/odisha-reporter/media/post_attachments/uploadimage/library/16_9/16_9_0/SC_1753179122.jpg)
SC
ଗୋଟିଏ ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ସମାଲୋଚନା କରିବାରେ ଲାଗିଛନ୍ତି ସୁପ୍ରିମକୋର୍ଟ। ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଉପରେ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ଛାଡ଼ିଥିଲେ। ଆଇନଗତ ଉପାୟରେ ଇଡି ରାଜନୀତିକ ଯୁଦ୍ଧ ଲଢ଼ିବାକୁ ଚେଷ୍ଟା କରୁଛି ବୋଲି ସର୍ବୋଚ୍ଚ ଅଦାଲତ କରିଥିଲେ। ଆଜି ସିବିଆଇକୁ ସୁପ୍ରିମକୋର୍ଟ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଇଣ୍ଡିଆ ବୁଲ୍ସ ହାଉସିଂ ଫାଇନାନ୍ସ ଲିଃ ବା ଆଇଏଚଏଫଏଲ ମାମଲାରେ ନୋଟିସ ସତ୍ତ୍ୱେ ସିବିଆଇ ହାଜର ନ ହେବାରୁ ସୁପ୍ରିମକୋର୍ଟ ଏହାକୁ ସହଜରେ ଗ୍ରହଣ କରି ନାହାନ୍ତି।
ସୁପ୍ରିମକୋର୍ଟ କହିଛନ୍ତି, “ଆମେ ଆଦୌ ଏପରି ଆଭିମୁଖ୍ୟକୁ ଗ୍ରହଣ କରୁ ନାହୁଁ। ଆମେ ଥରେ ନୋଟିସ କରିବା କ୍ଷଣି ଆପଣମାନଙ୍କୁ ଏଠାକୁ ଆସିବାକୁ ପଡ଼ିବ। ସୁପ୍ରିମକୋର୍ଟ ଆଗରେ ସେମାନେ ହାଜର ହୋଇପାରିବେ ନାହିଁ ବୋଲି କେମିତି କହିପାରିବେ?”
ପୂରା ମାମଲା କ’ଣ?
ଆଇଏଚଏଫଏଲର ପ୍ରମୋଟର୍ସ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏବେ ଏହା ସମ୍ମାନ କ୍ୟାପିଟାଲ ଲିଃ ହୋଇ ଯାଇଛି। ଏହି ସଂସ୍ଥା ଠକେଇ କରିଥିବାରୁ କୋର୍ଟ ନେତୃତ୍ୱାଧୀନ ଏସଆଇଟି ଦ୍ୱାରା ତଦନ୍ତ ପାଇଁ ଆବେଦନ କରାଯାଇଥିଲା। ଦିଲ୍ଲୀ ହାଇକୋର୍ଟ ଏହାକୁ ଖାରଜ କରି ଦେଇଥିବା ବେଳେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ହାଜର ହୋଇ କହିଥିଲେ ଯେ କୌଣସି ବୈଧ ଅପରାଧ ନଥିବାରୁ ଇଡି ଟଙ୍କା ହେରଫେର ଅଭିଯୋଗର ତଦନ୍ତ କରିପାରିବ ନାହିଁ ବୋଲି କହିଥିଲା। ସିବିଆଇକୁ ମାମଲା ରୁଜୁ କରିବା ପାଇଁ ଗୋଟିଏ ଆବେଦନ ଉପସ୍ଥାପନ କରାଯାଇଛି।
ଏହା ଶୁଣି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ “ଅଭିଯୋଗକୁ କେନ୍ଦ୍ରୀୟ ଏଜେନ୍ସି ଦେଖିବା ସହ ଏହାର ତଦନ୍ତ କରି ରିପୋର୍ଟ ଦେବାର ଆବଶ୍ୟକତା ରହିଛି। ଅଭିଯୋଗ ଟଙ୍କା ଆଦାୟ ବା ହଡ଼ପର। କେନ୍ଦ୍ରୀୟ ଏଜେନ୍ସି ଏହାକୁ ନିରପେକ୍ଷ ଭାବେ ତଦନ୍ତ କରି ରିପୋର୍ଟ ନେଇ ଆସୁ।”
ସିବିଆଇକୁ ପୂର୍ବରୁ ନୋଟିସ କରାଯାଇଥିବା କଥା ଖଣ୍ଡପୀଠ କହିଥିଲେ। ସିବିଆଇ ନୋଟିସ ଅନୁସାରେ ହାଜର ନ ହେବାରୁ ଖଣ୍ଡପୀଠ କହିଛନ୍ତି, “ସେମାନଙ୍କ ପାଖରେ କୋର୍ଟ ଆସିବାକୁ ବି ସାହସ ନାହିଁ?”
ସମୟ ମାଗିଲେ ସଲିସିଟର ଜେନେରାଲ
ସିବିଆଇ ପାଇଁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ତଥ୍ୟ ଉପସ୍ଥାପନ କରିବାକୁ ଗୋଟିଏ ସପ୍ତାହ ସମୟ ମାଗିଥିଲେ। ଏହାକୁ କୋର୍ଟ ଦେଇଛନ୍ତି। ଖଣ୍ଡପୀଠ ସମସ୍ତଙ୍କୁ ମନେ ପକାଇ ଦେଇଛନ୍ତି ଯେ ପଦକ୍ଷେପ ନେବା ପାଇଁ ସିବିଆଇକୁ କୌଣସି ବିଧିବଦ୍ଧ ଅଭିଯୋଗର ଆବଶ୍ୟକ ନାହିଁ। ସେମାନଙ୍କୁ ଆଉ କ’ଶ ସୂଚନା ଦରକାର। ସେମାନଙ୍କ ପାଖରେ ପୂର୍ବରୁ ହିଁ ରେକର୍ଡ ରହିଥିବା କୋର୍ଟ କହିଛନ୍ତି।
ଆଇଏଚଏଫଏଲ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଆଇଏଚଏଫଏଲର ଦୀର୍ଘ ବର୍ଷ ହେଲା କାମ କରି ଆସୁଛି। କମ୍ପାନୀ ବିରୋଧରେ ଏଯାଏ ଗୋଟିଏ ହେଲେ ବି ଅଭିଯୋଗ ଆସି ନଥିଲା।
ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩୦ରେ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
