ କରୁଛି ବୋଲି ଦର୍ଶାଇ ଏହାକୁ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ।

Advertisment

'ଗୁଣାତ୍ମକ ଶିକ୍ଷା ପାଇଁ ମଦ୍ରାସାକୁ ନିୟନ୍ତ୍ରଣ କରିପାରିବେ ସରକାର'
ସୁପ୍ରିମକୋର୍ଟ କହିଛନ୍ତି ଯେ ମଦ୍ରାସା ବୋର୍ଡ ଏବଂ ରାଜ୍ୟ ସରକାରଙ୍କର ମଦ୍ରାସାକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଛି। ରାଜ୍ୟ ସରକାର ମଦ୍ରାସାର କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିପାରିବେ, ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ପାଇପାରିବେ। ଶିକ୍ଷାର ମାନରେ ଉନ୍ନତି ଆଣିବା ପାଇଁ ମଦ୍ରାସା ନିୟନ୍ତ୍ରଣ କରିବାରେ ସରକାରଙ୍କ ଆଗ୍ରହ ଗୁରୁତ୍ୱପୂର୍ଣ୍ଣ।

ମଦ୍ରାସାକୁ ସୁପ୍ରିମକୋର୍ଟଙ୍କ 'ଫାଜିଲ-କାମିଲ' ଝଟକା
ସୁପ୍ରିମକୋର୍ଟ ମଦ୍ରାସା ବୋର୍ଡର ଫାଜିଲ ଏବଂ କାମିଲ ଡିଗ୍ରୀକୁ ଅସାମ୍ବିଧାନିକ ବୋଲି ବିବେଚନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ୟୁଜିସିର ସ୍ୱତନ୍ତ୍ର ଅଧିକାର। ୟୁପିର ମଦ୍ରାସାରେ ଉଚ୍ଚ ବିଦ୍ୟାଳୟ ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଡିଗ୍ରୀ ରହିଛି। ଏହାପରେ ଫାଜିଲ ଏବଂ କାମିଲ ଡିଗ୍ରୀ। ୟୁଜିସିର ଏହି ପାଠ୍ୟକ୍ରମଗୁଡିକର ମାନ୍ୟତା ଦାବି କରିଥିଲା ମଦ୍ରାସା ବୋର୍ଡ। ୟୁଜିସି ଏପର୍ଯ୍ୟନ୍ତ ଏନେଇ ଅନୁମୋଦନ ଦେଇନାହିଁ। ତେଣୁ ମଦ୍ରାସା ବୋର୍ଡ ଫାଜିଲ ଓ କାମିଲ ଡିଗ୍ରୀ ଅନୁମତି ସୁପ୍ରିମକୋର୍ଟଙ୍କୁ ମାଗିଥିଲା। ହେଲେ ଏହି ଅଧିକାର ୟୁଜିସିର ବୋଲି କହି ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି।

Supreme Court Uttar Pradesh News UP Madrasa Act 2004